ବିଶ୍ବର ଏକ ନମ୍ବର ତୀରାନ୍ଦାଜ ଦୀପିକା କୁମାରୀଙ୍କ ତୃତୀୟ ଥର ଲାଗି ଅଲିମ୍ପିକ୍ସ ପଦକ ଆଶା ଶେଷ ହୋଇଛି। କ୍ବାର୍ଟର ଫାଇନାଲ୍‌ରେ ସେ ୬-୦ ସିଧାସଳଖ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆର ଆନ୍‌ ସାନଙ୍କଠୁ ହାରି ବିଦାୟ ନେଇଛନ୍ତି। ପୂର୍ବରୁ ଚଳିତ ଅଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ (ମିଶ୍ରିତ, ଦଳଗତ) ଜିତିଥିବା ସାନ୍ ଏକକରେ ବି ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ ଅର୍ଜନ କରିଥିଲେ।

Advertisment

୨୦୧୨ରେ ଅଲିମ୍ପିକ୍ସ ପଦାର୍ପଣ ଏବଂ ୨୦୧୬‌ ରିଓରେ ପ୍ରିକ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିବା ଦୀପିକା ଟୋକିଓରେ ଏହି ମ୍ୟାଚ୍‌ ପୂର୍ବରୁ ୬-୫ରେ ପୂର୍ବତନ ବିଶ୍ବ ବିଜୟିନୀ ରୁଷୀୟର କେସେନିଆ ପେରୋଭାଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ଦୀପିକାଙ୍କ ବିଦାୟ ପରେ ତୀରନ୍ଦାଜିରେ କେବଳ ତାଙ୍କ ପତି ଅତନୁ ଦାସ ଭାରତୀୟ ଭାବେ ତିଷ୍ଠି ରହିଛନ୍ତି। ଶନିବାର ଅତନୁ ପ୍ରିକ୍ବାର୍ଟର ଫାଇନାଲ୍‌ରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଏକକ ରୌପ୍ୟ ବିଜେତା ଏବଂ ଚଳିତ ଅଲିମ୍ପିକ୍ସ ଦଳଗତ କାଂସ୍ୟ ବିଜେତା ଦଳର ସଦସ୍ୟ ତାହାରୁ ଫୁରୁକାୱାଙ୍କୁ ଭେଟିବେ।

ମିଶ୍ରିତ ରିଲେ ଦଳ ବିଫଳ
ଭାରତୀୟ ମିଶ୍ରିତ ରି‌ଲେ ଦଳ ମଧ୍ୟ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲା। ଶୁକ୍ରବାର ସଂଧ୍ୟାରେ ଆୟୋଜିତ ପ୍ରଥମ ରାଉଣ୍ଡ ପ୍ରତିଯୋଗିତାରେ ଭାରତୀୟ ଦଳ ଦୁଇ ନମ୍ବର ହିଟ୍‌ରେ ଦୌଡ଼ି ସବା ଶେଷସ୍ଥାନରେ ରହିଥିଲା। ୩ ମିନିଟ୍ ୧୯.୯୩ ସେକେଣ୍ଡ ସମୟ ସହ ମୋଟ ଉପରେ ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲା ଭାରତୀୟ ଦଳ। ଫଳରେ ମହମ୍ମଦ ଅନସ ୟାହିୟା, ରେବତୀ ବୀରାମଣି, ଶୁଭା ମେଙ୍କଟେସନ ଓ ରାଜୀବ ଆରୋକିଆଙ୍କୁ ନେଇ ଗଠିତ ଭାରତୀୟ ମିଶ୍ରିତ ୪ ଗୁଣା ୪୦୦ ମିଟର ରିଲେ ଦଳର ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଯାଇଛି। ଏହି ଇଭେଣ୍ଟର ଫେବରିଟ୍ ଦଳ ଆମେରିକା ପ୍ରଥମେ ଅଯୋଗ୍ୟ ଘୋଷିତ ହୋଇଥିଲା। ପରେ ଫାଇନାଲ୍ ଖେଳିବାକୁ ଅନୁମତି ପାଇଥିଲା।

୪୦୦ ମିଟର ବାଧାଦୌଡ଼: ୩୩ତମ ସ୍ଥାନରେ ଜାବିର
ହିଟ୍‌-୫ରେ ଦୌଡ଼ୁଥିବା ଏମ୍‌ ଜାବିର ନିରାଶଜନକ ପ୍ରଦର୍ଶନ କରି ସପ୍ତମ ସ୍ଥାନରେ ରହିଥିଲେ। ମୋଟ ଉପରେ ସେ ୫୦.୭୭ ସେକେଣ୍ଡ ସମୟରେ ରେସ୍‌ ଶେ‌ଷ କରି ୩୬ ଜଣଙ୍କ ମଧ୍ୟରେ ୩୩ତମ ସ୍ଥାନରେ ରହିଥିଲେ। ଟୋକିଓରେ ସେ ନିଜର ଶ୍ରେଷ୍ଠ ୪୯.୧୩ ସେକେଣ୍ଡ ମଧ୍ୟ ଦେବାରେ ବିଫଳ ହୋଇଥିଲେ।

ବନ୍ଧୁକଚାଳନା: ଫାଇନାଲ୍‌ରେ ପହଞ୍ଚିପାରିଲେନି ମନୁ, ରାହି
ଭାରତୀୟ ବନ୍ଧୁକଚାଳିକା ମନୁ ଭାକର ଏବଂ ରାହି ‌ସର୍ନୋବତ ଅଲିମ୍ପିକ୍ସ ମହିଳା ୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷ ୮ ମଧ୍ୟରେ ନରହି ଫାଇନାଲ୍‌ ପୂର୍ବରୁ ବିଦା ହୋଇଛନ୍ତି। ପ୍ରେସିସିଆନ୍‌ ଓ ରାପିଡ୍‌ରେ ମନୁ ମୋଟ ୫୮୨ (୨୯୨+୨୯୦) ସ୍କୋର ପାଇ ପଞ୍ଚଦଶ ସ୍ଥାନରେ ରହିଥିଲା ବେଳେ ଅଭିଜ୍ଞ ସର୍ନୋବତ ୫୭୩ (୨୮୭+୨୮୬) ୨୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ସେଲିଂରେ ଭାରତ ନିରାଶ
ସେଲିଂରେ ଭାରତୀୟ ନୌଚାଳକମାନେ ନିରାଶାଜନକ ପ୍ରଦର୍ଶନ କରି ଏକରକମ ଅଭିଯାନ ଶେଷ କରିଛନ୍ତି। ସେଲର ବିଷ୍ଣୁ ସର୍ବାନନ୍‌ ମୋଟ ୧୫୬ ନେଟ୍‌ ପଏଣ୍ଟ ସହ ୩୫ ଜଣଙ୍କ ମଧ୍ୟରେ ୨୦ତମ ସ୍ଥାନରେ ରହିଥିଲେ। ସ୍କିପ୍‌ ୪୯ଇଆର୍‌ରେ ଭାରତୀୟ ଯୋଡ଼ି କେସି ଗଣପତି ଓ ବରୁଣ ଠକ୍କର ୧୧୬ ନେଟ୍‌ ପଏଣ୍ଟ ସହ ୧୯ ପ୍ରତିଯୋଗୀଙ୍କ ମଧ୍ୟରେ ୧୭ତମ ସ୍ଥାନ ପାଇଥିଲେ। ମହିଳା‌ ସେଲର ନେତ୍ରା କୁମନନ୍‌ ୨୫୧ ନେଟ୍‌ ପଏଣ୍ଟ ସହ ୪୪ ଜଣଙ୍କ ମଧ୍ୟରେ ୩୫ତମ ସ୍ଥାନରେ ରହିଥିଲେ। ଆଜିର ରେସ୍‌ ପୂର୍ବରୁ ଭାରତୀୟ ସେଲରମାନେ ପଦକ ଦୌଡ଼ରୁ ବାଦ୍‌ ପଡ଼ିସାରିଥିଲେ।

ଜାତୀୟ କୀର୍ତ୍ତିମାନ ସତ୍ତ୍ବେ ସାବ୍‌ଲେ ଫାଇନାଲରୁ ବଞ୍ଚିତ
ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଭାରତର ଅଭିନାଶ ସାବ୍‌ଲେ ଶୁକ୍ରବାର ଚମତ୍କାର ପ୍ରଦର୍ଶନ କରି ନିଜ ଜାତୀୟ କୀର୍ତ୍ତିମାନ ନିଜେ ଭାଙ୍ଗିଥିଲେ। ତେବେ ଏହା ତାଙ୍କ ଫାଇନାଲ୍ ପ୍ରବେଶ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା। ସାବ୍‌ଲେ ହିଟ୍ ନମ୍ବର ୨ରେ ଦୌଡ଼ି ୮ ମିନିଟ୍ ୧୮.୧୨ ସେକେଣ୍ଡ ସମୟ ସହ ସପ୍ତମ ସ୍ଥାନରେ ରହିଥିଲେ। ଯାହା ଗତ ମାର୍ଚ ମାସରେ ଫେଡେରେସନ୍ କପ୍ ଅବସରରେ ସେ ସ୍ଥାପନ କରିଥିବା‌ ଜାତୀୟ କୀର୍ତ୍ତିମାନ (୮ ମିନିଟ୍ ୨୦.୨୦ ସେକେଣ୍ଡ)ଠାରୁ ଭଲ ଟାଇମିଂ ଥିଲା। ଏହା ମଧ୍ୟ ଅନ୍ୟ ଏକ ହିଟ୍‌ର ଶ୍ରେଷ୍ଠ ୩ ସ୍ଥାନରେ ଥିବା ଖେଳାଳିଙ୍କଠାରୁ ଭଲ ଟାଇମିଂ ଥିଲା। ହେଲେ ନିୟମ ଅନୁସାରେ ପ୍ରତ୍ୟେକ ହିଟ୍‌ର ଶ୍ରେଷ୍ଠ ୩ ଧାବକଙ୍କ ସହ ୬ ଜଣ ଶ୍ରେଷ୍ଠ ଲୁଜରଙ୍କୁ ମିଶାଇ ମୋଟ ୧୫ ଜଣ ଫାଇନାଲ୍ ଟିକେଟ ହାସଲ କରୁଥିବାରୁ ସାବ୍‌ଲେ ଦୁର୍ଭାଗ୍ୟଜନକ ଭାବେ ବିଦାୟ ନେଇଥିଲେ। ତେବେ ନିଜ ପ୍ରଦର୍ଶନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିଲେ।