ନ୍ୟୁଜର୍ସି: କାନାଡାକୁ ୨-୦ ଗୋଲ୍‌ରେ ହରାଇ ଆର୍ଜେଣ୍ଟିନା ଲଗାତାର ଦ୍ବିତୀୟ ଥର ପାଇଁ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ଆର୍ଜେଣ୍ଟିନାର ମୁକାବିଲା ଉରୁଗୁଏ କିମ୍ବା କଲମ୍ବିଆ ସହିତ ହେବ। ଏହି ଦୁଇ ଜଣଙ୍କ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍‌ ଗୁରୁବାର ଖେଳାଯିବ। ଅନ୍ୟପକ୍ଷରେ କୋପା ଆମେରିକାରେ ଆର୍ଜେଣ୍ଟିନା ୩୦ତମ ଫାଇନାଲ୍‌ ଖେଳିବାକୁ ଯାଉଛି। ସର୍ବାଧିକ ଫାଇନାଲ୍‌ ଖେଳିଥିବା ଦଳଙ୍କ ମଧ୍ୟରେ ମେସିଙ୍କ ଦଳ ଉରୁଗୁଏ ସହିତ ମିଳିତ ଭାବେ ଶୀର୍ଷ ସ୍ଥାନରେ ରହିଛି।

Advertisment

ୟୁଲିଆନ୍‌ ଆଲଭାରେଜ୍‌ (୨୨ ମିନିଟ୍‌) ଓ ଅଧିନାୟକ ଲିଓନେଲ୍‌ ମେସି (୫୧ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଆର୍ଜେଣ୍ଟିନା ବୁଧବାର ଏହି ସଫଳତା ପାଇଛି। ଏଥିସହିତ ଚଳିତ ସଂସ୍କରଣରେ ଏହା ମେସିଙ୍କ ପ୍ରଥମ ଗୋଲ୍‌ ହୋଇଥିଲା ବେଳେ ତାଙ୍କ ଆନ୍ତର୍ଜାତିକ ଗୋଲ୍‌ ସଂଖ୍ୟା ୧୦୯‌ରେ ପହଞ୍ଚିଛି। ଫଳରେ କ୍ରିଷ୍ଟିଆନୋ ରୋନାଲ୍ଡୋ (୧୩୦) ଙ୍କ ପଛକୁ ମେସି ଦ୍ବିତୀୟ ସ୍ଥାନରେ ଅଛନ୍ତି। ଇରାନ୍‌ର ଅଲି ଦାଇ (୧୦୮) ତୃତୀୟ ଓ ଭାରତର ସୁନୀଲ ଛେତ୍ରୀ (୯୪) ଚତୁର୍ଥ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଏହି ମ୍ୟାଚ୍‌ ଜିତି କୌଣସି ବଡ଼ ପ୍ରତିଯୋଗିତାରେ ଲଗାତାର ତୃତୀୟ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି। ପୂର୍ବରୁ ୨୦୨୧ କୋପା ଆମେରିକା ଫାଇନାଲ୍‌ରେ ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ବ୍ରାଜିଲ୍‌କୁ ହରାଇଥିଲା। ସେହିପରି ୨୦୨୨ ଫିଫା ବିଶ୍ବକପ୍‌ ଫାଇନାଲ୍‌ରେ ଆର୍ଜେଣ୍ଟିନା ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ହରାଇଥିଲା।