ଭବିଷ୍ୟତରେ କ୍ରିକେଟ୍ ଖେଳାଳିମାନେ କ’ଣ କେବଳ ଆଇପିଏଲ୍ ଖେଳିବେ ?

ନୂଆଦିଲ୍ଲୀ : ଭବିଷ୍ୟତରେ କ୍ରିକେଟ୍ ଖେଳାଳିମାନେ କ’ଣ କେବଳ ଆଇପିଏଲ୍, ବିବିଏଲ ପରି ଫ୍ରାଞ୍ଚାଇଜି ଲିଗ୍ ଖେଳିବେ ? କ’ଣ ଆଗକୁ ଟେଷ୍ଟ ଓ ଦିନିକିଆ କ୍ରିକେଟ ଲୋପପାଇଯିବ ? ଏପରି ପ୍ରଶ୍ନ ପଚାରିଛନ୍ତି ଭାରତର କିମ୍ବଦନ୍ତି କ୍ରିକେଟିୟର କପିଳ ଦେବ ।

ଟି୨୦ ଲିଗ୍ କ୍ରିକେଟ ଯେପରି ଅନ୍ତର୍ଜାତୀୟ କ୍ରିକେଟକୁ ବୁଡ଼ାଇନଦିଏ ତାହା ନିଶ୍ଚିତ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ନିବେଦନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଭବିଷ୍ୟତକୁ ନେଇ ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଫୁଟବଲର ଅବସ୍ଥା ଭୋଗିବାକୁ ଯାଉଛି କ୍ରିକେଟ । ୟୁରୋପୀୟ ଲିଗ୍ ଫୁଟବଲ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଫୁଟବଲ ମ୍ୟାଚ ଅଧିକ ସଂଖ୍ୟକ ଖେଳାଯାଏ ନାହିଁ । କେବଳ ୪ ବର୍ଷରେ ଥରେ ଦେଶମାନେ ପରସ୍ପର ବିରୋଧରେ ଫୁଟବଲ ଖେଳିଥାନ୍ତି । କ୍ରିକେଟ ସମାନ ଦିଗରେ ଦୌଡୁଛି ବୋଲି ସେ କହିଛନ୍ତି । ଦ୍ବିପାକ୍ଷିକ କ୍ରିକେଟ ବିଶେଷକରି ଦିନିକିଆ କ୍ରିକେଟର ଭବିଷ୍ୟତ କଥା ଭାବିଲେ ଚିନ୍ତା ହେବାକୁ ପଡ଼େ ବୋଲି ସେ କହିଛନ୍ତି ।

ଇଂଲଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି । କିନ୍ତୁ ସେ ଅନ୍ୟ  ଦୁଇଟି ଫର୍ମାଟରେ ଖେଳିବେ । ସେହିପରି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ନିଜ ଦେଶର କେନ୍ଦ୍ରୀୟ କଣ୍ଟ୍ରାକ୍ଟରୁ ଓହରିଯାଇଛନ୍ତି ।

ଆସନ୍ତା ବର୍ଷଠାରୁ ଆଇପିଏଲ ଆହୁରି ଅଧିକ ଦିନ ପାଇଁ ଖେଳାଯିବ । ସେହିପରି ଅଷ୍ଟ୍ରେଲିଆର ବିବିଏଲ ମଧ୍ୟ ଅଧିକ ଦିନ ପାଇଁ ଖେଳାଯିବ । ଏହି ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡରରେ ସ୍ବତନ୍ତ୍ର ଝରକା ରହିବ । ଏହାକୁ ଦେଖିଲେ ଜଣାପଡ଼ୁଛି ଫୁଟବଲ ଦଶା ଭୋଗିବାକୁ ଯାଉଛି କ୍ରିକେଟ୍ ।

 

ସମ୍ବନ୍ଧିତ ଖବର