ଅନୁଷ୍କାଙ୍କ ଝୁଲଣ ଅବତାର: ମା’ଙ୍କୁ କୋହଲିଙ୍କ ସଲାମ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର୍‌ ଝୁଲଣ ଗୋସ୍ବାମୀଙ୍କ ଆତ୍ମଜୀବନୀକୁ ନେଇ ‘ଚକଦା ଏକ୍ସପ୍ରେସ୍’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏଥିରେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଝିଅ ବାମିକାର ଜନ୍ମର ୩ ବର୍ଷ ବ୍ୟବଧାନ ପରେ ଅନୁଷ୍କା ଅଭିନୟକୁ ଫେରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରର କିଛିଟା ଝଲକ ଗୁରୁବାର ଦେଖିବାକୁ ମିଳିଛି। ଅନୁଷ୍କା ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ଏହାର ଟ୍ରେଲରକୁ ରିଲିଜ୍ କରିଛନ୍ତି। ଅନୁଷ୍କା ଓ ତାଙ୍କ ଭାଇ କର୍ଣ୍ଣେସ୍ ଶର୍ମା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି। ପ୍ରତୀକ୍ଷା ରାଓଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରର ପ୍ରଥମ ଝଲକକୁ ନିଜେ ଝୁଲଣ ବେଶ୍ ପ୍ରଶଂସା କରିଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଝୁଲଣ ୧୯୮୨ ମସିହା ନଭେମ୍ବର ୨୫ରେ ପଶ୍ଚିମବଙ୍ଗର ଚକଦାରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଚକଦା ଏକ୍ସପ୍ରେସ୍‌ର ଉପାଧୀ ମିଳିଥିଲା। ଚଳଚ୍ଚିତ୍ରରେ ଅନୁଷ୍କାଙ୍କ ଅଭିନୟକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି।

ଗୁରୁବାର ଥିଲା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମା’ ସରୋଜ କୋହଲିଙ୍କ ଜନ୍ମଦିବସ। କୋହଲି ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋଟିକୁ ପ୍ରକାଶ କରି ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ମା’ ମୁଁ ତୁମକୁ ବହୁତ ଭଲ ପାଏ ବୋଲି ଲେଖିଥିଲେ। (ଫାଇଲ ଫଟୋ)

ସମ୍ବନ୍ଧିତ ଖବର