ଭୁବନେଶ୍ବର: ଚେସ୍‌ ଭୀଷ୍ମ ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆଇଆଇଜି ସ୍ପୋର୍ଟସ ଏବଂ ଆରତୀ ୬୪ ସ୍କୋୟାର୍ସ ଫାଉଣ୍ଡେସନ୍ ପକ୍ଷରୁ ଖୋର୍ଦ୍ଧା କେଟି ଗ୍ଲୋବାଲ୍ ସ୍କୁଲ୍‌ ପରିସରରେ ଚାଲିଥିବା ସର୍ବଭାରତୀୟ ଚେସ୍‌ ପ୍ରତିଯୋଗିତାର ରବିବାର ତୃତୀୟ ଦିବସ ସୁଦ୍ଧା ୪ ଜଣ ଖେଳାଳି ୫.୫ ପଏଣ୍ଟ ଲେଖାଏଁ ସହ ମିଳିତ ଶୀର୍ଷରେ ରହିଛନ୍ତି। ତିନି ଦିନରେ ମୋଟ ୬ ରାଉଣ୍ଡ ଖେଳ ଶେଷ ହୋଇଥିଲା ବେଳେ ବେଙ୍ଗଲର ଉଦ୍ଦୀପନ ରୟଙ୍କ ସମେତ ୩ ଓଡ଼ିଆ ତପନ ବଡ଼ମୁଣ୍ଡି, ଉତ୍କଳ ରଞ୍ଜନ ସାହୁ ଓ ନିଲ୍‌ସୁ ପଟ୍ଟନାୟକ ସର୍ବାଧିକ ପଏଣ୍ଟ ସହ ଆଗରେ ରହିଛନ୍ତି।

Advertisment

ଏମାନଙ୍କ ପଛକୁ ୫ ପଏଣ୍ଟ ଲେଖାଏଁ ସହ ୯ ଖେଳାଳି ମିଳିତ ଦ୍ବିତୀୟରେ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଖେଳାଳି ରହିଥିବା ସବୁଠାରୁ ଉଲ୍ଲେଖନୀୟ। ବିଶେଷକରି ଓଡ଼ିଆ ତାରକା ସ୍ଥିତପ୍ରଜ୍ଞ ସାହୁ (ଖୋର୍ଦ୍ଧା, ୧୪୨୮ ରେଟିଂ) ନିଜଠୁ ଉଚ୍ଚ ରେଟିଂପ୍ରାପ୍ତ ଯାଜପୁରର ପ୍ରିୟାଂଶ ଦାସ (୧୭୬୩ ରେଟିଂ)ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିବା ମଧ୍ୟ ଅନ୍ୟତମ ଉଲ୍ଲେଖନୀୟ ଥିଲା। ଏହି ପ୍ରତିଯୋଗିତାରେ ନିହାର ରଂଜନ ସାସମଲ ମୁଖ୍ୟ ଅର୍ବିଟର ଥିବାବେଳେ ଆଇଏ ଜ୍ୟୋତି ଶଙ୍କର ନନ୍ଦ, ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ତାପସ କୁମାର ମହାନ୍ତି ଆର୍ବିଟର ଦାୟିତ୍ବ ତୁଲାଉଛନ୍ତି। ଜଣେ ମହିଳା ଆର୍ବିଟର ଏସଏନଏ ପିଙ୍କି ମହାପାତ୍ର ମଧ୍ୟ ସେକ୍ଟର ଆର୍ବିଟର ଭାବେ କାର୍ଯ୍ୟ କରୁଛନ୍ତି।