ନୂଆଦିଲ୍ଲୀ: କିଛି ଗୋରା ପୁଲିସଙ୍କ ବର୍ବରତାରେ ଆମେରିକାର କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ ଅକାଳରେ ମୃତ୍ୟୁ ବରଣ କରିବା ପରେ ସମଗ୍ର ବିଶ୍ବରେ ଏଥିନେଇ ବିରୋଧର ସ୍ବର ଉଠିଛି। ଶ୍ବେତାଙ୍ଗମାନେ ଅଣଶ୍ବେତାଙ୍ଗଙ୍କ ଉପରେ ହଜାର ହଜାର ବର୍ଷ ଧରି କରି ଆସୁଥିବା ଅତ୍ୟାଚାର ବିରୋଧରେ ଏବେ ଅଧିକାଂଶ ଦେଶରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ ହେଉଛି। ଏକବିଂଶ ଶତାବ୍ଦୀରେ ମଧ୍ୟ ବର୍ଣ୍ଣବୈଷମ୍ୟ, ଜାତିଆଣ ଭେଦଭାବ ଓ ଅସମାନତା ରହିଥିବା ମଧ୍ୟଏଥିରୁ ସ୍ପଷ୍ଟ ହୋଇଛି। ତେବେ ଏହି ହୀନ ଭାବନାରୁ କ୍ରିକେଟ୍ ମଧ୍ୟ ଦୂରେଇ ରହି ପାରିନାହିଁ। କ୍ରିକେଟ୍ ଉପରେ ବି ବର୍ଣ୍ଣବୈଷମ୍ୟର ସେହି କଳା ଛାୟା ପଡ଼ିଛି। କ୍ରିକେଟ୍ ଅନେକ ଥର ବର୍ଣ୍ଣବୈଷମ୍ୟର ୟର୍କରରେ ବୋଲ୍ଡ ହୋଇଛି। ୧୯୬୮ ମସିହାରେ ଇଂଲଣ୍ଡ କ୍ରିକେଟ୍ ଦଳ ବାସିଲ ଡି’ଓଲିଭୁଏରା ନାମକ ଜଣେ ମିଶ୍ରିତ ବର୍ଣ୍ଣ (ଭାରତ ଓ ପର୍ତ୍ତୁଗାଲ) ଖେଳାଳିଙ୍କୁ ନିଜ ଦଳରୁ କାଢ଼ି ଦେଇଥିଲା। ବିଭିନ୍ନ ଆଳ ଦେଖାଇ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ଦିଆଯାଇଥିଲା। ଶ୍ବେତାଙ୍ଗଙ୍କୁ ଅଗ୍ରାଧିକାର ଦେଉଥିବା ରଙ୍ଗଭେଦ ନୀତି ପାଇଁ ସତୁରିରୁ ନବେ ଦଶକ ପ୍ରଥମ ଭାଗ ପର୍ଯ୍ୟନ୍ତ ଦୀର୍ଘ ୨୨ ବର୍ଷ ଧରି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବାସନ୍ଦ ହୋଇଥିଲା। ନିକଟ ଅତୀତରେ କ୍ରିକେଟ୍ରେ ଘଟିଥିବା କେତେକ ବର୍ଣ୍ଣବୈଷମ୍ୟ ବିବାଦ ଉପରେ ଆସନ୍ତୁ ନଜର ପକାଇବା।
ଟୋନି ଗ୍ରେଗ୍ ବନାମ ୱେଷ୍ଟଇଣ୍ଡିଜ୍, ମେ’ ୧୯୭୬
‘‘ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ପେଟେଇ ପେଟେଇ ଚାଲନ୍ତୁ। ସେମାନେ ଯେତେବେଳେ ତଳେ ପଡ଼ିଯାଆନ୍ତି, ଏଭଳି ହିଁ କରନ୍ତି। ଆଉ ସେମାନଙ୍କୁ ମୁଁ ସେହି ଅବସ୍ଥାରେ ଦେଖିବାକୁ ଚାହୁଁଛି।’’ ୧୯୭୬ ମସିହାରେ ଇଂଲଣ୍ଡ କ୍ରିକେଟ୍ ଦଳର ତତ୍କାଳୀନ ଅଧିନାୟକ ଟୋନି ଗ୍ରେଗ୍ ଏଭଳି ମନ୍ତବ୍ୟ ଦେବା ପରେ ସମଗ୍ର କ୍ରିକେଟ୍ ଜଗତରେ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରେଗ୍ ତାଙ୍କ ମନ୍ତବ୍ୟରେ ବ୍ୟବହାର କରିଥିବା ‘ଗ୍ରୋଭେଲ’ ଶବ୍ଦ (ଯାହାର ଅର୍ଥ ହେଉଛି ଅନ୍ୟ ଜଣକୁ ନୀଚ ଦେଖାଇବା)କୁ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ସହଜରେ ଗ୍ରହଣ କରି ନଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷ୍ଣକାୟ କ୍ରୀତଦାସଙ୍କ ବଂଶଧର ହୋଇଥିଲା ବେଳେ ଏହି ଶବ୍ଦକୁ ୱେଷ୍ଟଇଣ୍ଡିଜ୍ରେ ଏକ ଗାଳି ଭାବେ ବିବେଚନା କରାଯାଏ। ସେହି ସମୟରେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ରଙ୍ଗଭେଦ ନୀତିକୁ ନେଇ ସମଗ୍ର ବିଶ୍ବରେ ବିରୋଧ ଓ ବିକ୍ଷୋଭ ଚାଲିଥିଲା। ସେଥିପାଇଁ ଦକ୍ଷିଣ ଆଫ୍ରିକାର ମୂଳ ଅଧିବାସୀ ଗ୍ରେଗ୍ ଚାପେଲଙ୍କ ଏଭଳି ମନ୍ତବ୍ୟକୁ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ କଡ଼ା ସମାଲୋଚନା ଓ ନିନ୍ଦା କରିଥିଲେ। ଢେର କିଛି ଦିନ ପରେ ଯାଇ ଏହି ବିବାଦ ଶାନ୍ତ ପଡ଼ିଥିଲା।
The Sun
ଆମଲାଙ୍କୁ ଜୋନ୍ସଙ୍କ ଉଗ୍ରବାଦୀ ସମ୍ବୋଧନ, ଅଗଷ୍ଟ ୨୦୦୬
୨୦୦୬ ମସିହା ଅଗଷ୍ଟ ମାସରେ କ୍ରିକେଟ୍ ଜଗତରେ ଆଉ ଏକ ବଡ଼ ବିବାଦର ସୂତ୍ରପାତ ହୋଇଥିଲା, ଯେତେବେଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଡିନ୍ ଜୋନ୍ସ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ ହାସିମ ଆମଲାଙ୍କୁ ଉଗ୍ରବାଦୀ ସମ୍ବୋଧନ କରିଥିଲେ। କଲମ୍ବୋରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ୍ ମ୍ୟାଚ୍ ଖେଳ ଚାଲିଥିଲା ବେଳେ ଭାଷ୍ୟକାର ବକ୍ସରେ ଥାଇ ଜୋନ୍ସ ଏଭଳି ବିବାଦୀୟ କଥା କହିଥିଲେ। ଜଣେ ସଚ୍ଚା ମୁସଲିମ୍ ଭାବେ ପରିଚିତ ଆମଲା ଶ୍ରୀଲଙ୍କା ୱିକେଟ୍ରକ୍ଷକ କୁମାରସାଙ୍ଗାକାରାଙ୍କ କ୍ୟାଚ୍ ନେଇ ତାଙ୍କୁ ପ୍ୟାଭିଲିୟନ ବାହାରୁ ପଠାଇ ଦେଇଥିଲେ। ଠିକ୍ ସେତିକି ବେଳେ ଧାରା ବିବରଣୀ ଦେଉଥିବା ଜୋନ୍ସ ‘‘ଉଗ୍ରବାଦୀ ଆଉ ଏକ ୱିକେଟ୍ ନେଲେ’’ ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ଏଥିନେଇ ସମଗ୍ର କ୍ରିକେଟ୍ ଜଗତ ତାଙ୍କୁ ନିନ୍ଦା କରିଥିଲା। ପ୍ରସାରଣକାରୀ ସଂସ୍ଥା ମଧ୍ୟ ତାଙ୍କୁ ତୁରନ୍ତ ଭାଷ୍ୟକାର ପଦରୁ ବରଖାସ୍ତ କରି ଦେଇଥିଲା।
ମଙ୍କିଗେଟ୍, ଜାନୁଆରି ୨୦୦୮
ଆଧୁନିକ କ୍ରିକେଟ୍ର ଏହା ଅନ୍ୟତମ କୁତ୍ସିତ ବିବାଦ ବୋଲି କୁହାଯାଇପାରେ। ଭାରତ-ଅଷ୍ଟ୍ରେଲିଆ ସିଡ୍ନି ଟେଷ୍ଟ୍ (୨୦୦୮)ର ତୃତୀୟ ଦିନ ଖେଳରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସ ଭାରତୀୟ ଅଫ୍ସ୍ପିନର ହରଭଜନ ସିଂହଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଭଜି ତାଙ୍କୁ ମାଙ୍କଡ଼ ଡାକିଥିଲେ ବୋଲି ସାଇମଣ୍ଡ୍ସ କହିଥିଲେ। ମ୍ୟାଚ୍ ରେଫରି ମାଇକ୍ ପ୍ରୋକ୍ଟର ତାଙ୍କଠାରୁ ଅଭିଯୋଗ ପାଇବା ପରେ ଭଜିଙ୍କୁ ତିନିଟି ଟେଷ୍ଟ୍ରୁ ବାସନ୍ଦ କରିଥିଲେ। ଭାରତ କିନ୍ତୁ ଏହାର ତୀବ୍ର ବିରୋଧ କରିଥିଲା। ଭାରତର ଅପିଲ ପରେ ଏହି ବାସନ୍ଦାଦେଶକୁ ବଦଳାଇ ଭଜିଙ୍କୁ ତାଙ୍କ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ ଜରିମାନା କରାଯାଇଥିଲା। ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ବହିରେ ଲେଖିଥିଲେ ଯେ ଭଜି ଏକ ଉତ୍ତରଭାରତୀୟ ଗାଳି କହିଥିଲେ। ଯାହା ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ‘ମାଙ୍କଡ଼’ ଭଳି ଶୁଣା ଯାଇଥିଲା।
‘ଓସାମା’ ମୋଇନ୍, ସେପ୍ଟେମ୍ବର ୨୦୧୮
ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଭିଯୋଗ କରିଥିଲେ ଯେ ୨୦୧୫ ଅଷ୍ଟ୍ରେଲିଆ ଆସେସ୍ ଦଳର ଜଣେ ସଦସ୍ୟ ତାଙ୍କୁ ଜାତିଆଣ କଟାକ୍ଷ କରିଥିଲେ। କାର୍ଡିଫରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ଅବସରରେ ସଂପୃକ୍ତ ଖେଳାଳି ଜଣକ ପଡ଼ିଆ ଭିତରେ ମୋ ପାଖକୁ ଆସି ‘ଓସାମା ଏହାକୁ ନିଅ’ ବୋଲି କହିଥିଲେ। ଏକଥାକୁ ମୁଁ ପ୍ରଥମେ ପ୍ରଥମେ ବିଶ୍ବାସ କରି ପାରି ନଥିଲି ବୋଲି ମୋଇନ୍ ଏକ ସାକ୍ଷାତକାର ଅବସରରେ କହିଥିଲେ। ତେବେ ସେ ସଂପୃକ୍ତ ଖେଳାଳିଙ୍କ ନାଁ ଉନ୍ମୋଚନ କରି ନଥିଲେ। ଏକଥା ଶୁଣିବା ପରେ ମୁଁ ଖୁବ୍ ରାଗି ଯାଇଥିଲି। ମୋ ଗାଲ ଲାଲ୍ ପଡ଼ି ଯାଇଥିଲା। ପୂର୍ବରୁ ମୁଁ କେବେବି ପଡ଼ିଆ ଭିତରେ ଏତେ ରାଗି ନଥିଲି ବୋଲି ମୋଇନ ତାଙ୍କ ଆତ୍ମଜୀବନୀରେ କହିଥିଲେ।
ଫେଲୁକ୍ବାଓଙ୍କୁ ସର୍ଫରାଜଙ୍କ କଟାକ୍ଷ, ଜାନୁଆରି ୨୦୧୯
ଗତବର୍ଷ ଡର୍ବାନରେ ଖେଳା ଯାଇଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ପାକିସ୍ତାନ ଅଧିନାୟକ ସର୍ଫରାଜ୍ ଖାନ୍ ଦକ୍ଷିଣ ଆଫ୍ରିକା ଖେଳାଳି ଆନ୍ଦିଲ ଫେଲୁକ୍ବାଓଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ‘‘ଆବେ କାଳିଆ, ତୋ ମା’ ଆଜି କୋଉଠି ବସିଛି? ଆଜି ତୋ ପାଇଁ କ’ଣ କହିବାକୁ ତାଙ୍କୁ କହିଛୁ’’ ବୋଲି କହୁଥିବା ଷ୍ଟମ୍ପ ମାଇକରେ ଧରାପଡ଼ିଥିଲା। ମ୍ୟାଚ୍ ପରେ ଅବଶ୍ୟ ସର୍ଫରାଜଙ୍କ ପାଖକୁ ଯାଇ ତାଙ୍କୁ କ୍ଷମା ମାଗି ନେଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଇଥିଲେ।
‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଆନ୍ଦୋଳନକୁ ଆର୍ଚରଙ୍କ ସମର୍ଥନ
ଲଣ୍ଡନ: ଆମେରିକୀୟ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ ପୋଲିସ ମାଡ଼ରେ ମୃତ୍ୟୁ ବରଣ କରିବା ପରେ ସମଗ୍ର ବିଶ୍ବର ଏହାକୁ ନେଇ ବିରୋଧ ପ୍ରଦର୍ଶନ ହେଉଛି। କଳା ଲୋକଙ୍କ ଜୀବନର ମଧ୍ୟ ମହତ୍ବ ଅଛି ବୋଲି ଦାବି କରି କିଛି ସାମାଜିକ କର୍ମକର୍ତ୍ତା ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ନାମକ ଏକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଯାହାକୁ ବହୁ ସିନେ ତାରକା, ଖେଳାଳି ଓ ବ୍ୟବସାୟୀ ସମର୍ଥନ କରିଛନ୍ତି। ଏହି ତାଲିକାରେ ଏବେ ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ସାମିଲ ହୋଇଛନ୍ତି। ଆର୍ଚର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବ୍ଲାକ୍ ଲାଇଭ୍ସ ମ୍ୟାଟର ଆନ୍ଦୋଳନକୁ ଏତେ ସମର୍ଥନ ମିଳିବା ନେଇ ମୁଁ ବହୁତ ଖୁସି ଅଛି। ଜଣେ ବ୍ୟକ୍ତି ଭାବେ ମୁଁ ଏହା ବିରୋଧରେ ସବୁବେଳେ ସ୍ବର ଉତ୍ତୋଳନ କରି ଆସିଛି। ମୋ ନିଜସ୍ବ ମତ ହେଲା ଏଭଳି ଅନ୍ୟାୟକୁ କେହି ସହିବା କଥା ନୁହେଁ , କାରଣ ବର୍ଣ୍ଣବୈଷମ୍ୟ କୌଣସି ପରିସ୍ଥିତିରେ ଠିକ୍ ନୁହେଁ। ସୂଚନାଯୋଗ୍ୟ ଯେ ୨୫ ବର୍ଷୀୟ ଆର୍ଚର ଇଂଲଣ୍ଡ ପକ୍ଷରୁ ୭ ଟେଷ୍ଟ୍ ଓ ୧୪ ଦିନିକିଆ ଖେଳିଛନ୍ତି। ଇଂଲଣ୍ଡର ବିଶ୍ବକପ୍ ବିଜୟରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ଗତବର୍ଷ ନଭେମ୍ବର ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବେଳେ ସେ ନିଜେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ।