ଅଲ୍ ରାୟନ୍: ଆର୍ଜେଣ୍ଟିନା ଓ ନେଦରଲାଣ୍ଡ୍ସ ମଧ୍ୟରେ ଚଳିତ ବିଶ୍ବକପ୍ର ଦ୍ବିତୀୟ କ୍ବାର୍ଟରଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତା ୯ ତାରିଖ ରାତି ସାଢେ ୧୨ଟାରେ ଏହି ମ୍ୟାଚ୍ ଲୁସିଆଲ୍ ଆଇକନିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଶନିବାର ଅହମ୍ମଦ ବିନ୍ ଅଲ୍ଲୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ପ୍ରି-କ୍ବାର୍ଟରଫାଇନାଲ୍ରେ ଆର୍ଜେଣ୍ଟିନା ୨-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଖେଳ ଆରମ୍ଭରୁ ଆର୍ଜେଣ୍ଟିନା ଅକ୍ତିଆରରେ ବଲ୍ ଅଧିକ ସମୟ ରହୁଥିଲା। କିନ୍ତୁ ଅଷ୍ଟ୍ରେଲିଆ ରକ୍ଷଣ ଭାଗକୁ ଭେଦିବା ସହଜ ହେଉନଥିଲା। ତଥାପି ୩୫ ତମ ମିନିଟ୍ରେ ଅର୍ଜେଣ୍ଟିନାକୁ ମିଳିଥିବା ଏକ ଫ୍ରି କିକ୍ରୁ ପ୍ରଥମ ଗୋଲ୍ ବାହାରିଥିଲା। ମେସି ପୋଷ୍ଟଠୁ ଦୂରରେ ଥାଇ ବି ବଲ୍କୁ ଗୋଲରକ୍ଷକଙ୍କ ଡାହାଣ ପଟକୁ ମାରି ନକ୍ଆଉଟ୍ରେ ପ୍ରଥମ ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ ଗୋଲ୍ରେ ଆଗୁଆ ରହିବା ପରେ ଦ୍ବିତୀୟାର୍ଦ୍ଧରେ ଜୁଲିଆନ୍ ଆଲ୍ଭାରେଜ୍ ଢିଲା ପଡ଼ିଯାଇଥିବା ରକ୍ଷଣଭାଗକୁ ଭେଦି ଦ୍ବିତୀୟ ଗୋଲ୍ ଦେଇଥିଲେ। ତଥାପି ୭୭ ମିନିଟ୍ରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ୍ ଶୁଝି ପାରିଥିଲା। କ୍ରେଗ୍ ଗୁଡ୍ୱିନ୍ ଦୂରରୁ ମାରିଥିବା ଏକ କିକ୍ ଆର୍ଜେଣ୍ଟିନାର ଏଞ୍ଜୋ ଫର୍ଣ୍ଣାଣ୍ଡେଜ୍ଙ୍କ ମୁଣ୍ଡରେ ବାଜି ପୋଷ୍ଟ ଭିତରକୁ ଚାଲିଯାଇଥିଲା। ଗୋଲରକ୍ଷକଙ୍କଠୁ ବଲ୍ ଯଥେଷ୍ଟ ଦୂରରେ ଥିବାରୁ ସେ କେବଳ ଦର୍ଶକ ହୋଇ ରହିଯାଇଥିଲେ।
ମାରାଡୋନାଙ୍କୁ ଟପିଲେ ମେସି
ବିଶ୍ବକପ୍ରେ ଗୋଲ୍ ସ୍କୋର କରିବାରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି କମ୍ବଦନ୍ତୀ ଖେଳାଳି ଡିଏଗୋ ମାରାଡୋନା ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଟପି ଯାଇଛନ୍ତି। ମାରାଡୋନା ବିଶ୍ବକପ୍ରେ ୮ ଗୋଲ୍ ଦେଇଛନ୍ତି। ହେଲେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ମେସି ଗୋଲ୍ ଦେବା ପରେ ତାଙ୍କର ବିଶ୍ବକପ୍ ଗୋଲ୍ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ଏହି ଗୋଲ୍ ଦ୍ବାରା ମେସି ଆର୍ଜେଣ୍ଟିନାର ସର୍ବାଧିକ ବିଶ୍ବକପ୍ ଗୋଲ୍ ସ୍କୋରର ତାଲିକାରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଗାବ୍ରିଏଲ୍ ବାଟିଷ୍ଟୁଟା ୧୦ ଗୋଲ୍ ସହ ଶୀର୍ଷ ସ୍ଥାନରେ ଅଛନ୍ତି। ଏପରିକି ନିଜର ୧୦୦୦ ତମ ପେସାଦାର ମ୍ୟାଚ୍ ଖେଳୁଥିବା ମେସି ଶନିବାର ବିଶ୍ବକପ୍ରେ ପ୍ରଥମର ନକ୍ଆଉଟ୍ ପର୍ଯ୍ୟାୟରେ ୭୮୯ତମ ଗୋଲ୍ ଦେଇଥିଲେ। ମେସିଙ୍କ ପେସାଦାର ମ୍ୟାଚ୍ ମଧ୍ୟରେ ବାର୍ସେଲୋନା ପାଇଁ ସର୍ବାଧିକ ୭୭୮, ଆର୍ଜେଣ୍ଟିନା ପାଇଁ ୧୬୯ ଓ ପିଏସ୍ଜି ପାଇଁ ୫୩ ମ୍ୟାଚ୍ ଖେଳିଛନ୍ତି। ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍ରେ ଏହା ତାଙ୍କର ତୃତୀୟ ଗୋଲ୍ ଥିଲା।
ଆମେରିକା ୧-୩ରେ ହାରିଲା
/sambad/media/post_attachments/wp-content/uploads/2022/12/5d4g65da4g65d4gd5a.jpg)
ଦୋହା: କାତାର ବିଶ୍ବକପ୍ରେ ନେଦରଲାଣ୍ଡ୍ସ ପ୍ରଥମ ଦଳ ଭାବେ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ପ୍ରି-କ୍ବାର୍ଟରଫାଇନାଲ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୩-୧ ଗୋଲ୍ରେ ଆମେରିକାକୁ ହରାଇ ଟ୍ରଫି ଆଡ଼କୁ ଅଗ୍ରସର ହୋଇଛି। ବିଶ୍ବକପ୍ରେ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟୁଥିଲା ବେଳେ ଅରେଞ୍ଜ ଆର୍ମି ବାଜି ମାରିନେଇଛି। ଡେଞ୍ଜେଲ୍ ଡମ୍ଫ୍ରିଜ୍ ଏହି ମ୍ୟାଚ୍ର ହିରୋ ସାବ୍ୟସ୍ତ ହୋଇଥିଲେ। ସେ ଗୋଟିଏ ଗୋଲ୍ ସ୍କୋର କରିଥିଲା ବେଳେ ଅନ୍ୟଦୁଇଟି ଜାକରେ ତାଙ୍କ ସହାୟତା ରହିଥିଲା।
ମ୍ୟାଚ୍ର ଦଶମ ମିନିଟ୍ରେ ମେମ୍ପିସ୍ ଡିପାଏଙ୍କୁ କର୍ଣ୍ଣର ପଟୁ ଡେଞ୍ଜେଲ୍ ଡମ୍ଫ୍ରିଜ୍ଙ୍କଠୁ ମିଳିଥିବା ପାସ୍କୁ ଗୋଲ୍ରେ ପରିଣତ କରାଇଥିଲେ। କିକ୍ର ଗତି ଏତେ ତୀବ୍ର ଥିଲା ଯେ, ପ୍ରତିପକ୍ଷ ଗୋଲି ମାଟ୍ ଟର୍ଣ୍ଣରଙ୍କୁ ଏହାକୁ ରୋକିବା ପାଇଁ ସମୟ ମିଳିନଥିଲା। ପ୍ରଥମାର୍ଦ୍ଧର ଶେଷ ମିନିଟ୍ରେ (୪୫+୧)ରେ ସମାନ ଢଙ୍ଗରେ ନେଦରଲାଣ୍ଡ୍ସକୁ ଦ୍ବିତୀୟ ଗୋଲ୍ ମିଳିଥିଲା। ଏଥର ମଧ୍ୟ ଡମ୍ଫ୍ରିଜ୍ ଡାହାଣ ପଟ କର୍ଣ୍ଣର ଆଡୁ ପାସ୍ ଦେଇଥିଲା ବେଳେ ଡାଲେ ବ୍ଲାଇଣ୍ଡ୍ ତାହାକୁ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ନେଦରଲାଣ୍ଡ୍ସ ୨-୦ ଗୋଲ୍ରେ ଆଗୁଆ ରହିଥିଲା। ତେବେ ସଂପୂର୍ଣ୍ଣ ମ୍ୟାଚ୍ରେ ଆମେରିକାର ସେଣ୍ଟର ଫରୱାର୍ଡ ଦୁର୍ବଳତା ବାରି ହୋଇ ପଡୁଥିଲା। ଦ୍ବିତୀୟାର୍ଦ୍ଧରେ ନିହାତି ଗୋଲ୍ ଆବଶ୍ୟକତା ହେଉଥିଲେ ବି ସେଣ୍ଟର ଫରୱାର୍ଡର ସହାୟତା ସେଭଳି କିଛି ନଥିଲା। ୬୨ ମିନିଟ୍ରେ ନେଦରଲାଣ୍ଡ୍ସ ପାଇଁ କଡ଼ି ଗାକ୍ପୋ ତୃତୀୟ ଗୋଲ୍ର ନିକଟତର ହୋଇଥିଲେ। କିନ୍ତୁ ଟର୍ଣ୍ଣର ବଲ୍କୁ ପୋଷ୍ଟ ଉପରକୁ ପଠାଇଦେବାରୁ ଏହା ବର୍ତ୍ତି ଯାଇଥିଲା। ତେବେ ୭୬ ମିନିଟ୍ରେ ହାଜି ରାଇଟ୍ ଆମେରିକା ପାଇଁ ପ୍ରଥମ ଗୋଲ୍ ଦେଇଥିଲେ ବି ୫ ମିନିଟ୍ ପରେ ଡେଞ୍ଜେଲ୍ ନେଦରଲାଣ୍ଡ୍ସ ପାଇଁ ତୃତୀୟ ଗୋଲ୍ ଦେଇ ଦଳକୁ କ୍ବାର୍ଟରଫାଇନାଲ୍ରେ ପହଞ୍ଚାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/fh6sf4h65fsh4hf6s5.jpg)