ଅରବିନ୍ଦ ସ୍ମାରକୀ କ୍ରିକେଟ୍‌ ସେମିରେ ପାରାମାଉଣ୍ଟ୍‌

ଭୁବନେଶ୍ବର: ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସୁଦର୍ଶନ ସ୍ବାଇଁ (୧୫୫ ରନ୍‌, ୧୧୬ ବଲ୍‌, ୨୨ ଚୌକା, ୨ ଛକା)ଙ୍କ ଦ୍ରୁତ ଶତକ ସହାୟତାରେ ପାରାମାଉଣ୍ଟ୍‌ (କ) ଦଳ ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଶୁକ୍ରବାର ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୨୧୦ ରନ୍‌ର ବଡ଼ ବ୍ୟବଧାନରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)କୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ପାରାମାଉଣ୍ଟ୍‌ ଉପଅଧିନାୟକ ସୁଦର୍ଶନଙ୍କ ଶତକ ସାଙ୍ଗକୁ ବିଦ୍ୟାଧର ବେହେରାଙ୍କ ୪୦ ଓ ବିଭୁଦତ୍ତ ଦାସଙ୍କ ୨୨ ରନ୍‌ ବଳରେ ନିର୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ କରିଥିଲା ୨୮୬ ରନ୍‌। ଗଗ୍‌ନେସ ସାହୁ ଏମ୍‌ସିସିର ସଫଳ ବୋଲର ଭା‌ବେ ୨ ୱିକେଟ୍‌ ପାଇଥିଲେ। ଜବାବରେ ବିଭୁଦତ୍ତ ଦାସ ୩, ସ୍ବୟମ୍‌ ସାର୍ଥକ ରାଉତରାୟ ଓ ରୀତେଶ ପ୍ରିୟରଞ୍ଜନ ୨ ଲେଖାଏଁ ୱିକେଟ୍‌ ଦଖଲ କରିନେବାରୁ ୩୩.୪ ଓଭରରେ ଏମ୍‌ସିସି ମାତ୍ର ୭୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। କରଣ ମହାପାତ୍ର (୧୯), ବିଭାଂଶୁ ଶେଖର ରାୟ (୧୮) ଓ ତୁଷାର ଦେ (୧୬) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଚିତାକର୍ଷକ ଶତକ ପାଇଁ ସୁଦର୍ଶନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଶିବାଶିଷ ମଲ୍ଲିକ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ବିବେଚିତ ହୋଇଥିଲେ। କ୍ଲବ୍‌ର ପୂର୍ବତନ ଖେଳାଳି ତଥା ପ୍ରଶାସକ ଶାନ୍ତନୁ ମିଶ୍ର ଅତିଥି ଭାବେ ଯୋଗଦେଇ ଉଭୟଙ୍କୁ ପୁରସ୍କୃତ କରିଥିଲେ। ପ୍ରଦୀପ ଜେନା ଓ ସୁଶାନ୍ତ ଦାସ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସ୍କୋରର୍‌ ଥିଲେ ଜିତେନ୍ଦ୍ର କୁମାର ସେନାପତି। ଆସନ୍ତାକାଲି ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ରାମେଶ୍ବର ସ୍ପୋର୍ଟିଂ ଓ ଜୁଭେନାଇଲ୍‌ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର