ଯୁବ ବିଶ୍ବ ଚାମ୍ପିଅନ୍‌ସିପ୍‌ ମୁକୁଟ ଲକ୍ଷ୍ୟରେ ତୀରନ୍ଦାଜ କୋ‌ମଲିକା

ରୋକ୍ଲ: ୧୮ ବର୍ଷରୁ କମ୍‌ ବିଶ୍ବ ବିଜୟିନୀ ତୀରନ୍ଦାଜ କୋ‌ମଲିକାବାରି ଗୁରୁବାର ଯୁବ ବିଶ୍ବକପ୍‌ ୨୧ ବର୍ଷରୁ କମ୍‌ ବର୍ଗର ରିକର୍ଭ ଫାଇନାଲ୍‌ରେ ପହଞ୍ଚି ଲଗାତାର ଦ୍ବିତୀୟ ମୁକୁଟ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସେମିଫାଇନାଲ୍‌ରେ ସେ ୬-୪ (୨୮-୨୭, ୨୫-୨୮, ୨୮-୨୬, ୨୫-୩୦, ୨୯-୨୫) ସେଟ୍‌ରେ ଆମେରିକାର କାସେ କଫ୍‌ହୋଲଡଙ୍କୁ ହରାଇଥିଲେ। ଦୁଇଟି ବାଇ ପାଇଥିବା କୋ‌ମଲିକାଏହା ପୂର୍ବରୁ ଜାପାନ୍‌ର ଜୁର ଶିବୁୟାଙ୍କୁ ୬-୪, କାଜଖସ୍ତାନର ଜିୟୋଦାଖୋନ ଅବ୍‌ଦୁସାତାରୋଭାଙ୍କୁ ୬-୦ରେ ଓ ଜାପାନର ମାଓ ୱାତାନବେଙ୍କୁ ୬-୫ରେ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଷଷ୍ଠ ମାନ୍ୟତାପ୍ରାପ୍ତ କୋ‌ମଲିକାରବିବାର ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ଏଲିଆ କାନାଲେସଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିଲେ କୋ‌ମଲିକାବିଶ୍ବର ଏକ ନମ୍ବର ଦୀପିକା କୁମାରୀଙ୍କ ସମକକ୍ଷ ହେବେ। ଦୀପିକା ଏକମାତ୍ର ‌ଭାରତୀୟ ଭାବେ ଉଭୟ କ୍ୟାଡେଟ୍‌ ଓ କନିଷ୍ଠ ବର୍ଗ (ଓଗ୍‌ଡେନ୍‌ ୨୦୦୯ ଓ ଲେଗନିକା ୨୦୧୧)ରେ ବିଜୟିନୀ ହେବାର ଗୌରବ ପାଇଛନ୍ତି।

୧୯ ବର୍ଷୀୟ କୋ‌ମଲିକା ଫାଇନାଲ୍‌ରେ ପହଞ୍ଚିବା ପରେ ଏହି ପ୍ରତିଯୋଗିତାରେ ଭାରତର ଦ୍ବିତୀୟ ପଦକ ପକ୍କା ହୋଇଛି। ତାଙ୍କ ପୂର୍ବରୁ ସାକ୍ଷୀ ଚୌଧୁରୀ କନଷ୍ଠ ମହିଳା କମ୍ପାଉଣ୍ଡ ଫାଇନାଲ୍‌ରେ ପହଞ୍ଚି ପ୍ରଥମ ପଦକ ପକ୍କା କରିଥିଲେ। ସାକ୍ଷୀଙ୍କ ସାଥୀ ଖେଳାଳି ଋଷଭ ଯାଦବ କାଂସ୍ୟ ପଦକ ଲାଗି ଖେଳିବେ। ସାକ୍ଷୀ ୧୪୪-୧୪୨ରେ ଆମେରିକାର ଆନ୍ନା ସ୍କାରବ୍ରୋଗ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ଫାଇନାଲ୍‌ରେ ସେ ‌କ୍ରୋଏସିଆର ଆମନ୍ଦା ମ୍ଲିନାରିକଙ୍କୁ ଭେଟିବେ। କନିଷ୍ଠ ବିଶ୍ବକପ୍‌‌ କମ୍ପାଉଣ୍ଡରେ ଭାରତୀୟ ଭାବେ ପଲ୍‌ଟନ ହାସ୍‌ଦା (ମେରଡା ୨୦୦୬) ଶେଷ ଥର ଲାଗି ବିଜେତା ହୋଇଥିଲେ। ସେମିଫାଇନାଲ୍‌ରେ ଋଷଭ ‌୧୪୬-୧୪୭ରେ ଇସ୍ତୋନିଆର ରବିନ ଜାମ୍‌ତାଙ୍କଠୁ ହାରି ଯାଇଥିଲେ। କାଂସ୍ୟ ମୁକାବିଲାରେ ସେ ମେକ୍ସିକୋର ସେବାସ୍ତିଆନ୍‌ ଗାର୍ସିଆଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର