ଅନ୍ତଲ୍ୟ : ଶନିବାର ଭାରତ ପାଇଁ ସ୍ବର୍ଣ୍ଣିମ ଦିବସ ଥିଲା। ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଷ୍ଟେଜ୍‌-୧ରେ ଭାରତ କମ୍ପାଉଣ୍ଡ ବର୍ଗରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଛି। ଉଭୟ ସ୍ବର୍ଣ୍ଣରେ ଜ୍ୟୋତି ସୁରେଖା ଭେନ୍ନମଙ୍କ ସଂପୃକ୍ତି ରହିଛି। ପୂର୍ବତନ ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ବିଜୟୀନି ଜ୍ୟୋତି ମହିଳା କମ୍ପାଉଣ୍ଡ ବର୍ଗରେ ଉଭୟ ବ୍ୟକ୍ତିଗତ ଓ ମିଶ୍ରିତ ପେୟାରରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ସଫଳତାର ସପ୍ତାହ ଶେଷ କରିଥିବା ଜ୍ୟୋତି ୨ ସ୍ବର୍ଣ୍ଣ ଜିତି ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।

Advertisment

କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ଜ୍ୟୋତି ସେମିଫାଇନାଲ୍‌ରେ ବିଶ୍ବ ମାନ୍ୟତାର ଶୀର୍ଷ ବ୍ରିଟେନ୍‌ର ଈଲା ଗିବ୍‌ସନଙ୍କୁ ପରାସ୍ତ କରିବା ପରେ ଫାଇନାଲ୍‌ରେ ବିଶ୍ବ ମାନ୍ୟତାର ତୃତୀୟ କଲମ୍ବିଆର ସାରା ଲୋପେଜ୍‌ଙ୍କୁ ୧୪୯-୧୪୬ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ଜ୍ୟୋତି ମଧ୍ୟ ସାରାଙ୍କଠୁ ବିଶ୍ବ ଚାମ୍ପିଅନ୍‌ସିପ୍‌ (୨୦୨୧, ୟାଙ୍କ୍‌ଟନ୍‌) ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ।
ସେହିପରି ପଦାର୍ପଣକାରୀ ସାଥୀ ଓଜାସ୍‌ ଦେଓତାଲେ (ଦ୍ବିତୀୟ ମାନ୍ୟତାପ୍ରାପ୍ତ)ଙ୍କ ସହ ମିଶ୍ରିତ ପେୟାର ବର୍ଗ ଫାଇନାଲ୍‌ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ତାଇନିଜ୍‌ ତାଇପେ ପ୍ରତିଦ୍ବନ୍ଦ୍ବୀଙ୍କୁ ୧୫୯-୧୫୪ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଚଳିତ ବିଶ୍ବକପ୍‌ରେ ଭାରତର ଏହା ସ୍ବର୍ଣ୍ଣ ଅଭିଯାନ ଥିଲା ବେଳେ ମିଶ୍ରିତ କମ୍ପାଉଣ୍ଡ ଇଭେଣ୍ଟରେ ଦ୍ବିତୀୟ ବିଶ୍ବକପ୍‌ ସ୍ବର୍ଣ୍ଣ ହୋଇଛି। ଏହା ପୂର୍ବରୁ ୨୦୨୨ ପ୍ୟାରିସ୍‌ ବିଶ୍ବକପ୍‌ ଷ୍ଟେଜ୍‌-୩ରେ ଅଭିଷେକ ବର୍ମାଙ୍କୁ ସାଥୀ କରି ଜ୍ୟୋତି ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଚଳିତ ବିଶ୍ବକପ୍‌ ଷ୍ଟେଜ୍‌-୧ରେ ଶନିବାର ଭାରତ ଦୁଇଟି ସ୍ବର୍ଣ୍ଣ ଜିତିଥିଲା ବେଳେ ପୁରୁଷ ରିକର୍ଭ ଦଳ ମଧ୍ୟ ସ୍ବର୍ଣ୍ଣ ଜିତିବାର ସମ୍ଭାବନା ରଖିଛି। ଅତନୁ ଦାସ, ବି ଧୀରାଜ ଓ ତରୁଣଦୀପ ରାଇଙ୍କୁ ନେଇ ଗଠିତ ରିକର୍ଭ ଦଳ ରବିବାର ଫାଇନାଲ୍‌ରେ ଚୀନ୍‌କୁ ଭେଟିବ। ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଥିବା ରିକର୍ଭ ଦଳ ସ୍ବର୍ଣ୍ଣ ଜିତିଲେ ୧୩ ବର୍ଷ ଧରି ଏହି ପଦକ ମରୁଡ଼ିର ଅବସାନ ଘଟିବ। ୨୦୦୮ରେ ପ୍ରଥମ ଥର ଲାଗି ଜୟନ୍ତ ତାଲୁକଦାର, ରାହୁଲ ବାନାର୍ଜୀ ଓ ମଙ୍ଗଲ ସିଂହ ଚାମ୍ପିଆଙ୍କୁ ନେଇ ଗଠିତ ଭାରତୀୟ ଦଳ ମାଲେସିଆକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ୫ ଥର ସ୍ବର୍ଣ୍ଣ ଜିତିବାର ଗୌରବ ପାଇଛି। ଶେଷ ଥର ଲାଗି ୨୦୧୦ରେ ସିଙ୍ଘାଇରେ ଭାରତ ସ୍ବର୍ଣ୍ଣ ଜିତିଥିଲା। ଏହାପରେ ୨୦୧୪ରେ ଦୁଇ ଥର ଷ୍ଟେଜ୍‌-୧ ମେଡେଲିନ ଓ ଷ୍ଟେଜ୍‌-୪ ରୋକ୍ଲାରେ ଫାଇନାଲ୍‌ରେ ହାରି ରୌପ୍ୟ‌ରେ ସନ୍ତୁଷ୍ଟ ରହିଥିଲା।