ତୀରନ୍ଦାଜି ବିଶ୍ବକପ୍‌: ମହିଳା ରିକର୍ଭ ଦଳକୁ ସ୍ବର୍ଣ୍ଣ, ପତି-ପତ୍ନୀ ଅତନୁ-ଦୀପିକା ମଧ୍ୟ ଜିତିଲେ ସ୍ବର୍ଣ୍ଣ

ପ୍ୟାରିସ: ତୀରନ୍ଦାଜି ବିଶ୍ବକପ୍ ଷ୍ଟେଜ୍-୩ରେ ପତି-ପତ୍ନୀ ‌ଯୋଡ଼ି ଅତନୁ ଦାସ ଓ ଦୀପିକା କୁମାରୀ ମିଶ୍ରିତ ଦଳଗତ ରିକର୍ଭରେ ସ୍ବର୍ଣ୍ଣ ପଦକ ଜିତି ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ନିଜ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଛନ୍ତି। ଏକଦା ୦-୨ରେ ପଛୁଆ ରହିଥିବା ଏହି ଭାରତୀୟ ଯୋଡ଼ି ସଫଳ ପ୍ରତ୍ୟାବର୍ତ୍ତନ ସହ ନେଦରଲାଣ୍ଡ୍ସର ଜେଫ୍ ଭାନ୍‌ଡର ବର୍ଗ ଓ ଗାବ୍ରିଏଲା ସ୍କୋଲେସରଙ୍କୁ ୫-୩ରେ ପରାସ୍ତ କରି ଭାରତକୁ ଚଳିତ ବିଶ୍ବକପ୍‌ର ତୃତୀୟ ସ୍ବର୍ଣ୍ଣ ଉପହାର ଦେଇଥିଲେ। ଦୀପିକାଙ୍କ ସହ ପ୍ରଥମ ଥର ଏକାଠି ଖେଳି ସ୍ବର୍ଣ୍ଣ ପଦକ ଜିତିଥିବାରୁ ଅଧିକ ଖୁସି ଲାଗୁଛି ବୋଲି ଅତନୁ ନିଜ ପ୍ରତିକ୍ରିୟାରେ କହିଥିଲେ। ସୂଚନାଯୋଗ୍ୟ ଯେ ଦୁଇ ବର୍ଷର ପ୍ରେମ ସଂପର୍କ ପରେ ଅତନୁ ଓ ଦୀପିକା ଗତବର୍ଷ ଜୁନ୍ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଏହା ପୂର୍ବରୁ ରବିବାର ଦଳଗତ ମହିଳା ରିକର୍ଭରେ ଦୀପିକା, ଅଙ୍କିତା ଭକତ ଓ କୋମଲିକା ବାରି ମେକ୍ସିକୋ ଦଳକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ମହିଳା ଦଳ ୫-୧ରେ ମେକ୍ସିକୋକୁ ପରାସ୍ତ କରିଥିଲା। ଚଳିତ ବର୍ଷ ଏହା ଦଳର ଦ୍ବିତୀୟ ତଥା ମୋଟ ଉପରେ ଷଷ୍ଠ ବିଶ୍ବକପ୍‌ ସ୍ବର୍ଣ୍ଣ। ଏହା ପୂର୍ବରୁ ମହିଳା ରିକର୍ଭ ଦଳ ସାଂଘାଇ (୨୦୧୧) ମେଡେଲିନ୍‌ (୨୦୧୩), ୱାର୍‌କ୍ଲ (୨୦୧୩), ୱାର୍‌କ୍ଲ (୨୦୧୪) ଓ ଗୁଏଟମାଲା ସିଟି (୨୦୨୧)ରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଥିଲା। ତେବେ ଚଳିତ ବିଶ୍ବକପ୍‌ରେ ଭାରତ ପକ୍ଷରୁ ପ୍ରଥମ ସ୍ବର୍ଣ୍ଣ କମ୍ପାଉଣ୍ଡ ବର୍ଗରେ ଅଭିଷେକ ବର୍ମା ଜିତିଥିଲେ।

ସମ୍ବନ୍ଧିତ ଖବର