ଭୁବନେଶ୍ବର : ଓଡ଼ିଶାର ଜଣାଶୁଣା ଅନ୍ତର୍ଜାତୀୟ ଚେସ୍ ଖେଳାଳି ତଥା ଅନ୍ତର୍ଜାତୀୟ ଆର୍ବିଟର୍ ଅପରାଜିତା ଗୋଚ୍ଛିକାରଙ୍କୁ ଫିଡେ ଦୁଇଟି ଫ୍ଲେୟାର ପ୍ଲେ ନର୍ମ ପ୍ରଦାନ କରିଛି। ଗତବର୍ଷ ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ୍ରେ ଫେୟାର ପ୍ଲେ କମିଟି ଦାୟିତ୍ବରେ ଥିବା ଅପରାଜିତା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଫିଡେ ଦ୍ବାରା ପ୍ରଶଂସିତ ହୋଇଥିଲେ।
ଗତ ମାସରେ ମେକ୍ସିକୋ ସିଟିରେ ଅନୁଷ୍ଠିତ ପ୍ରଥମ ଫିଡେ କାଉନସିଲ୍ ବୈଠକ ଶେଷରେ ଅପରାଜିତାଙ୍କୁ ଫିଡେର ଦୁଇ ଫେୟାର ପ୍ଲେ ନର୍ମ ପ୍ରଦାନ କରାଯାଇଛି। ଏହାପରେ ଅପରାଜିତାଙ୍କୁ ସର୍ବଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ଏହାର ଫେୟାର ପ୍ଲେ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ପ୍ରଥମ ଭାରତୀୟ ମହିଳା ଭାବେ ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ନିଖିଳ ଓଡ଼ିଶା ଚେସ୍ ସଂଘ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏବଂ ସମ୍ପାଦକ ଦେବବ୍ରତ ଭଟ୍ଟ ଅଭିନନ୍ଦନ ଜଣାଇଛନ୍ତି।