ତୀରନ୍ଦାଜି ବିଶ୍ବ ଚାମ୍ପିଅନ୍‌ସିପ୍ସ: ତୃତୀୟ ରାଉଣ୍ଡରେ ଜ୍ୟୋତି, ଅଭିଷେକ

ୟଙ୍କଟନ୍‌ (ଆମେରିକା): ଭାରତୀୟ ମହିଳା ତୀରନ୍ଦାଜ ଜ୍ୟୋତି ସୁରେଖା ଭେନମ ଏବଂ ପୁରୁଷ ତ‌ାରକା ଅଭିଷେକ ବର୍ମା ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବ ଚାମ୍ପିଅନ୍‌ସିପ୍ସ କମ୍ପାଉଣ୍ଡ ବର୍ଗର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ରାଉଣ୍ଡରେ ଜ୍ୟୋତି ସପ୍ତମ ଏବଂ ଅଭିଷେକ ଷଷ୍ଠ ସ୍ଥା‌ନରେ ରହିଥିଲେ। ଏହି ରାଉଣ୍ଡରେ ଜ୍ୟୋତି ୬୮୪ ଏବଂ ଅଭିଷେକ ୬୯୫ ସ୍କୋର୍‌ କରିବାରୁ ଉଭୟ ପ୍ରଥମ ଦୁଇ ରାଉଣ୍ଡ ବାଇ ପାଇ ସିଧାସଳଖ ତୃତୀୟ ରାଉଣ୍ଡରେ ପହଞ୍ଚିଥିଲେ। ଅନ୍ୟ ମହିଳା ଭାରତୀୟଙ୍କ ମଧ୍ୟରେ ୨୯ତମ ସ୍ଥାନରେ ଥିବା ମୁସ୍କାନ କିରାର ଦ୍ବିତୀୟ ରାଉଣ୍ଡରେ ଖେଳିବେ। ତେବେ ୫୧ରେ ଥିବା ପ୍ରିୟା ଗୁର୍ଜାର ପ୍ରଥମ ରାଉଣ୍ଡରେ ଗ୍ରେଟ୍‌ ବ୍ରିଟେନ୍‌ର ଇସାବେଲେ କାର୍ପେଣ୍ଟରଙ୍କୁ ଭେଟିବେ। ପୁରୁଷରେ ବର୍ମାଙ୍କ ଅନ୍ୟ ସାଥୀ ସଂଗମପ୍ରୀତ ସିଂହ ଓ ଋଷଭ ଯାଦବ ଯଥାକ୍ରମେ ୨୬ ଓ ୪୯ ସ୍ଥାନ ପାଇଥିବାରୁ ପ୍ରଥମ ରାଉଣ୍ଡ ଖେଳିବେ। ପୁରୁଷ ରିକର୍ଭ ଏଲିମିନେସନ୍‌ରେ ସାଲୁଙ୍ଖେ ପାର୍ଥ ସୁଶାନ୍ତ, ଆଦିତ୍ୟ ଚୌଧୁରୀ ଓ ଅତୁଲ ବର୍ମା ଯଥାକ୍ରମେ ୪୫, ୫୩ ଓ ୫୬ତମ ସ୍ଥାନରେ ରହିଥିଲେ। ତେଣୁ ଏମାନେ ପ୍ରଥମ ରାଉଣ୍ଡରେ ପ୍ରତିଦ୍ବନ୍ଦ୍ବିତା କରିବେ।

ମହିଳା ରିକର୍ଭରେ ଅଙ୍କିତା ଭକତ, ରିଦ୍ଧି ଫୋର ଓ ବାରି କୋମଲିକା ଏଲିମିନେସନ୍‌ ରାଉଣ୍ଡରେ ଯଥାକ୍ରମେ ୨୦, ୨୬, ୨୯ରେ ରହି ପ୍ରଥମ ରାଉଣ୍ଡ ବାଇ ପାଇଥିଲେ। ଏହି ୩ ଜଣଙ୍କୁ ନେଇ ଗଠିତ ମହିଳା ରିକର୍ଭ ଦଳ ସପ୍ତମ ସ୍ଥାନ ହାସଲ କରି ପ୍ରଥମ ରାଉଣ୍ଡ ବାଇ ପାଇଥିଲେ। ପୁରୁଷ ଦଳ (ସାଲୁଙ୍ଖେ, ଆଦିତ୍ୟ ଓ ଅତୁଲ) ୧୩ତମ ସ୍ଥାନ ପାଇବାରୁ ପ୍ରଥମ ରାଉଣ୍ଡରେ କାନାଡ଼ାକୁ ଭେଟିବ। ଅଭିଷେକ, ସଂଗମପ୍ରୀତ ଓ ଋଷଭଙ୍କୁ ନେଇ ଗଠିତ ପୁରୁଷ କମ୍ପାଉଣ୍ଡ ଦଳ ପଞ୍ଚମରେ ରହିବାରୁ ସିଧାସଳଖ ଦ୍ବିତୀୟ ରାଉଣ୍ଡରେ ଖେଳିବ। ପଞ୍ଚମ ସ୍ଥାନରେ ଥିବା ମହିଳା କମ୍ପାଉଣ୍ଡ ଦଳ (ଜ୍ୟୋତି, ମୁସ୍କାନ ଓ ପ୍ରିୟା) ପ୍ରଥମ ରାଉଣ୍ଡରେ ଡେନ୍‌ମାର୍କକୁ ଭେଟିବ। ରିକର୍ଭ ମିଶ୍ରିତ ପ୍ରଥମ ରାଉଣ୍ଡରେ ଭାରତ ୬-୦ରେ ୟୁକ୍ରେନ୍‌କୁ ହରାଇ ଦେଇଛି। ଦ୍ବିତୀୟ ରାଉଣ୍ଡରେ ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆକୁ ଭେଟିବେ।

ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୨ ଜଣ ଯୁବ ଭାରତୀୟ ତୀରାନ୍ଦାଜ ଅଂଶଗ୍ରହଣ କରିଛନ୍ତି। ତେବେ ଟୋକିଓ ଅଲିମ୍ପିଆନ୍ସ ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରାୟ ଏବଂ ଦୀପିକା କୁମାରୀ ଟ୍ରାଏଲ୍ସରେ ଭଲ ପ୍ରଦର୍ଶନ ନ ଦେବାରୁ ଦଳରୁ ବାଦ୍‌ ପଡ଼ିଥିଲେ। ବିଶ୍ବର ଏକ ନମ୍ବର ଦୀପିକା ଟ୍ରାଏଲ୍ସରେ କେମଲିକା ବାରି, ରିଦ୍ଧି ଫୋର ଓ ଅଙ୍କିତା ଭକତଙ୍କ ପଛକୁ ଚତୁର୍ଥରେ ରହିଥିଲେ।

ସମ୍ବନ୍ଧିତ ଖବର