ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌: ସେମିଫାଇନାଲ୍‌ରେ ରାମେଶ୍ବର

ଭୁବନେଶ୍ବର: ରାମେଶ୍ବର ସ୍ପୋର୍ଟିଂ ଦ୍ବିତୀୟ ଦଳ ଭାବେ ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ଶନିବାର କ୍ବାର୍ଟର ଫାଇନାଲ୍‌ରେ ଏହି ଭୁବନେଶ୍ବର ଦଳ ୪ ୱି‌କେଟ୍‌ରେ କଟକର ଜୁଭେନାଇଲ୍‌ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଜୁଭେନାଇଲ୍‌ ୪୦ ଓଭରରେ ୧୫୩ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଆଶୀର୍ବାଦ ସ୍ବାଇଁ ୩୮, ଶିବ ସୁନ୍ଦର ଦାସ ୨୫ ଓ ଦୀପ୍ତାଂଶୁ ଦାସ ୨୩ ରନ୍‌ କରିଥିଲା ବେଳେ ରାମେଶ୍ବର ପକ୍ଷରୁ ଆଶୁତୋଷ ସାହୁ ୩ ଓ ପ୍ରତୀକ ସ୍ବାଇଁ ୨ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଗୌତମ ଗୋପାଳ (୫୬)ଙ୍କ ଅର୍ଧଶତକ ସାଙ୍ଗକୁ ଆଶୁତୋଷ ସାହୁଙ୍କ ୪୭ ରନ୍‌ ବଳରେ ରାମେଶ୍ବର ୩୪.୨ ଓଭରରେ ୬ ୱିକେଟ୍‌ ବିନିମୟରେ ବିଜୟ ହାସଲ କରିନେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଜୟୀ ଦଳର ଆଶୁତୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାରାମାଉଣ୍ଟ୍‌ କ୍ଲବ୍‌ର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଆଇଏଏସ୍‌ ଡ. କେସି ପାତ୍ର ପ୍ରଦାନ କରିଥିଲେ। ସାଇ ପାତ୍ରଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ମଧ୍ୟ ମିଳିଥିଲା। ସୁଶାନ୍ତ ଦାସ ଓ ଦିଲିପ ସାମଲ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସ୍କୋରର୍‌ ଥିଲେ ରଶ୍ମି ମଲ୍ଲ ଓ ଚିନ୍ମୟ। ଆସନ୍ତାକାଲି ତୃତୀୟ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ୟୁନିଅନ୍‌ ସ୍ପୋର୍ଟିଂ (କଟକ) ଓ ଓସ୍କାର ସ୍ପୋର୍ଟିଂ (ଭୁବନେଶ୍ବର) ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର