ପ୍ରତ୍ୟାବର୍ତନରେ ଆର୍ଚର୍‌ଙ୍କ ଚମକ

ଲଣ୍ଡନ୍‌ : ଆହତ କାରଣରୁ ଦୀର୍ଘ ଦେଢ଼ ମାସ ହେବ କ୍ରିକେଟ୍‌ ପଡିଆରୁ ଦୂରେଇ ରହିଥିବା ଇଂଲିସ୍ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍‌କୁ ଫେରିଛନ୍ତି। ସସେକ୍ସ ପାଇଁ ସେ କାଉଣ୍ଟି ପ୍ରତିଯୋଗିତାରେ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟକୁ ପ୍ରତ୍ୟାବର୍ତନରେ ଚମକ ଛାଡ଼ିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା କେଣ୍ଟ୍ ବିପକ୍ଷ ମ୍ୟାଚ୍‌ରେ ୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ୧୩ ଓଭର ବୋଲିଂ କରି ୨୯ ରନ୍‌ ବିନିମୟରେ ଜାକ୍‌ କ୍ରଲି ଓ କେଣ୍ଟ ଅଧିନାୟକ ବେଲ୍‌ ଡ୍ରୁମଣ୍ଡ୍‌ଙ୍କ ୱିକେଟ୍‌ ଦଖଲ କରିଥିଲେ। ଫଳରେ କେଣ୍ଟ ପାଳି ୧୪୫ରେ ସୀମିତ ରହିଥିଲା।

୨୦୧୮ ମସିହା ସେପ୍ଟେମ୍ବର ପରେ ଏହା ଆର୍ଚରଙ୍କ ପ୍ରଥମ କାଉଣ୍ଟି ମ୍ୟାଚ୍‌। ଏହି ମ୍ୟାଚ୍‌ ମଧ୍ୟ ଆର୍ଚରଙ୍କ ପାଇଁ ଫିଟନେସ୍‌ ପ୍ରମାଣର ମାଧ୍ୟମ ହୋଇଛି। ‘‘ମୋ ଫିଟ୍‌ନେସ୍‌ ଚମତ୍କାର ରହିଛି। ମୁଁ ଭାବୁଛି, ବୋଲିଂ ଠିକ୍‌ଠାକ୍‌ ଅଛି’’ ବୋଲି ଆର୍ଚର କହିଛନ୍ତି। ଆହତ ପରବର୍ତୀ ଅସ୍ତ୍ରୋପଚାର କାରଣରୁ ଆର୍ଚର ମଧ୍ୟ ଆଇପିଏଲ୍‌ ଖେଳିପାରିନଥିଲେ। ଶେଷ ଥର ପାଇଁ ସେ ମାର୍ଚ୍ଚ ୨୦ ତାରିଖରେ ଭାରତ-ଇଂଲଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦-ରେ ଖେଳିଥିଲେ। ଜୁନ୍‌ ୨ ତାରିଖରୁ ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଥିବାରୁ ଜାତୀୟ ଦଳକୁ ପ୍ରତ୍ୟାବର୍ତନ ଲାଗି ଆର୍ଚରଙ୍କ ପାଇଁ କାଉଣ୍ଟି ପ୍ରତିଯୋଗିତା ସୁଯୋଗ ଆଣିଛି।

ସମ୍ବନ୍ଧିତ ଖବର