କୋହଲିଙ୍କ ଅଚାନକ ଅବସର ପରେ ପତ୍ନୀ ଅନୁଷ୍କା ତାଙ୍କ ଜାଜ୍ଜ୍ବଲ୍ୟମାନ ତଥା ଆହ୍ବାନଭରା ଟେଷ୍ଟ୍ ଜୀବନକୁ ସଲାମ କରିଛନ୍ତି। ସେହିଭଳି ପ୍ରତ୍ୟେକ ଶୃଙ୍ଖଳା ପରେ କୋହଲିଙ୍କ ବ୍ୟକ୍ତିତ୍ବରେ ହେଉଥିବା ସକାରାତ୍ମକ ଅଭ୍ୟୁଦୟକୁ ଦେଖିବା ଗର୍ବ ଓ ଗୌରବର ବିଷୟ। ପ୍ରତିଟି ଶୃଙ୍ଖଳା ପରେ କୋହଲି ପୂର୍ବାପେକ୍ଷା ଜ୍ଞାନୀ ଏବଂ ନମ୍ର ହୋଇ ଫେରିବା ତାଙ୍କ ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ବୋଲି କହିଛନ୍ତି। ୩୭ ବର୍ଷୀୟା ଅନୁଷ୍କା ମଧ୍ୟ କୋହଲିଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଆବେଗଭରା ବାର୍ତ୍ତା ପୋଷ୍ଟ୍ କରିଥିଲେ। ଲେଖିଥିଲେ, ସମସ୍ତେ ତୁମ ରେକର୍ଡ ଓ ମାଇଲ୍‌ଖୁଣ୍ଟ କଥା କହୁଛନ୍ତି।

Advertisment

ହେଲେ ମୁଁ ତୁମ ଆଖିରେ ଜମି ରହିଥିବା ଲୁହକୁ ଦେଖିଛି। କେହି ଦେଖିନଥିବା ସଂଘର୍ଷ ଏବଂ ଏହି ଫର୍ମାଟ୍‌ (ଟେଷ୍ଟ୍)କୁ ତୁମର ଅସୀମ ଭଲ ପାଇବାକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଛି। ମୁଁ ଜାଣିଛି ଏସବୁ ପାଇଁ ତୁମକୁ ଢେର ସଂଘର୍ଷ କରିବାକୁ ପଡ଼ିଛି। ହେଲେ ପ୍ରତି ଶୃଙ୍ଖଳା ପରେ ତୁ‌ମେ ସାମାନ୍ୟ ଜ୍ଞାନୀ ଓ ନମ୍ର ହୋଇ ଫେରୁଥିଲ। ଏସବୁ ଦେଖି ମନେମନେ ମୁଁ ବେଶ୍ ଖୁସି ହେଉଥିଲି। ମୁଁ କିନ୍ତୁ ଭାବୁଥିଲି ତୁମେ ଧଳା ବଲ୍‌ରୁ ଖୁବ୍‌ଶୀଘ୍ର ଅବସର ନେଇଯିବ। ହେଲେ ତୁମେ ସବୁବେଳେ ତୁମ ମନର କଥାକୁ ଅନୁସରଣ କରିଛ। ଏଣୁ ପ୍ରିୟତମ ଶେଷରେ ମୁଁ ଏତିକି କହିବି ଯେ ତୁମେ ଏଭଳି ଏକ ସମ୍ମାନାସ୍ପଦ ବିଦାୟକୁ ନିଜେ ହିଁ ଅର୍ଜନ କରିଛ।