ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ପାରାମାଉଣ୍ଟ୍ ସ୍ପୋର୍ଟିଂ ଆନୁକୂଲ୍ୟରେ ଅରବିନ୍ଦ ସ୍ମାରକୀ (୧୫ ବର୍ଷରୁ କମ୍) ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ମାର୍ଚ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ପୂର୍ବବର୍ଷ ଭଳି ବଛାବଛା ୧୨ ଦଳ ଭାଗ ନେଉଥିଲା ବେଳେ ବିଜେତାକୁ ୨୦,୦୦୦ ଓ ଉପବିଜେତାକୁ ୧୦,୦୦୦ ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି, ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସାଙ୍ଗକୁ ଶ୍ରେଷ୍ଠ ବୋଲର ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଶ୍ରେଷ୍ଠ ୱିକେଟ୍ରକ୍ଷକ ଏବଂ ଶୃଙ୍ଖଳିତ ଦଳକୁ ପୁରସ୍କୃତ କରାଯିବାର ନିଷ୍ପତ୍ତି ନିଆଯାଇଛି। ଭାଗ ନେଉଥିବା ଦଳଗୁଡ଼ିକ ହେଲେ ଭୁବନେଶ୍ବରର ସହିଦ ସ୍ପୋର୍ଟିଂ, ପାରାମାଉଣ୍ଟ୍ (କ) ଓ ପାରାମାଉଣ୍ଟ୍ (ଖ), ପ୍ରଗତି ସ୍ପୋର୍ଟିଂ, ଓସ୍କାର ସ୍ପୋର୍ଟିଂ, ରାମେଶ୍ବର ସ୍ପୋର୍ଟିଂ, ଗ୍ରିନ୍ କ୍ଲବ୍, କଟକର ଜୁଭେନାଇଲ୍ କ୍ରିକେଟ୍ ଏକାଡେମି, ୟୁନିଅନ୍ ସ୍ପୋର୍ଟିଂ, ବିଶ୍ବଭାରତୀ ଏବଂ ନିମପୁର କ୍ରିକେଟ୍ ଏକାଡେମି। ତେବେ ଏଥର ନୂଆ କରି ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଟର୍ଫ ପିଚ୍ରେ ଖେଳାଯିବ। ପେସାଦାର ଢଙ୍ଗରେ ଏବଂ ଆଇସିସି ନିୟମ ମୁତାବକ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ। ଗତବର୍ଷ ପ୍ରଥମ ଥର ପାଇଁ ଟର୍ଫ ପିଚ୍ ବ୍ୟବହାର ହୋଇଥିଲେ ମଧ୍ୟ କେବଳ ଫାଇନାଲ୍ ମ୍ୟାଚ୍ ହିଁ ଏଥିରେ ଖେଳାଯାଇଥିଲା। ବିଗତ ବର୍ଷମାନଙ୍କରେ ୧୪, ୧୬ ଓ ୧୯ ବର୍ଷରୁ କମ୍ ସାଙ୍ଗକୁ ବରିଷ୍ଠ ଦଳକୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିସାରିଥିବା ପାରାମାଉଣ୍ଟ୍ ସ୍ପୋର୍ଟିଂ ଅନେକ ପ୍ରତିଭାଙ୍କୁ ରାଜ୍ୟର ବିଭିନ୍ନ ଦଳକୁ ଭେଟିଦେଇଛି। ସେମାନଙ୍କ ମଧ୍ୟରେ ୨୩ ବର୍ଷରୁ କମ୍ ଦଳର ଅଧିନାୟକ ଦେବାଶିଷ ସାମନ୍ତରାୟ, ଅଂଶୁମାନ ସାହୁ, ସୁଦର୍ଶନ ସ୍ବାଇଁ, ସାଇ ଶୁଭମ୍, ୧୬ ବର୍ଷରୁ କମ୍ରେ ଆଶୁତୋଷ ନାୟକ ଏବଂ ୧୯ ବର୍ଷରୁ କମ୍ରେ ମିନାଲ୍ ପରିଡ଼ାଙ୍କ ଭଳି ଖେଳାଳି ରାଜ୍ୟସ୍ତରରେ ବେଶ୍ ସୁନାମ ବୃଦ୍ଧି କରିଛନ୍ତି। ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ର ସଭାପତି ପ୍ରତାପ ଜେନା, ଉପସଭାପତି ଅମର ମହାପାତ୍ର, ସଂପାଦକ ଅଶୋକ ପାତ୍ର, କୋଷାଧ୍ୟକ୍ଷ ସଂଜୀବ ରଥ, ପ୍ରଶିକ୍ଷକ ମହମ୍ମଦ ଆଜାଦ୍ ପ୍ରମୁଖ ଚଳିତ ବର୍ଷର ଅରବିନ୍ଦ ସ୍ମାରକୀ ପ୍ରତିଯୋଗିତା ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ମାର୍ଚ ୩ ତାରିଖ ଉଦ୍ଘାଟନୀ ଦିବସରେ ପାରାମାଉଣ୍ଟ୍ (ବି) ଓ ଓସ୍କାର ମୁହାଁମୁହିଁ ହେବେ। ପ୍ରିକ୍ବାର୍ଟର ଫାଇନାଲ୍ରୁ ସୂଚୀ ଆରମ୍ଭ ହେବ।