ଆର୍ଜେଣ୍ଟିନା ଆଗେଇଲା: ପରାଜୟ ସତ୍ତ୍ବେ ପୋଲାଣ୍ଡ୍‌ ପ୍ରି-କ୍ବାର୍ଟରରେ

ମେକ୍ସିକୋର ସାନ୍ତ୍ବନାମୂଳକ ବିଜୟ

ଦୋହା/ଲୁସାଇଲ: ଚଳିତ ଫିଫା ବିଶ୍ବକପ୍‌ରେ ଗ୍ରୁପ୍‌ ଅଫ୍‌ ଡେଥ୍ କୁହାଯାଉଥିବା ‘ସି’ରୁ ଆର୍ଜେଣ୍ଟିନା ଓ ପୋଲାଣ୍ଡ୍‌ ପ୍ରି-କ୍ବାର୍ଟରଫାଇନାଲ୍ ଉଠିଛନ୍ତି। ପରସ୍ପର ସହ ଖେଳିଥିବା ମୁକାବିଲାରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଥିଲା। ଫଳରେ ଆର୍ଜେଣ୍ଟିନା ଗ୍ରୁପ୍ ବିଜେତା ଭାବେ ଆଗକୁ ବଢ଼ିଛି। ପରାଜୟ ସତ୍ତ୍ବେ ପୋଲାଣ୍ଡ୍‌ ଦ୍ବିତୀୟରେ ରହି ଶୀର୍ଷ ୧୬ ଦଳରେ ସାମିଲ‌ ହୋଇଛି। ଅନ୍ୟପକ୍ଷରେ ସାଉଦି ଆରବ ବିପକ୍ଷରେ ବିଜୟୀ ହେବା ସତ୍ତ୍ବେ ମେକ୍ସିକା ବିଦାୟ ନେଇଛି। ମେକ୍ସିକୋ (-୧) ଓ ପୋଲାଣ୍ଡ୍‌ (୦) ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ମେକ୍ସିକୋ ପଛରେ ପଡ଼ିଯାଇଥିଲା।
ଦୋହାର ରସ ଅବୁ ଅବୈଦସ୍ଥିତ ୯୭୪ ଷ୍ଟାଡିୟମ୍‌ରେ ବୁଧବାର ବିଳମ୍ବିତ ରାତିରେ‌ ଖେଳାଯାଇଥିବା ଆର୍ଜେଣ୍ଟିନା-ପୋଲାଣ୍ଡ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ସାଉଦି ଆରବଠାରୁ ହାରିଯିବା ପରେ ମେକ୍ସିକୋକୁ ହରାଇ ଆଶା ଉଜ୍ଜୀବିତ ରଖିଥିଲା।

ତଥାପି ଏହି ମ୍ୟାଚ୍‌ରେ ଦଳକୁ ନିଶ୍ଚିତ ବିଜୟ ଆବଶ୍ୟକ ପଡ଼ିଥିଲା। ଅନ୍ୟପକ୍ଷରେ ଅପରାଜିତ ‌ପୋଲାଣ୍ଡ୍‌ ଅନ୍ୟୁନ ଅମୀମାଂସିତ ଆଶାରେ ପଡ଼ିଆକୁ ଓହ୍ଲାଇଥିଲା। ମେସି-ଲିୱଣ୍ଡସ୍କିଙ୍କ ଏହି ଲଢ଼େଇ ମଧ୍ୟ ବିଶ୍ବବ୍ୟାପୀ ଫୁଟ୍‌ବଲ୍ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରରେ ରହିଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡ୍ ପ୍ରାଚୀରକୁ ଭେଦ କରିପାରିନଥିଲେ। ବିଶେଷ କରି ପୋଲାଣ୍ଡ୍‌ ଗୋଲରକ୍ଷକ ୱଜେକ୍ ସିଜେନି ନାୟକ ସାଜିଥିଲେ। ୩୯ତମ ମିନିଟରେ ଭାର୍‌ ଜରିଆରେ ପର୍ତ୍ତୁଗାଲକୁ ମିଳିଥିବା ପେନାଲ୍ଟିକୁ ସେ ମଧ୍ୟ ପଣ୍ଡ କରି ଦେଇଥିଲେ। ମେସିଙ୍କ ୧୨ ୟାର୍ଡ ସ୍ପଟ୍ କିକ୍‌କୁ ରୋକି ଦେଇ ପ୍ରଶଂସିତ ହୋଇଥିଲେ। ଚଳିତ ସଂସ୍କରଣରେ ସେ ଦୁଇଟି ପେନାଲ୍ଟି ରୋକିବାରେ ମଧ୍ୟ ସଫଳ ହୋଇଥିଲେ। ୨୦୦୨ ମସିହାରେ ବ୍ରାଡ୍ ଫିଡେଲଙ୍କ ପରେ ପ୍ରଥମ ଗୋଲରକ୍ଷକ ଭାବେ ଗୋଟିଏ ସଂସ୍କରଣରେ ଦୁଇ ଥର ପେନାଲ୍ଟି ରୋକିଥିଲେ। ଅନ୍ୟପକ୍ଷରେ ମେସି ବିଶ୍ବକପ୍‌ରେ ତିନୋଟି‌ ପେନାଲ୍ଟିରୁ ୨ ମିସ୍ କରି ଏକ ଅଲୋଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୧୯୬୬ରେ ଘାନାର ଆସାମୋଆ ଜ୍ଞାନ ୪ଟିରୁ ୨ଟି ମିସ୍ କରିଥିବାରୁ ମେସି ତାଙ୍କ ସମକକ୍ଷ ହୋଇଛନ୍ତି। ଆର୍ଜେଣ୍ଟିନା ଘନ ଘନ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ କିନ୍ତୁ ଆର୍ଜେଣ୍ଟିନା ପାଇଁ ପ୍ରଥମରୁ ସଫଳତା ଦେଇଥିଲା। ୪୬ତମ ମିନିଟରେ ଆଲାକ୍ସିସ୍ ମ୍ୟାକ୍ ଆଲିଷ୍ଟର୍‌ ଏବଂ ୬୭ତମ ମିନିଟ୍‌ରେ ଜୁଲିଆନ୍‌ ଆଲଭାରେଜ୍‌ ଗୋଲ୍‌ ଦେଇ ପ୍ରଥମାର୍ଦ୍ଧର ନିରାଶାକୁ ଦୂର କରିଥିଲେ। ଶେଷକୁ ଏହି ଦୁଇ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା।

ମେକ୍ସିକୋର ସାନ୍ତ୍ବନାମୂଳକ ବିଜୟ
ଲୁସାଇଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ମେକ୍ସିକୋ ୨-୧ ଗୋଲ୍‌ରେ ସାଉଦି ଆରବକୁ ପରାସ୍ତ କରି କେବଳ ସାନ୍ତ୍ବନାମୂଳକ ବିଜୟ ଅର୍ଜନ କରିଥିଲା। ଏହି ମୁକାବିଲା ମଧ୍ୟ ପ୍ରଥମାର୍ଦ୍ଧରେ ଗୋଲଶୂନ୍ୟ ରହିଥିଲା। ମେକ୍ସିକୋ ବଲ୍‌ ନିୟନ୍ତ୍ରଣରେ ସଫଳ ହୋଇଥିଲେ ମଧ୍ୟ ଏହି ୪୫ ମିନିଟରେ ଗୋଲ୍‌ ପାଇନଥିଲା। ଲୋଜାନୋଙ୍କ କ୍ରସ୍‌ରୁ ପିନେଡ଼ା ହେଡ୍ କରିଥିଲେ ମଧ୍ୟ ଏହା ବ୍ଲକ୍ ହୋଇଯାଇଥିଲା। ଗ୍ରିନ୍‌ ଫାଲକନ୍ସ ଭାବେ ପରିଚିତ ସାଉଦି ଆରବ ପାଇଁ ପ୍ରଥମାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଶ୍ରେଷ୍ଠ ସୁଯୋଗ ମିଳିଥିଲା। ଅଲ୍‌ହାସନ୍‌ଙ୍କ ସଟ୍ କିନ୍ତୁ ଅଳ୍ପକେ ବାହାରକୁ ଚାଲିଯାଇଥିଲା। ଦ୍ବିତୀୟାର୍ଦ୍ଧ ପ୍ରାରମ୍ଭରୁ କିନ୍ତୁ ମେକ୍ସିକୋ ଅଗ୍ରଣୀ ନେଇଯାଇଥିଲା। ୪୭ତମ ମିନିଟରେ ସେସାର ମଣ୍ଟେସଙ୍କ ପାସରୁ ହେନରି ମାର୍ଟିନ ଏହ‌ି‌ ଗୋଲ୍ ଦେଇଥିଲେ। ୫୨ତମ ମିନିଟରେ ଲୁଇସ୍ ଚାଭେଜ୍ କିନ୍ତୁ ୩୦ ୟାର୍ଡରୁ ଖେଳିଥିବା ଫ୍ରି-କିକ୍‌ରୁ ମେକ୍ସିକୋକୁ ୨-୦ରେ ଆଗୁଆ କରିଦେଇଥିଲେ। ଆଉ ଏକ‌ ଗୋଲ୍ ଅଫ୍‌ ସାଇଡ୍ ‌ହୋଇଯିବାରୁ ମେକ୍ସିକା ଆଗକୁ ବଢ଼ି ପାରିନଥିଲା। ବରଂ ସାଉଦି ଆରବ ପାଇଁ ସଲିମ ଅଲଦାୱସରି (୯୫ତମ ମିନିଟ୍‌) ଇନଜ୍ୟୁରି ଟାଇମ୍‌‌ରେ ଗୋଲ୍ ଦେଇ ଦେଇଥିଲେ।

ସମ୍ବନ୍ଧିତ ଖବର