କ୍ୟାରିୟରର ପ୍ରଥମାର୍ଧରେ କପିଳ ବିଶ୍ବସ୍ତରୀୟ ଥିଲେ

ବିଶ୍ବ କ୍ରିକେଟ୍‌ର ଶ୍ରେଷ୍ଠ ଅଲ୍‌ରାଉଣ୍ଡରଙ୍କ କଥା ପଡ଼ିଲେ ଭାରତର କପିଳ ଦେବଙ୍କ ନାମ ଆସେ। ତେବେ ସାଥୀ ଖେଳାଳିଙ୍କ ସହଯୋଗ ମିଳିଥିଲେ ଇର୍ଫାନ ପଠାନ ଦେଶର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ହୋଇଥା’ନ୍ତେ ବୋଲି ନିକଟରେ କରିଥିବା ଆ‌ସ୍ଫାଳନ ପ୍ରରିପ୍ରେକ୍ଷୀରେ କପିଳଙ୍କ କ୍ୟାରିୟରକୁ ନେଇ ଏକ ସ୍ବତନ୍ତ୍ର ପ୍ରତିବେଦନର ପ୍ରାସଙ୍ଗିକତା ପୁଣିଥରେ ଦେଖ‌ାଦେଇଛି। କିଂବଦନ୍ତି ଅଲରାଉଣ୍ଡର୍‌ କପିଳ ଦେବଙ୍କ ଆଗମନ ପୂର୍ବରୁ ଦ୍ରୁତ‌‌‌ ବୋଲରଙ୍କ ସନ୍ଧାନରେ ଥିଲା ସମ୍ପୂର୍ଣ୍ଣ ଦେଶ। ଈଶ୍ବରଙ୍କ ପ୍ରଦତ୍ତ ଭଳି ଆସିଥିଲେ, ବ୍ୟାଟିଂ ବଢ଼ିଆ କରୁଥିଲେ ବି ବୋଲିଂ ଥିଲା ତାଙ୍କ ମୁଖ୍ୟ ଅସ୍ତ୍ର। ଭାରତୀୟ କ୍ରିକେଟ୍‌କୁ ଆକ୍ରମଣାତ୍ମକ ବିକଳ୍ପ ପ୍ରଦାନ କରିବାରେ କପିଳ ଦେବଙ୍କ ଆବିର୍ଭାବ ବଡ଼ ଯୋଗଦାନ ଦେଇଥିଲା। ଦୀର୍ଘ ୧୬ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ୧୯୮୩ ବିଶ୍ବକପ୍‌ ବିଜୟ ଭଳି ଶିଖର ଚଢ଼ିଥିଲା ଭାରତ ତାଙ୍କ ନେତୃତ୍ବରେ। ଏହା ପୂର୍ବରୁ ଓ ପରେ ଅନେକ ସ୍ମରଣୀୟ ସଫଳତାର କ୍ରିକେଟ୍ ବ୍ୟକ୍ତିତ୍ବ ସାଜିଥିଲେ କପିଳ ଦେବ। ଭାରତୀୟ କ୍ରିକେଟ୍ ଏକ ଅନିଶ୍ଚିତତା ଭିତରେ ଗତି କରୁଥିବା ବେଳେ ପେସ୍‌‌‌ ବୋଲରଙ୍କ ମଧ୍ୟରେ ଅଦୃଶ୍ୟ ଶକ୍ତି ଭାବେ ଅସାଧାରଣ ଗତି ଓ ଆକ୍ରମଣାତ୍ମକ ଭାବନା ଭରିଥିଲେ କପିଳ ଦେବ। ନିଜର ପ୍ରଥମ ଶୃଙ୍ଖଳାରେ ସେ ପ୍ରଭାବୀ ରହିନଥିଲେ। ୬୦ରୁ ଊର୍ଧ୍ବ ହାରରେ ନେଇଥିଲେ ମାତ୍ର ୭ ୱିକେଟ୍‌। ୱିକେଟ୍ ପିଛା ବ୍ୟୟ କରିଥିଲେ ୩୯ରୁ ଊର୍ଧ୍ବ ରନ୍‌।‌ ବୋଲିଂ ଅପେକ୍ଷା ବ୍ୟାଟିଂ ଭଲ ରହିଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟ୍ ମ୍ୟାଚ୍‌ରୁ ୧୬ ୱିକେଟ୍ ଦଖଲ ତାଙ୍କ ସ୍ବର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ୨୮ ୱିକେଟ୍ ଏବଂ ପାକିସ୍ତାନ ବିପକ୍ଷରେ ୬ ଟେଷ୍ଟ୍‌ରୁ ୩୨ ୱିକେଟ୍‌ ମଧ୍ୟ ତାଙ୍କୁ ଲମ୍ବା କ୍ୟାରିୟର୍ ଗଢ଼ିବାର ଭିତ୍ତି ପ୍ରଦାନ କରିଥିଲା।

ଟେଷ୍ଟ୍‌ କ୍ରିକେଟ୍‌
କପିଳ ଦେବଙ୍କ ଶାଣିତ ଗତି, ସ୍ବୟଂସମ୍ପୂର୍ଣ୍ଣ ଆଉଟ୍‌ ସୁଇଙ୍ଗ୍‌ ହିଁ ତାଙ୍କୁ ଦ୍ରୁତ ବେଗରେ ୱିକେଟ୍‌ ପ୍ରଦାନ କରି ଚାଲିଥିଲା। ୧୯୭୯ରୁ ୧୯୮୩ ମସିହା ମଧ୍ୟରେ ସେ ଖେଳିଥିବା ୧୩ଟି ଟେଷ୍ଟ ଶୃଙ୍ଖଳାରେ ତାଙ୍କ ହାରାହାରି ମାତ୍ର ୩ ଥର ୩୨ ଉପରକୁ ଯାଇଥିଲା, ୭ଟିରେ ହାରାହାରି ୨୬ ତଳେ ରହିଥିଲା। ଏହି ସମୟରେ ମଧ୍ୟ ଟେଷ୍ଟ୍ ପିଛା ସେ ୪ ୱିକେଟ୍‌ ନେଉଥିଲେ ଏବଂ ୫୨ ଟେଷ୍ଟ୍ ଭିତରେ ୧୭ ଥର ୫ ୱିକେଟ୍ ସଫଳତା ହାସଲ କରିସାରିଥିଲେ। ଖେଳ ଜୀବନର ଶେଷ ୬୯‌‌ ଟେଷ୍ଟ୍‌‌ରେ ସେ କମ୍‌ ପ୍ରଭାବୀ ରହିଥିଲେ। ୱିକେଟ୍‌ ଦଖଲ କ୍ଷମତା କମି ଯାଇଥିଲା, ଟେଷ୍ଟ୍ ପିଛା ଏହା ୨.୭କୁ ହ୍ରାସ ପାଇଥିଲା। ୧୯୮୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ୱିକେଟଶୂନ୍ୟ ବି ରହିଥିଲେ। କିନ୍ତୁ ବ୍ୟାଟିଂ କ୍ରମେ ଅଧିକ ପ୍ରଷ୍ଫୁଟିତ ହୋଇଥିଲା। ବ୍ୟାଟିଂ ହାରାହାରି ବୋଲିଂ ହାରାହାରିକୁ ଅତିକ୍ରମ କରିଥିଲା। ନିଜର ଆଠଟି ଟେଷ୍ଟ୍ ଶତକ ମଧ୍ୟରୁ ପାଞ୍ଚଟି ଏହି ସମୟରେ ଆସିଥିଲା।

ଦିନିକିଆ କ୍ରିକେଟ୍‌
କପିଳ ଦେବଙ୍କ ଦିନିକିଆ ବୋଲିଂ ପ୍ରଦର୍ଶନ ଏବଂ ବିଶ୍ବ କ୍ରିକେଟ୍‌ରେ ଭାରତକୁ ଦୁଇ ପ୍ରମୁଖ ପ୍ରତିଯୋଗିତା ସଫଳତାର ସଂଯୋଗ ରହିଛି। ୧୯୮୩ ମେ’ରୁ ୧୯୮୬ ମାର୍ଚ ମଧ୍ୟରେ ଭାରତ ଯେତେବେ‌ଳେ ବିଶ୍ବକପ୍‌ ଏବଂ ବିଶ୍ବ ସିରିଜ୍ ଜିତିଥିଲା କପିଳ ଦେବ ବ୍ୟାଟିଂରେ ୩୧.୨୫ ହାର ଏବଂ‌ ବୋଲିଂରେ ୨୦.୩୯ ହାରର ପ୍ରଦର୍ଶନ ଦେଇଥିଲେ। ଏହି ଅବଧି ମଧ୍ୟରେ ୪୭ ଦିନିକିଆ ମ୍ୟାଚ୍‌ରୁ ୬୯ ୱିକେଟ୍ ନେଇଥିଲେ। ୧୯୯୦ ପ୍ରାରମ୍ଭ ପର୍ଯ୍ୟନ୍ତ ଏହା ପ୍ରଶଂସନୀୟ ରହିଥିଲା। ଖେଳ ଜୀବନର ଶେଷ କିଛି ବର୍ଷ ସେ ସଂଘର୍ଷ କରିଥିଲେ। ୩୬ ମ୍ୟାଚ୍‌ରୁ ବ୍ୟାଟିଂରେ ୧୩.୫୦ ଏବଂ ବୋଲିଂରେ ୩୭ ହାରରେ ଖେଳିଥିଲେ। ଏକମାତ୍ର ବଡ଼ କଥା ଥିଲା ସେ ନିଜର ଓଭର ପ୍ରତି ୪ ରନ୍‌ରୁ କମ୍‌ ମିତବ୍ୟୟକୁ ବଜାୟ ରଖିଥିଲେ। ଖେଳ ଜୀବନ ଆରମ୍ଭରୁ ମଧ୍ୟ କପିଳ ଦେବଙ୍କ ବ୍ୟାଟିଂ ଓ ବୋଲିଂ ହାରାହାରି ପାଖାପାଖି ରହୁଥିଲା। ଶେଷ ଭାଗକୁ କିନ୍ତୁ ଚିନ୍ତାଜନକ ଭାବେ କମିଯାଇଥିଲା।

ପେସ୍‌ ବୋଲର ସାଥୀବିହୀନ
କପିଳ ଦେବ ଖେଳିଥିବା ୧୩୧ ଟେଷ୍ଟ୍ ମଧ୍ୟରୁ ଭାରତ ମାତ୍ର ୨୪ଟି ଜିତିଥିଲା। ଯାହା ଦର୍ଶାଉଛି ଦଳଗତ ସାମର୍ଥ୍ୟରେ ଅଭାବ ରହିଥିଲା। ଖେଳ ଜୀବନସାରା କପିଳ ଦେବଙ୍କୁ ଅନ୍ୟ ପାର୍ଶ୍ବରୁ ବୋଲିଂ ସାମର୍ଥ୍ୟର ସାଥୀ ମିଳିନଥିଲେ। କେବଳ ଏହି କାରଣରୁ ସେ କେବଳ ବିଦେଶ ମାଟିରେ ମାତ୍ର ୪ଟି ବିଜୟ ଆଣିପାରିଥିଲେ। ୧୯୮୬ ଇଂଲଣ୍ଡ୍ ବିପକ୍ଷ ଶୃଙ୍ଖଳାରୁ ଦୁଇଟି ବିଜୟ ମିଳିଥିଲା। ଭାରତୀୟ ଦଳର ଟେଷ୍ଟ୍ ବିଜୟ ବେଳେ କପି‌ଳ ଦେବଙ୍କ ସାମଗ୍ରିକ ହାରାହାରି ରହିଛି ୧୮.୩୦। ଯାହାକି ବିଜୟ ବେଳେ ଅନ୍ୟୁନ ୫୦ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ଏରାପଲ୍ଲୀ ପ୍ରସନ୍ନା ଓ ବିଶନ ସିଂହ ବେଦୀଙ୍କ ପରେ ତୃତୀୟ ସ୍ଥାନରେ ରହିଛି। ଉପରୋକ୍ତ ୨୪ ବିଜୟରୁ କପିଳ ଦେବ ୯୦ ୱିକେଟ୍ ନେଇଥିଲେ। ଯାହାକି ତାଙ୍କ ଟେଷ୍ଟ୍ ପିଛା ୪ ୱିକେଟ୍‌ଠାରୁ କମ୍‌, ଅର୍ଥାତ୍‌ ସ୍ପିନରମାନେ ହିଁ ଘରୋଇ ମାଟିରେ ପ୍ରଭାବୀ ରହିଥିଲେ।

ଉପଯୋଗୀ ବ୍ୟାଟିଂ, ମିତବ୍ୟୟୀ ବୋଲିଂ
ଜଣେ ଦକ୍ଷ ବୋଲର ବ୍ୟତୀତ ନିମ୍ନକ୍ରମରେ କପିଳ ଦେବ ଜଣେ ଉପଯୋଗୀ ବ୍ୟାଟସମ୍ୟାନ୍‌ ବି ରହିଥିଲେ। ଖେଳ ଜୀବନସାରା ସେ ପ୍ରାୟତଃ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। ହାରାହାରି ୩୧ରୁ ଉପରେ ରଖିଛନ୍ତି।, କିନ୍ତୁ ୮ ନମ୍ବରରେ ବ୍ୟାଟିଂ କରିଥିବା ୫୮ ଥର ତାଙ୍କୁ ପ୍ରମୁଖ ସ୍ଥାନରେ ରଖିଛି। ଏହି ସ୍ଥାନରେ ଅନ୍ୟୁନ ୪୦ ପାଳି ଖେଳିଥିବା ତାଙ୍କ ହାରାହାରିଠାରୁ ମାତ୍ର ଦୁଇ ଜଣ ଡାନିଏଲ୍ ଭିଟୋରି ଓ ମାର୍କ ବାଉଚର୍ ଆଗରେ ରହିଛନ୍ତି। ଦିନିକିଆ କ୍ରିକେଟ୍‌ ଅସାଧାରଣ ଶିଖରକୁ ଉଠିବା ସମୟରେ କପିଳ ଦେବ ଖେଳିନଥିଲେ ମଧ୍ୟ ତାଙ୍କ ଦିନିକିଆ ମିତବ୍ୟୟୀ ହାର ଉଲ୍ଲେଖନୀୟ ରହିଛି। ଅନ୍ୟୁନ ୫ ଓଭର ବୋଲିଂ କରି ସେ ଖେଳିଥିବା ୨୧୨ ମ୍ୟାଚ୍‌ରେ ସେ ଓଭର ପିଛା ମାତ୍ର ୩ରୁ କମ୍ ରନ୍‌ ଦେଇଥିଲେ। ୧୯୮୯ରେ କପିଳ ଦେବ ପୋର୍ଟ ଅଫ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭ ଓଭରରେ ମାତ୍ର ୪ ରନ୍ ଦେଇଥିଲେ, ଘରୋଇ ଦଳ କିନ୍ତୁ ସହଜରେ ମ୍ୟାଚ୍‌ ଜିତିଯାଇଥିଲା। ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓଭରରେ ମାତ୍ର ୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହି ୨ ଥର ସେ ଓଭର ପିଛା ୧ ରନ୍‌ରୁ କମ୍ ବ୍ୟୟ କରିଥିଲେ। ଅନ୍ୟପକ୍ଷରେ ଏକ କାଣ୍ଟଛାଣ୍ଟ୍ ମ୍ୟାଚ୍‌ରେ ଲାହୋରଠାରେ ପାକିସ୍ତାନ ବିପକ୍ଷରେ ୭ ଓଭରରେ ୭୩ ରନ୍ ବ୍ୟୟ କରିବାର ଅଲୋଡ଼ା ପ୍ରଦର୍ଶନ ତାଙ୍କ ନାମରେ ଥିଲା।

ସମ୍ବନ୍ଧିତ ଖବର