ତୀରନ୍ଦାଜି ରାଙ୍କିଂ ରାଉଣ୍ଡ: ପ୍ରଥମରୁ ନିରାଶ କଲେ ଦୀପିକା

ଟୋକିଓ : ‌ଟୋକିଓ ଅଲିମ୍ପିକ୍ସ ୨୦୨୦ ଭାରତୀୟ ସମୟ ଶୁକ୍ରବାର ଅପରାହ୍ଣ ୪.୩୦ରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ହେଲେ ଏହା ପୂର୍ବରୁ ମହିଳା ତୀରନ୍ଦାଜିରୁ ଭାରତୀୟଙ୍କ ଅଭିଯାନ ଆରମ୍ଭ ହୋଇଥିଲା। ୟୁମେନୋଶିମା ପାର୍କରେ ଖେଳାଯାଇଥିବା ରୢାଙ୍କିଂ ରାଉଣ୍ଡରେ ଏକ ନମ୍ବର ମହିଳା ଖେଳାଳି ଦୀପିକା କୁମାରୀ ପ୍ରଥମ ଭାରତୀୟ ଭାବେ ଚଳିତ ଅଲିମ୍ପିକ୍ସରେ ମଇଦାନକୁ ଓହ୍ଲାଇଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ଦେଇ ମହିଳା ବ୍ୟକ୍ତିଗତ ବର୍ଗରେ ଶୀର୍ଷ ୧୦ରେ ସ୍ଥାନ ଦଖଲ କରିଥିଲେ। ସେ ୬୬୩ ସ୍କୋର୍‌ ସହ ନବମ ସ୍ଥାନରେ ରହିଥିଲେ। ୨୦ ବର୍ଷୀୟା କୋରିଆ ଯୁବତୀ ଆନ୍‌ ସାନ (୬୮୦) ଅଲିମ୍ପିକ୍‌ କୀର୍ତ୍ତିମାନ ସହ ଶୀର୍ଷରେ ରହିଥିଲେ।

ପୂର୍ବରୁ ଏହି କୀର୍ତ୍ତିମାନ ୟୁକ୍ରେନର ଲିନା ଗାରାସିମେଙ୍କୋ (୬୭୩)ଙ୍କ ନାମରେ ରହିଥିଲା। ସେ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ଏହି କୀର୍ତ୍ତିମାନ କରିଥଲେ। ନବମ ସ୍ଥାନର ମାନ୍ୟତା ଅନୁଯାୟୀ ଦୀପିକା ପ୍ରଥମ ରାଉଣ୍ଡରେ ବିଶ୍ବର ୧୯୩ ନମ୍ବର ଭୁଟାନର କର୍ମାଙ୍କୁ ଭେଟିବେ। କର୍ମା ୫୬ତମ ସ୍ଥାନରେ ରହିଥିଲେ। ତେବେ କ୍ବାର୍ଟର ଫାଇନାଲ୍‌ରେ ଦୀପିକାଙ୍କ ଭେଟ ଅଲିମ୍ପିକ୍ସ ପଦାର୍ପଣକାରୀ ସାନ୍‌ଙ୍କ ସହ ହୋଇପାରେ। ୨୦୧୯ରେ ଏହି ସ୍ଥାନରେ ଆୟୋଜିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ୍‌ରେ ଦୀପିକାଙ୍କୁ ସାନ୍‌ ହରାଇଥିଲେ। ଏବେ ଯଦି ଉଭୟ କ୍ବାର୍ଟର ଫାଇନାଲ୍‌ରେ ମୁହଁାମୁହିଁ ହୁଅନ୍ତି ଦୀପିକାଙ୍କ ନିକଟରେ ପ୍ରତିଶୋଧ ନେବାର ସୁ‌ଯୋଗ ରହିବ। ସାନ୍‌ଙ୍କ ସହ ଅନ୍ୟ ଦୁଇ କୋରିଆ ଖେଳାଳି ରୢା‌ଙ୍କିଂ ରାଉଣ୍ଡରେ ପ୍ରଥମ ୩ ସ୍ଥାନ ଦଖଲ କରିଥିଲେ। ଜାଙ୍ଗ ମିନ୍‌ହି (୬୭୭) ଏବଂ ବିଶ୍ବ କୀର୍ତ୍ତିମାନଧାରୀ (୬୯୨) ତଥା ୩ ନମ୍ବର ଖେଳାଳି କାଙ୍ଗ ଚାଇ ୱଙ୍ଗ (୬୭୫) ତୃତୀୟ ସ୍ଥାନ ଅଧିକାର କରିଥିଲେ।

ପୁରୁଷ ଦଳ ବି ନବମ
ମହିଳା ବ୍ୟକ୍ତିଗତ ବର୍ଗ‌ ପରେ ଅତନୁ ଦାସ, ତରୁଣଦୀପ ରୟ ଏବଂ ପଦାର୍ପଣକାରୀ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ରୢାଙ୍କିଂ ରାଉଣ୍ଡକୁ ଓହ୍ଲାଇଥିଲା। ଏହି ତ୍ରିମୂର୍ତ୍ତିଙ୍କ ମଧ୍ୟରେ ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରବୀଣ ବ୍ୟକ୍ତିଗତ ରୢାଙ୍କିଂରେ ଅଭିଜ୍ଞ ଅତନୁ ଏବଂ ତରୁଣଦୀପଙ୍କଠାରୁ ଆଗରେ ରହିଥିଲେ। ପ୍ରବୀଣ ଓ ଅତନୁ ସମାନ ୬୫୬ ଲେଖାଏଁ ସ୍କୋର୍‌ କରିଥିଲେ। ହେଲେ ଏକ୍ସ ଫ୍ୟାକ୍ଟରରେ ପ୍ରବୀଣ ୩୧ତମ, ଅତନୁ ୩୫ତମ ଏବଂ ତରୁଣଦୀପ (୬୫୨) ୩୭ତମ ସ୍ଥାନରେ ରହିଥିଲେ। ଦଳଗତ ଭାବେ ଭାରତୀୟ ଦଳ ୧୯୬୧ ପଏଣ୍ଟ୍‌ ସହ ନବମ ସ୍ଥାନ ଦଖଲ କରିଥିଲା। ଯାହା ୨୦୧୨ ଲଣ୍ଡନ ଅଲିମ୍ପିକ୍ସ‌ ପରେ ଶ୍ରେଷ୍ଠ ପ୍ରଦର୍ଶନ। ୨୦୧୬ ରିଓରେ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା।

ଅନ୍ୟପକ୍ଷରେ ପୁରୁଷ ବ୍ୟକ୍ତିଗତ ବର୍ଗରେ କୋରିଆର ୧୭ ବର୍ଷୀୟ ଯୁବକ କିମ୍‌ ଜି ଦିଓକ୍‌ ୬୮୮ ପଏଣ୍ଟ ସହ ଶୀର୍ଷରେ ରହିଥିଲେ। ସେ ମାତ୍ର ୨ ପଏଣ୍ଟ ପାଇଁ ଅଲିମ୍ପିକ୍ସ କୀର୍ତ୍ତିମାନରୁ ବଞ୍ଚିତ ହୋଇଥିଲେ। ବିଶ୍ବର ଏକ ନମ୍ବର ବ୍ରାଡି ଏଲିସନ ଦ୍ବିତୀୟ ଏବଂ ୨୦୧୨ ଅଲିମ୍ପିକ୍ସ ବିଜେତା ୩୯ ବର୍ଷୀୟ ଓହ ଜିନ ହେକ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର