ଅରବିନ୍ଦ ସ୍ମାରକୀ ସେମିରେ ନୈହାଟୀ

ଭୁବନେଶ୍ୱର: ବେଙ୍ଗଲର ନୈହାଟୀ ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ଏଠାରେ ଚାଲିଥିବା ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଶନିବାର ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ଏହି ବେଙ୍ଗଲ ଦଳ ୬ ଓ୍ଵିକେଟ୍‌ରେ ଦିଲ୍ଲୀ ଷ୍ଟ୍ରାଇକର୍ସ (ମଦନଲାଲ ଓ ଚେତନ ଚୌହାନ୍‌ ଏକାଡେମି)କୁ ପରାସ୍ତ କରିଛି। ଟସ୍‌ ଜିତି ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ସୁମନ ସେଠୀ (୭-୦-୨୪-୩), ଆକାଶ ସର୍‌କାର (୮-୦-୩୨-୩) ଏବଂ ସୂରଜ ଯାଦବ (୮-୨-୧୪-୨)ଙ୍କ ଚମତ୍କାର ବୋଲିଂ ନିକଟରେ ତିଷ୍ଠିନପାରି ଦିଲ୍ଲୀ ଦଳ ୩୬ ଓଭରରେ ୧୩୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଭଂଶ ସେଠୀ (୩୫), ନିଖିଳ ତନ୍‌ଓ୍ଵର (୨୬), ଓଡ଼ିଆ ପୁଅ ଧ୍ରୁବ ମହାପାତ୍ର (୧୧) ଓ ରାହୁଲ୍‌ ଇନ୍ଦୋରା (୧୧)ଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଜବାବରେ ଅଲ୍‌ରାଉଣ୍ଡର ସୂରଜ ଯାଦବଙ୍କ ୩୧, ଆକାଶ ସର୍‌କାରଙ୍କ ୨୭ ଓ ଦୀପନ୍‌ ଘୋଷଙ୍କ ୨୪ ରନ୍‌ ବଳରେ ବେଙ୍ଗଲ ଦଳ ୨୫.୧ ଓଭରରେ ୪ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଦିଲ୍ଲୀ ଦଳର ରାହୁଲ୍‌ ଇନ୍ଦୋରା ୩ ଓ୍ଵିକେଟ୍‌ ପାଇଥିଲେ। ବିଜୟୀ ଦଳର ସୂରଜ ଯାଦବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଭୁବନେଶ୍ୱର ବିଡିଓ ସାନ୍ତନୁ ମହାନ୍ତି ଅତିଥି ଭାବେ ଯୋଗଦେଇ ସୂରଜଙ୍କୁ ପୁରସ୍କୃତ କରିଥିଲେ। ଅଜୟ ନାୟକ ଓ ରଞ୍ଜିତ ମହାରଣା ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ରଶ୍ମିରଞ୍ଜନ ମହାନ୍ତି ମ୍ୟାଚ୍‌ ରେଫରି ରହିଥିଲେ। ରବିବାର ଭୁବନେଶ୍ୱରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ-ଏ ଓ କଟକର ୟୁନିୟନ୍‌ ସ୍ପୋର୍ଟିଂ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର