ଅନ୍ତଲ୍ୟ: ଭାରତୀୟ ପୁରୁଷ ରିକର୍ଭ ଦଳ ପରେ କମ୍ପାଉଣ୍ଡ ମିଶ୍ରିତ ଯୋଡ଼ି ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍ ଷ୍ଟେଜ୍-୧ର ଫାଇନାଲ୍ରେ ପହଞ୍ଚିଯାଇଛି। ଏଥି ସହିତ ଭାରତର ନଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ଉପରେ ରହିଛି। ଗୁରୁବାର ଅତନୁ ଦାସ, ବି ଧୀରାଜ ଓ ତରୁଣଦୀପ ରାଇଙ୍କୁ ନେଇ ଗଠିତ ରିକର୍ଭ ଦଳ ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଛି। ରବିବାର ସ୍ବର୍ଣ୍ଣ ପଦକ ପାଇଁ ଏହି ଦଳ ଚୀନ୍କୁ ଭେଟିବ। ସେହିପରି ଶୁକ୍ରବାର ଜ୍ୟୋତି ସୁରେଖା ଭେନ୍ନମ ଓ ତାଙ୍କ ପଦାର୍ପଣକାରୀ ସାଥୀ ଓଜାସ ଦେଓତାଲେ ଯୋଡ଼ି କମ୍ପାଉଣ୍ଡ ମିଶ୍ରିତ ପେୟାର ବର୍ଗରେ ତୃତୀୟ ବିଜୟ ସହ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛି।
ତୃତୀୟ ମ୍ୟାଚ୍ରେ ଏହି ଯୋଡ଼ି ମାଲେସିଆ ଯୋଡ଼ି ଫତିନ ନୁର୍ଫତେହା ମାତ୍ ସାଲେ ଓ ମହମ୍ମଦ ଜୁୱାଇଦି ମାଜୁକିଙ୍କୁ ୧୫୭-୧୫୪ରେ ପରାସ୍ତ କରିଥିଲେ। ଶନିବାର ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲ୍ ମୁକାବିଲାରେ ଭାରତୀୟ ଯୋଡ଼ି ଦ୍ବାଦଶ ମାନ୍ୟତାପ୍ରାପ୍ତ ଚାଇନିଜ୍ ତାଇପେ ଯୋଡ଼ିକୁ ଭେଟିବେ। ଏହି ଦୁଇଟି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ ଲକ୍ଷ୍ୟ ରଖିଥିବା ଭାରତ ମଧ୍ୟ ଚଳିତ ବିଶ୍ବକପ୍ରେ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରୁ ତୃତୀୟ ପଦକ ଆଶାରେ ରହିଛି। ପୂର୍ବତନ ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ପଦକ ବିଜୟିନୀ ଜ୍ୟୋତି ସୁରେଖା ଭେନ୍ନମ ସେମିଫାଇନାଲ୍ରେ ପହଞ୍ଚି ପଦକ ଦୌଡ଼ରେ ରହିଛନ୍ତି। ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭାବେ ଯୋଗ୍ୟତା ଅର୍ଜନ କରିବା ପରେ ଦ୍ବିତୀୟ ରାଉଣ୍ଡରେ ବାଇ ପାଇଥିଲେ ଜ୍ୟୋତି। ଏହାପରେ ଲକ୍ସେମ୍ବର୍ଗ ଓ ଫ୍ରାନ୍ସ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି।