ଆର୍ଜେଣ୍ଟିନାକୁ ପାଣି ପିଆଇ‌ଲା ସ୍ପେନ୍‌

ଭୁବନେଶ୍ବର (ସୁରେଶ ସ୍ବାଇଁ): ଚଳିତ ଓଡ଼ିଶା ହକି ବିଶ୍ବକପ୍‌ରେ ଶୁକ୍ରବାର ରିଓ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ପରାଜୟରୁ ଅଳ୍ପକେ ବର୍ତିଯାଇଛି। ଦୁଇ ଦୁଇ ଥର ପଛୁଆ ରହିବା ସତ୍ତ୍ବେ ଶେଷ କ୍ବାର୍ଟର ଗୋଲ୍‌ ବଳରେ ସ୍ପେନ୍ ହାତରୁ ବିଜୟ ଛଡ଼ାଇ ନେଇଛି। ପୁଲ୍ ‘ଏ’ର ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଶ୍ବ ମାନ୍ୟତାର ୨ ନମ୍ବରରେ ଥିବା ଏହି ଦକ୍ଷିଣ ଆମେରିକୀୟ ଦେଶ ୪-୩ ଗୋଲ୍‌ରେ ସ୍ପେନ୍‌କୁ ହରାଇ ୩ ପଏଣ୍ଟ୍ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। ସାମ୍ପ୍ରତିକ ସମୟରେ ଭଲ ପ୍ରଦର୍ଶନ କରି ଆସିଥିବା ଆର୍ଜେଣ୍ଟିନାକୁ ପ୍ରଥମରୁ ହିଁ ଚକ୍‌ମା ଦେଇଥିଲେ ସ୍ପେନୀୟ ଖେଳାଳି। ବେଗ ଓ ଷ୍ଟିକ୍ ଚାଳନାର ଚମତ୍କାର ସଂଯୋଗ ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମର ଭରପୁର ସ୍କୁଲ ପିଲା ଓ ନିରପେକ୍ଷ ପ୍ରଶଂସକଙ୍କ ସମ୍ମୁଖରେ ସ୍ପେନ୍ ପ୍ରଥମେ ଗୋଲ୍‌ ଦେଇଥିଲା। ପ୍ରଥମ ଦିବସ ଭଳି ମଧ୍ୟ ତୃତୀୟ ମନିଟରେ ଗୋଲ୍‌ ଦେଖିଥିଲେ ସ୍ଥାନୀୟ ହକିପ୍ରେମୀ। ୮ ନମ୍ବର ଜର୍ସିରେ ଥିବା ଏନରିକ୍ ଗଞ୍ଜାଲେଜଙ୍କ ଫିଲଡ୍ ଗୋଲ୍ କିନ୍ତୁ ରିଓ ସ୍ବର୍ଣ୍ଣ ବିଜୟୀ ଆର୍ଜେଣ୍ଟିନାକୁ ଅଧିକ ସମୟ ବୋଝ ହୋଇନଥିଲା। ପରବର୍ତୀ ମିନିଟରେ ହିଁ ଦଳର ତାରକା ଖେଳାଳି ଅଗଷ୍ଟିନ୍ ମଜିଲିଙ୍କ ଫିଲଡ୍ ଗୋଲ୍ ମ୍ୟାଚ୍‌କୁ ବରାବର ସ୍ତରକୁ ନେଇ ଆସିଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ମ୍ୟାଚ୍‌ କିଛି ସମୟ ଆଗକୁ ବଢ଼ିଥିଲା। ଉଭୟ ଦଳ ମଧ୍ୟ ବଲ୍‌କୁ ପ୍ରତିପକ୍ଷର ଗୋଲ୍‌ ମୁହଁକୁ ନେବାର କୌଣସି ସୁଯୋଗ ଛାଡ଼ିନଥିଲେ। ‌ପ୍ରଥମ କ୍ବାର୍ଟର ଶେଷ ୨ ମିନିଟରେ କିନ୍ତୁ ୩ ଗୋଲ୍‌ କଳିଙ୍ଗ ଷ୍ଟାଡିୟମକୁ କମ୍ପାଇ ଦେଇଥିଲା। ୧୪ ମିନିଟରେ ସ୍ପେନ୍‌ର ଯୋସେଫ ରୋମିଓଙ୍କ ପେନାଲଟି କର୍ନର ହିଟ୍ ସିଧାସଳଖ ଭାବେ ଆର୍ଜେଣ୍ଟିନା ଗୋଲ୍‌ରକ୍ଷକ ଜୁଆନ ଭିଭାଲଡିଙ୍କୁ ଚକିତ କରି ଦେଇଥିଲା। ଏହାର ପ୍ରତି ବଦଳରେ କିନ୍ତୁ ଗୋଟିଏ ମିନିଟରେ ଆର୍ଜେଣ୍ଟିନା ଦୁଇଟି ଗୋଲ୍ ଲଦି ଦେଇଥିଲା। ୧୫ତମ ମିନିଟ ପ୍ରାରମ୍ଭରେ ଅଗଷ୍ଟିନ୍ ମାଜିଲିଙ୍କ ବ୍ୟକ୍ତିଗତ ଦ୍ବିତୀୟ ଫିଲଡ୍‌ ଗୋଲ୍‌ ମ୍ୟାଚ୍‌କୁ ୨-୨ ସ୍ତରକୁ ଆଣିଥିଲା। ଏହି କ୍ବାର୍ଟର ଶେଷ କ୍ଷଣରେ ମିଳିଥିବା ପେନାଲଟି କର୍ନରରୁ ଆର୍ଜେଣ୍ଟିନା ତାରକା ଖେଳାଳି ଗଞ୍ଜାଲୋ ପିଲାଟ୍ ଗୋଲ୍‌ରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ତାଙ୍କ ଶକ୍ତିଶାଳୀ ହିଟ୍‌କୁ ପ୍ରତିପକ୍ଷ ଗୋଲି କ୍ୟୁକୋ କୋର୍ଟିସ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏଥି ସହ ପ୍ରଥମ କ୍ବାର୍ଟରକୁ ଆର୍ଜେଣ୍ଟିନା ୩-୨ରେ ନିଜ ସପକ୍ଷରେ ରଖିଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଦମ୍‌ ହରାଇ ଦେବା ଭଳି ଖେଳିଥିଲେ। ନିଜ ନିଜ ରକ୍ଷଣଭାଗକୁ ଜଗିବାରେ ଅଧିକ ଧ୍ୟାନ ଦେବାରୁ ଏହି ୧୫ ମିନିଟ୍‌ ଗୋଲଶୂନ୍ୟ ରହିଥିଲା। ଫଳରେ ପ୍ରଥମାର୍ଧ ମଧ୍ୟ ଆର୍ଜେଣ୍ଟିନା ସପକ୍ଷରେ ୩-୨ରେ ରହିଥିଲା।

ପାର୍ଶ୍ବ ପରିବର୍ତନ ପରେ ସ୍ପେନ୍‌ର ଖେଳ ଷ୍ଟାଇଲ ବଦଳିଯିବା ଭଳି ଲାଗିଥିଲା। ୩୫ତମ ମିନିଟରେ ଭିସେଙ୍କ ରୁଇଜଙ୍କ ଫିଲଡ୍‌ ଗୋଲ୍ ମ୍ୟାଚ୍‌କୁ ଦ୍ବିତୀୟ ଥର ଲାଗି ବରାବର ସ୍ତରକୁ (୩-୩) ନେଇ ଆସିଥିଲା। ରୋମାଞ୍ଚ ଓ ଉତ୍କଣ୍ଠା ବି ବଢ଼ିଥିଲା। ବିଶ୍ବର ୨ ନମ୍ବର ମାନ୍ୟତା ଏବଂ ଅଲିମ୍ପିକ୍ ଚାମ୍ପିଅନ୍‌ ରହିବାର ଖ୍ୟାତିକୁ ବଜାୟ ରଖିବାକୁ ଆର୍ଜେଣ୍ଟିନାକୁ କିଛି ନୂଆ କରିବାର ଥିଲା। ଶେଷ କ୍ବାର୍ଟରକୁ ସଙ୍କଳ୍ପବଦ୍ଧ ଭାବେ ଖେଳି ବିଶ୍ବ ହକିର ଏହି ପୁରୁଣା ତଥା ସଦ୍ୟ ସଫଳ ଦଳ ବିଜୟକୁ ହାତଛଡ଼ା ହେବାକୁ ଦେଇନଥିଲା। ୪୯ତମ ମିନିଟରେ ଆର୍ଜେଣ୍ଟିନାର ପରିଚିତ ଖେଳାଳି ଗଞ୍ଜାଲୋ ପିଲାଟ ବ୍ୟକ୍ତିଗତ ଦ୍ବିତୀୟ ଗ‌ୋଲ୍ (ପେନାଲଟି କର୍ନର) ଦେଇ ଆାର୍ଜେଣ୍ଟିନାକୁ ବିଜୟ ପ୍ରଦାନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆର୍ଜେଣ୍ଟିନା ନିଜର ପରବର୍ତୀ ମ୍ୟାଚ୍‌ ଡିସେମ୍ବର ୧୬ ତାରିଖରେ ସ୍ପେନ୍ ସହିତ ଖେଳିବ।

ଅଗଷ୍ଟିନ୍ ମାଜିଲି ଶ୍ରେଷ୍ଠ
ପ୍ରଥମେ ଗୋଲ୍‌ ବରଣ କରିବା ପରେ ମ୍ୟାଚ୍‌କୁ ତୁରନ୍ତ ଆର୍ଜେଣ୍ଟିନା ପକ୍ଷକୁ ଆଣିବାରେ ବଡ଼ ଭୂମିକା ତୁଲାଇଥିଲେ ୨୯ ବର୍ଷୀୟ ଅଭିଜ୍ଞ ଫରୱାର୍ଡ ଅଗଷ୍ଟିନ୍ ମାଜିଲି। ବ୍ୟକ୍ତିଗତ ଭାବେ ଦୁଇଟି ଗୋଲ୍‌ ଦେଇ ମାଜିଲି (୪ ଓ ୧୫ ମନିଟ) ମଧ୍ୟ ଦଳକୁ ଥରେ ଲେଖାଏଁ ବରାବର ଏବଂ ଅଗ୍ରଣୀ ରଖିଥିଲେ। ମ୍ୟାଚ୍‌ ସାରା ତାଙ୍କ ଗତି ଓ ଚତୁର ଷ୍ଟିକ ଚାଳନା ପାଇଁ ଶେଷରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦେଶ ପାଇଁ ୧୮୭ ମ୍ୟାଚ୍ ଖେଳିଥିବା ମାଜିଲି ୨୦୧୬ ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ଏବଂ ୨୦୧୪ ହେଗ୍ ବିଶ୍ବକପ୍ କାଂସ୍ୟ ପଦକ ଜିତିବାର ଗୌରବ ରଖିଛନ୍ତି। ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ତାଙ୍କୁ ୫୦,୦୦୦ ଟଙ୍କାର ଚେକ୍ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର