ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌:କ୍ୱାର୍ଟରରେ ଦିଲ୍ଲୀର ଏମ୍‌ସିସିଏ

ଭୁବନେଶ୍ୱର: ଦିଲ୍ଲୀର ମଦନଲାଲ ଓ ଚେତନ ଚୌହାନ୍‌ ଏକାଡେମି ୯ ଓ୍ଵିକେଟ୍‌ର ଏକତରଫା ବିଜୟ ସହ ସପ୍ତମ ଦଳ ଭାବେ ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ସପ୍ତମ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଦିଲ୍ଲୀ ଦଳ କଟକର ବିଶ୍ୱଭାରତୀ କ୍ଲବ୍‌କୁ ପରାସ୍ତ କରିଦେଇଛି।
ଟସ୍‌ ଜିତି ବିଶ୍ୱଭାରତୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦିଲ୍ଲୀ ଦଳର ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ନିକଟରେ ବେଶି ସମୟ ତିଷ୍ଠି ପାରିନଥିଲା। ମଦନଲାଲ ଓ ଚେତନ ଚୌହାନ୍‌ ଏକାଡେମି ପକ୍ଷରୁ ଘାତକ ବୋଲିଂ କରି ଭବ୍ୟ ଚୌଧୁରୀ ୫ ଓଭରରେ ୧୫ ରନ୍‌ ଦେଇ ୩, ମହମ୍ମଦ ଉମର ୮ ଓଭରରେ ୨୩ ରନ୍‌ ଦେଇ ୨ ଏବଂ ରାହୁଲ୍‌ କୁମାର ଇନ୍ଦୋରା ୮ ଓଭରରେ ୨୫ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଫଳରେ ବିଶ୍ୱଭାରତୀ ୩୯.୪ ଓଭରରେ ୧୨୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରଶ୍ମିରଞ୍ଜନ ଷଡ଼ଙ୍ଗୀ (୩୮), ମହମ୍ମଦ ଜିସାନ୍‌ (୨୫) ଓ ଅବିନାଶ ପ୍ରୀତିରାଜ୍‌ (୧୩) କେବଳ ଦୁଇ ଅଙ୍କ ଅତିକ୍ରମ କରିଥିଲେ। ଜବାବରେ ଅଲ୍‌ରାଉଣ୍ଡର ଭବ୍ୟ ଚୌଧୁରୀ (୬୩*)ଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ଭଂଶ ସେଠୀଙ୍କ ଅପରାଜିତ ୨୮ ଓ ଧ୍ରୁବ ମହାପାତ୍ରଙ୍କ ୨୪ ରନ୍‌ ବଳରେ ଏମ୍‌ସିସିଏ (ଦିଲ୍ଲୀ) ମାତ୍ର ୧୫.୩ ଓଭରରେ ଗୋଟିଏ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୧୨୩ରେ ପହଞ୍ଚି ଯାଇଥିଲା। ପ୍ରୀତମ୍‌ କୁମାର ଦାସ ଏକମାତ୍ର ଓ୍ଵିକେଟ୍‌ଟି ପାଇଥିଲେ। ଭବ୍ୟ ଚୌଧୁରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ତାଙ୍କୁ ଓଡ଼ିଶାର ପୂର୍ବତନ ରଣଜୀ ତାରକା ଗୁର୍‌ଜିତ୍‌ ସିଂହ ଚୌହାନ୍‌ ଏବଂ ବିଜେବି ନଗର ପିପୁଲ୍‌ସ ଆସୋସିଏସନ୍‌ ସଭାପତି ରଘୁନାଥ ମିଶ୍ର ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ। ଶରତ ସାହୁ ଓ ରଞ୍ଜିତ୍‌ ମହାରଣା ମ୍ୟାଚ୍‌ ପରିଚାଳନା କରିଥିଲେ। ସମ୍ପଦ ପଟ୍ଟନାୟକ ମ୍ୟାଚ୍‌ ରେଫରି ରହିଥିଲେ। ଅଷ୍ଟମ ତଥା ଶେଷ ପ୍ରି-କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର