ପିତାଙ୍କ ପଥରେ ତୀରନ୍ଦାଜି ଭଉଣୀ-ଭାଇ: ରାଜେଶ ହାସଦାକଙ୍କ ମାନସ ଯୋଡ଼ି ମନଶ୍ବରୀ-ରେହାନ

ଭୁବନେଶ୍ବର (ସୁରେଶ ସ୍ବାଇଁ): ରାଜ୍ୟର ପ୍ରତିଷ୍ଠିତ ତୀରନ୍ଦାଜି ବ୍ୟକ୍ତିତ୍ବ ତଥା ଅନ୍ତର୍ଜାତୀୟ ଖେଳାଳିରୁ ପ୍ରଶିକ୍ଷକ ପାଲଟିଥିବା ରାଜେଶ ହାସଦାକଙ୍କ ପଥରେ ଏବେ ତାଙ୍କ କନ୍ୟା ମନଶ୍ବରୀ ଓ ପୁତ୍ର ରେହାନ। ମାତ୍ର ୧୩ ବର୍ଷ ବୟସ୍କ ଏହି ସ୍କୁଲ୍‌ ଛାତ୍ରୀ ଜାତୀୟ ପଦକ ଜିତି ସାରିଥିବାରୁ ରାଜେଶଙ୍କ ଅଲିମ୍ପିକ୍ ଅବସୋସ ନିଜ କନ୍ୟା ପୂର୍ଣ୍ଣ କରିବେ‌ ବୋଲି ଆଶା ବଢ଼ିଛି। ରାଜ୍ୟର ଏକ ନମ୍ବର ତୀରନ୍ଦାଜ ରାଜେଶଙ୍କ ବାଟକୁ କନ୍ୟା-ପୁତ୍ର ବାଛି ନେଇଥିବାରୁ ଓଡ଼ିଶା ବି ଭବିଷ୍ୟତରେ ଗୌରବାନ୍ବିତ ହେବ ବୋଲି ବିଶ୍ବାସ କରାଯାଉଛି। ବିଶେଷ କରି ଖେଳ ଜୀବନ ପରେ ରାଜେଶ ପ୍ରଶିକ୍ଷଣରେ ମନୋନିବେଶ କରିଥିବାରୁ ଏବଂ ଭାରତୀୟ ଦଳର ଦାୟିତ୍ବକୁ ଏକାଧିକ ଥର ତୁଲାଇ ସାରିଥିବାରୁ ଏଭଳି ଆଶା କ୍ରମେ ଦୃଢ଼ୀଭୂତ ହୋଇଛି। ଅନେକ ବାଟ ଯିବାକୁ ଥିଲେ ମଧ୍ୟ ମନଶ୍ବରୀ-ରେହାନଙ୍କ ମାର୍ଗଦର୍ଶକ ରାଜେଶ ବି ତାଙ୍କୁ ଢେର ଆଗକୁ ନେବାକୁ ବଦ୍ଧ ପରିକର। ‘‘ପଡ଼ିଆକୁ ମୋ ସହ ଯିବା ଦ୍ବାରା ମନଶ୍ବରୀ ନିଜେ ଆଗ୍ରହ ଦେଖାଇଥିଲା ଏବଂ ମୁଁ ବି ଚାହୁଁଥିଲି ସେ ତୀରନ୍ଦାଜିରେ କ୍ୟାରିୟର୍‌ କରୁ। ସଂ‌ଯୋଗବଶତଃ ଉଭୟ ପୁଅ ଓ ଝିଅ ଏବେ ଭଲ ଖେଳୁଛନ୍ତି ଏବଂ ପରିଶ୍ରମ କରୁଛନ୍ତି। ମନଶ୍ବରୀ ଜାତୀୟ ପଦକ ଜିତି ସାରିଥିବାରୁ ତା’ଠୁ ୩ ବର୍ଷ ସାନ ରେହାନ ବି ବାପା ଓ ଭଉଣୀର ପଦାଙ୍କ ଅନୁସରଣ କରିବାରେ ଲାଗିଛି। ଏତେ କମ୍ ବୟସରୁ ସେ ମଧ୍ୟ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ନିଜ ଲକ୍ଷ୍ୟ ଭେଦୀ ଭବିଷ୍ୟତର ରାସ୍ତାକୁ ବାଛି ନେଇଛି।

ଫ୍ୟୁଚର୍‌ ଭୁବନେଶ୍ବର ସ୍କୁଲ୍‌ରେ ପଢ଼ୁଥିବା ଭଉଣୀ ଓ ଭାଇ ମନଶ୍ବରୀ-ରେହାନଙ୍କ କାହାଣୀ ନିଶ୍ଚିତ ଭାବେ ଓଡ଼ିଶା କ୍ରୀଡ଼ା ପାଇଁ ପ୍ରେରଣାର ଉତ୍ସ ହେବାକୁ ଯାଉଛି। ମାଲକାନାଗିରିର ଏମ୍‌ଭି-୨ର ମୂଳ ଅଧିବାସୀ ରାଜେଶ ଏବେ ଭୁବନେଶ୍ବର କିସ୍‌ରେ ତୀରନ୍ଦାଜି ପ୍ରଶିକ୍ଷକ ଭାବେ କାମ କରୁଥିବାରୁ ଉଭୟଙ୍କୁ ସାଥୀରେ ନେଇ ତାଲିମ ଦେବାରେ ବି ସୁବିଧା ହେଉଛି। ମନଶ୍ବରୀ ରାଜ୍ୟ ପ୍ରତିଯୋଗିତାରେ ନିଜ ଉପସ୍ଥିତି ଜାହିର କରିବା ପରେ ବିଗତ ୫ ବର୍ଷ ହେବ ଜାତୀୟ ବୟସ ବର୍ଗ ପ୍ରତିଯୋଗିତେର ଅଂଶଗ୍ରହଣ କରି ଆସୁଛନ୍ତି। ଅଂଶଗ୍ରହଣରେ ବି ତାଙ୍କ ସମ୍ପୃକ୍ତି ସୀମିତ ନାହିଁ। ୨୦୧୬ରେ ତିରୁପତି ଜାତୀୟ ମିନି ତୀରନ୍ଦାଜିରେ ପଦାର୍ପଣ କରିଥିବା ମନଶ୍ବରୀ ଏ ପର୍ଯ୍ୟନ୍ତ ୧୦ଟି ରାଜ୍ୟ (ସ୍କୁଲ, ମିନି, ଉପକନିଷ୍ଠ) ପ୍ରତିଯୋଗିତାରୁ ୫ଟି ଓଭରଅଲ୍ ସ୍ବର୍ଣ୍ଣ ଓ ୨ଟି କାଂସ୍ୟ ପଦକ ଜିତିଛନ୍ତି। ସେହିଭଳି ଅଂଶଗ୍ରହଣ କରିଥିବା ୪ଟି ଜାତୀୟ ସ୍ତରର ପ୍ରତିଯୋଗିତାରୁ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି। ୨୦୧୯ ମସିହାରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅନୁଷ୍ଠିତ ୬୫ତମ ଜାତୀୟ ସ୍କୁଲ୍‌ ଗେମ୍ସ ଫିଲ୍ଡ ତୀରନ୍ଦାଜି ପ୍ରତିଯୋଗିତାରୁ ଏକମାତ୍ର ଦଳଗତ କାଂସ୍ୟ ପଦକ ଜିତିଛନ୍ତି। କୋଭିଡ୍‌ ପରିସ୍ଥିତି ପାଇଁ ଅଧିକ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ମନଶ୍ବରୀଙ୍କ ଭବିଷ୍ୟତ ନିଶ୍ଚିତ ଉଜ୍ବଳ ବୋଲି କହିଛନ୍ତି ଅନୁଭବି ପ୍ରଶିକ୍ଷକ ରାଜେଶ। ପୁଅ ରେହାନ ଗୋଟିଏ ଲେଖାଏଁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତା (୯ ବର୍ଷରୁ କମ୍)ରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଏହି ଅଣପାରିମ୍ପରିକ କ୍ରୀଡ଼ା ପ୍ରତି ଢେର ଆଗ୍ରହ ରଖିଛି ବୋଲି କହିଥିଲେ ରାଜେଶ।

ରାଜେଶଙ୍କ କୃତିତ୍ବ
ଏକଦା ଗାଁରେ ଧନୁତୀର ଧରି ସାଙ୍ଗମାନଙ୍କ ସହ ଖେଳୁଖେଳୁ ବଡ଼ ଖେଳାଳି ପାଲଟି ଯାଇଥିଲେ ରାଜେଶ ହାସଦାକ। ଅନ୍ତର୍ଜାତୀୟ ତୀରନ୍ଦାଜ ଅଭିଜ୍ଞତାରୁ ଏବେ ତୀରନ୍ଦାଜି ପ୍ରଶିକ୍ଷକ। ଭାରତୀୟ ତୀରନ୍ଦାଜି ଦଳର ପ୍ରଶିକ୍ଷକ ଭାବେ ୫ ଥର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଛନ୍ତି। ୪୦ରୁ ଊର୍ଦ୍ଧ୍ବ ଜାତୀୟ ଖେଳାଳି ସୃଷ୍ଟି ହେବା ପଛରେ ମଧ୍ୟ ତାଙ୍କ ହାତ ରହିଛି। ଓଡ଼ିଶାରେ ଚଳିତ ବର୍ଷ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିସ୍‌ର ତୀରନ୍ଦାଜି ରିକର୍ଭ ଦଳ (ରଞ୍ଜିତ୍ ନାଏକ, ସୂର୍ଯ୍ୟମଣି ମାଝୀ, ଶ୍ରବଣ କୁମାର) ସ୍ବର୍ଣ୍ଣ ଓ ରିକର୍ଭ ଏକକ ବିଭାଗରେ ରୌପ୍ୟ (ରଞ୍ଜିତ ନାଏକ) ପଦକ ସଫଳତାର ଶ୍ରେୟ ରାଜେଶଙ୍କ ପାଖକୁ ଯାଏ। ସେ ନିଜେ ଖେଳୁଥିବା ସମୟରେ ୧୯୯୩ ମସିହାରେ ଆନ୍ତର୍ଜାତିକ ତୀରନ୍ଦାଜିରେ କୋଲ୍‌କାତାରେ ପଦାର୍ପଣ କରିଥିଲେ। ୪ ଥର ରାଜେଶ ଆନ୍ତର୍ଜାତିକ ତୀରନ୍ଦାଜି ଖେଳିଛନ୍ତି। ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ୧୫ ଥର ଅଂଶ ଗ୍ରହଣ କରିଛନ୍ତି। ୧୯୯୯ ଜାତୀୟ କ୍ରୀଡ଼ାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିବା ସହ ୧୯୯୮ ଏସୀୟ କ୍ରୀଡ଼ା କ୍ବାର୍ଟରଫାଇନାଲ୍ ଯିବା ରାଜେଶଙ୍କ ଶ୍ରେଷ୍ଠ ସଫଳତା ରହିଛି। ଏହା ବ୍ୟତୀତ ସେ ଜାତୀୟ ବରିଷ୍ଠ ତୀରନ୍ଦାଜିରୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ଜିତିଛନ୍ତି। ଜାତୀୟ ଉପ କନିଷ୍ଠରୁ ୨ ସ୍ବର୍ଣ୍ଣ, କନିଷ୍ଠ ବର୍ଗରୁ ୭ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ, ବିଶ୍ବବିଦ୍ୟାଳୟ ସ୍ତରରୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ପଦକ ଜିତିବା ତାଙ୍କ ଦୁଇ ଦଶନ୍ଧିର ଲମ୍ବା ଖେଳ ଜୀବନର ଗଭୀରତାକୁ ପ୍ରମାଣିତ କରିଥିଲା।

ସମ୍ବନ୍ଧିତ ଖବର