ଅଭ୍ୟାସକୁ ଓହ୍ଲାଇଲେ ଆର୍ଚର, ବର୍ନସ ଓ ଷ୍ଟୋକ୍ସ

ଟେଷ୍ଟ୍‌ ମାନ୍ୟତାରେ କୋହଲି ସ୍ଥିର, ପୂଜାରା ଷଷ୍ଠକୁ ଉନ୍ନୀତ

ଚେନ୍ନାଇ: ଦ୍ବିତୀୟ କୋଭିଡ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଇଂଲଣ୍ଡ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏବଂ ସଂରକ୍ଷିତ ୱିକେଟ୍ ରକ୍ଷକ ରୋରି ବର୍ନସ ଶନିବାର ପ୍ରଥମ ଥର ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ବିପକ୍ଷ ଚାରି ଟିକିଆ ଶୃଙ୍ଖଳା ଲାଗି ଏଠାରେ ପହଞ୍ଚିବା ପରେ ଗତ ୬ ଦିନ ହେବ ଏମାନେ ସଙ୍ଗରୋଧରେ ଥିଲେ। ଏହି ତିନି ଜଣ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡର ୨-୦ ମୂଳପୋଛ ବିଜୟ ହାସଲ କରିଥିବା ଇଂଲଣ୍ଡ ଦଳର ସଦସ୍ୟ ନଥି‌ଲେ ବରଂ ଇଂଲଣ୍ଡରୁ ସିଧାସଳଖ ଭାରତ ଆସିଥିଲେ। ତେବେ ସମସ୍ତ ଇଂଲଣ୍ଡ ଖେଳାଳିଙ୍କର ଦ୍ବିତୀୟ କୋଭିଡ୍ ପରୀକ୍ଷା ଶୁକ୍ରବାର କରାଯାଇଥିଲା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଇଂଲଣ୍ଡ ଦଳ ମିଳିତ ଭାବେ ଫେବ୍ରୁଆରି ୨ରେ ଅଭ୍ୟାସ ଆରମ୍ଭ କରିବ। ପ୍ରଥମ ଟେଷ୍ଟ୍ ଫେବ୍ରୁଆରି ୫ରୁ ସ୍ଥାନୀୟ ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଆରମ୍ଭ ହେବ।

ଫେବ୍ରୁଆରି ୧୧ରେ ପହଞ୍ଚିବେ କରନ
ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍‌ରୁ ବିଶ୍ରାମ ମିଳିଥିବା ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ ଫେବ୍ରୁଆରି ୧୧ରେ ଭାରତ ପହଞ୍ଚିବେ। ଇଂଲଣ୍ଡର ୨୦୧୮ ଭାରତ ଗସ୍ତରେ କରନ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ୟୁଏଇରେ ଆୟୋଜିତ ଆଇପିଏଲ୍-୧୩ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ। ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଦୁଇ ଟେଷ୍ଟ୍ ପାଇଁ ଦଳରେ ନଥିବାରୁ ସେ ହୁଏତ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଶେଷ ଦୁଇ ଟେଷ୍ଟ୍‌ରେ ଖେଳିପାରନ୍ତି। ଅହମ୍ମଦାବାଦରେ ଉଭୟ ଦଳ ମଧ୍ୟରେ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ୱିକେଟ୍ ରକ୍ଷକ ଜନି ବେୟାରଷ୍ଟୋ ମଧ୍ୟ ତୃତୀୟ ଏବଂ ଚତୁର୍ଥ ଟେଷ୍ଟ୍ ଲାଗି ଦଳ ସହ ଯୋଗଦେବେ ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଶନିବାର କହିଛି।

ଟେଷ୍ଟ୍‌ ମାନ୍ୟତାରେ କୋହଲି ସ୍ଥିର, ପୂଜାରା ଷଷ୍ଠକୁ ଉନ୍ନୀତ

ଦୁବାଇ, ୩୦ା୧: ଶନିବାର ପ୍ରକାଶିତ ଆଇସିସି ଟେଷ୍ଟ୍ ବ୍ୟା‌ଟ୍ସମ୍ୟାନ୍‌ ମାନ୍ୟତାରେ ଅଧିନାୟକ ବିରାଟ କୋହଲି ଭାରତର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବ୍ରିସବେନ୍ ଟେଷ୍ଟ୍‌ରେ ଲଢ଼ୁଆ ଅର୍ଧଶତକ ଅର୍ଜନ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠରେ ପହଞ୍ଚି ଯାଇଛନ୍ତି। କୋହଲି (୮୬୨) ଏବଂ ପୂଜାରା (୭୬୦)ଙ୍କ ଛଡ଼ା ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୭୪୮) ଶ୍ରେଷ୍ଠ ୧୦ରେ ଥିବା ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା ଯଥାକ୍ରମେ ତ୍ରୟୋଦଶ ଏବଂ ଅଷ୍ଟାଦଶ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ (୯୧୯) ପ୍ରଥମ ସ୍ଥାନରେ ଏବଂ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ (୮୯୧) ଓ ମାର୍ନସ ଲାବୁସେନ (୮୭୮) ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବୋଲର ମାନ୍ୟତାରେ ପ୍ୟାଟ୍ କମିନ୍ସ (୯୦୮) ପ୍ରଥମରେ ଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ବିନ (୭୬୦) ଅଷ୍ଟମ ଏବଂ ଯଶପ୍ରୀତ ବୁମ୍‌ରା (୭୫୭) ନବମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର