ଭୁବନେଶ୍ବର : ଚେସ୍‌ ଭୀଷ୍ଣ ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆଇଆଇଜି ସ୍ପୋର୍ଟସ ଏବଂ ଆରତୀ ୬୪ ସ୍କୋୟାର୍ସ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଚେସ୍‌ ପ୍ରତିଯୋଗିତାର ଦ୍ବିତୀୟ ଦିବସ ସୁଦ୍ଧା ୭ଜଣ ଖେଳାଳି ପୂରା ୪ ପଏଣ୍ଟ ପାଇ ମିଳିତ ଶୀର୍ଷରେ ରହିଛନ୍ତି। ଏହି ୭ ଜଣଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଖେଳାଳି ରହିଥିବା ସବୁଠାରୁ ଉଲ୍ଲେଖନୀୟ। କୌସ୍ତଭ ଦାଶ, ପ୍ରିୟାଂଶ ଦାସ, ଉତ୍କଳ ରଂଜନ ସାହୁ, ସାଗର ସଙ୍କେତ ଦାଶ, ସୁ‌ଶୋଭିତ ଦାସ, ତପନ ବଡ଼ମୁଣ୍ଡିଙ୍କ ସହ ବେଙ୍ଗଲର ଉଦ୍ଦୀପନ ରୟ ସାମିଲ ଅଛନ୍ତି।

Advertisment

ଚତୁର୍ଥ ରାଉଣ୍ଡ ସୁଦ୍ଧା ୩.୫ ପଏଣ୍ଟ ଲେଖାଏଁ ପାଇ ୮ ଜଣ ମିଳିତ ଦ୍ବିତୀୟ ସ୍ଥାନରେ ଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ-ସାଗର ବିଶ୍ବାଳ, ଶ୍ରୀୟାଂଶ ଦାସ, ଫକିର ମାଝୀ, ନିଲସୁ ପଟ୍ଟନାୟକ, ମନୋଜ ପାଣିଗ୍ରାହୀ ରହିଛନ୍ତି। ୩୨ ଜଣ ଖେଳାଳି ପ୍ରତ୍ୟେକ ୩ ପଏଣ୍ଟ ଲେଖାଏଁ ପାଇ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି। ଖୋର୍ଦ୍ଧା କେଟି ଗ୍ଲୋବାଲ୍ ସ୍କୁଲ୍‌ ପରିସରରେ ଚାଲିଥିବା ଏହି ପ୍ରତିଯୋଗିତାରେ ନିହାର ରଂଜନ ସାସମଲ ମୁଖ୍ୟ ଅର୍ବିଟର ଥିବାବେଳେ ଆଇଏ ଜ୍ୟୋତି ଶଙ୍କର ନନ୍ଦ, ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ତାପସ କୁମାର ମହାନ୍ତି ଆର୍ବିଟର ଦାୟିତ୍ବ ତୁଲାଉଛନ୍ତି। ଜଣେ ମହିଳା ଆର୍ବିଟର ଏସଏନଏ ପିଙ୍କି ମହାପାତ୍ର ମଧ୍ୟ ସେକ୍ଟର ଆର୍ବିଟର ଭାବେ କାର୍ଯ୍ୟ କରୁଛନ୍ତି।