ଆଉ ୨ ଦିନ: ଅଭ୍ୟାସ ମ୍ୟାଚ୍‌ରେ ଜିତିଲେ ଆର୍ଜେଣ୍ଟିନା, ଜର୍ମାନି, କ୍ରୋଏସିଆ; ମେକ୍ସିକୋ ପରାସ୍ତ

ପୂରା ୯୦ ମିନିଟ୍‌ ଖେଳିଲେ ମେସି

ଆବୁଧାବି: ଲିଓନେଲ୍‌ ମେସିଙ୍କ ଗୋଲ୍‌ ସହାୟତାରେ ବିଶ୍ବକପ୍‌ ପୂର୍ବରୁ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୫-୦ରେ ୟୁଏଇକୁ ହରାଇଛି। ମେସି ଦଳର ଚତୁର୍ଥ ଗୋଲ୍‌ (୪୪ ମିନିଟ୍‌) ସ୍କୋର୍‌ କରିଥିଲେ। ଜୁଲିଆନ୍‌ ଅଲ୍‌ଭାରେଜ୍‌ ୧୭ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲା‌ ବେଳେ ଆଞ୍ଜେଲ୍‌ ଡି ମାରିଆ ୨୫ ଓ ୩୬ତମ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲେ। ଜୋଆକ୍ବିନ୍‌ କୋରିଆ ୬୦ ମିନିଟ୍‌ରେ ଶେଷ ଗୋଲ୍‌ ସ୍କୋର କରି ଦଳକୁ ଏକତରଫା ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧ ବେଳକୁ ଅର୍ଜେଣ୍ଟିନା ପ୍ରଶିକ୍ଷକ ଲିଓନେଲ୍‌ ସ୍କାଲୋନି ୪ ଜଣଙ୍କୁ ବଦଳ କରାଇଥିଲେ। ହେଲେ ମେସିଙ୍କୁ ବିଶ୍ରାମ ଦିଆନଯାଇ ପୂର୍ଣ୍ଣ ୯୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କୁ ଖେଳାଯାଇଥିଲା। ମେସି ଆର୍ଜେଣ୍ଟିନା ପାଇଁ ଖେଳିଥିବା ଶେଷ ୫ ମ୍ୟାଚ୍‌ରେ ୧୦ ଗୋଲ୍‌ ସ୍କୋର କରିସାରିଲେଣି। ତାଙ୍କର ମୋଟ ଗୋଲ୍‌ ସଂଖ୍ୟା ୯୧ରେ ପହଞ୍ଚିଛି। ବିଶ୍ବକପ୍‌ରେ ସାଉଦି ଆରବ ବିପକ୍ଷରେ ୨୨ ତାରିଖରେ ଆର୍ଜେଣ୍ଟିନା ପ୍ରଥମ ମ୍ୟାଚ୍‌ ଖେଳିବ। ଏଥିସହିତ ଗ୍ରୁପ୍‌ ‘ସି’ରେ ମେକ୍ସିକୋ ଓ ପୋଲାଣ୍ଡ ବିପକ୍ଷରେ ଦଳର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ରହିଛି।

ଜମାନିକୁ ଜିତାଇଲେ ଫୁଲ୍‌କ୍ରୁଗ୍‌

ମସ୍କାଟ୍‌ରେ ଖେଳାଯାଇଥିବା ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଜର୍ମାନି ୧-୦ ଗୋଲ୍‌ରେ ଓମାନ୍‌କୁ ହରାଇଛି। ବିଜୟୀ ଦଳ ପାଇଁ ନିକ୍ଲାସ୍‌ ଫୁଲ୍‌କ୍ରୁଗ୍‌ ଦ୍ବିତୀୟାର୍ଦ୍ଧ (୮୦ ମିନିଟ୍‌)ରେ ଏହି ଗୋଲ୍‌ ଦେଇଥିଲେ। ତେବେ ୭୨ ମିନିଟ୍‌ରେ ଓମାନ୍‌ର ବଦଳ ଖେଳାଳି ଅଲ୍‌ ଘସାନିଘ ଚମତ୍କାର ପ୍ରୟାସ କରିଥିଲେ ମଧ୍ୟ ବଲ୍‌ ଅଳ୍ପକେ ପୋଷ୍ଟ ବାହାରକୁ ଚାଲିଯାଇଥିଲା। ପ୍ରଥମାର୍ଦ୍ଧରେ ଜର୍ମାନି ଧିମା ଖେଳିଥିଲା। କିନ୍ତୁ ଫୁଲ୍‌କ୍ରୁଗ୍‌ଙ୍କ ଗୋଲ୍‌ ପରେ ଦଳ ଅଧିକ ଆକ୍ରମଣାତ୍ମକ ହୋଇଥିଲା। ପଦାର୍ପଣ କରିବାକୁ ଯାଉଥିବା ୟୁସୁଫା ମୁକୋକୋ ମଧ୍ୟ ପ୍ରଥମାର୍ଦ୍ଧରେ ଏକ ନିଶ୍ଚିତ ଗୋଲ୍‌କୁ ହାତଛଡ଼ା କରିଥିଲେ। ୧୯୫୪ରେ ପଦାର୍ପଣ କରିଥିବା ୟୁଇ ସିଲରଙ୍କ ପରେ ୟୁସୁଫା ଜର୍ମାନିର ସବୁଠୁ କମ୍‌ ବୟସର ପଦାର୍ପଣକାରୀ ହେବାକୁ ଯାଉଛନ୍ତି। ସିଲରଙ୍କ ପଦାର୍ପଣ ବୟସ ତୁଳନାରେ ୟୁସୁଫା ୧୬ ଦିନ ସାନ ଅଛନ୍ତି। ଗ୍ରୁପ୍‌ ‘ଇ’ରେ ଜର୍ମାନିର ମୁକାବିଲା ଜାପାନ୍‌, ସ୍ପେନ୍‌ ଓ କୋଷ୍ଟାରିକା ସହିତ ହେବ।

ସାଉଦି ଆରବକୁ ହରାଇଲା କ୍ରୋଏସିଆ

ଆନ୍ଦ୍ରେଜ୍‌ କ୍ରାମାରିକ୍‌ଙ୍କ ବିଳମ୍ବିତ ଗୋଲ୍‌ ବଳରେ ରିୟାଧରେ ଖେଳାଯାଇଥିବା ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ କ୍ରୋଏସିଆ ୧-୦ରେ ସାଉଦି ଆରବକୁ ହରାଇଛି। କ୍ରୋଏସିଆର ତାରକା ଖେଳାଳି ଲୁକା ମୋଦ୍ରିକ୍‌ ମାତ୍ର ୧୫ ମିନିଟ୍‌ ପାଇଁ ପଡ଼ିଆକୁ ଆସିଥିଲେ। ତଥାପି ‌କ୍ରାମାରିକଙ୍କ ପାଇଁ ଗୋଲ୍‌ ସୁଯୋଗ ସୃଷ୍ଟି କରିବାକୁ ଏହା ଯଥେଷ୍ଟ ଥିଲା। ୮୨ତମ ମିନିଟ୍‌ରେ ସେ ତାଙ୍କର ୨୦ତମ ଆନ୍ତର୍ଜାତିକ ଗୋଲ୍‌ ଦେବାରେ ସଫଳ ହୋଇଥିଲେ। ମ୍ୟାଚ୍‌ ଆରମ୍ଭରୁ କମ୍‌ ଅଭିଜ୍ଞତା ଥିବା ଖେଳାଳିଙ୍କୁ ପ୍ରଶିକ୍ଷକ ଜିଲାଟ୍‌କୋ ଡାଲିକ୍‌ ପଡ଼ିଆକୁ ଛାଡ଼ିଥିଲେ। କିନ୍ତୁ ଦ୍ବିତୀୟାର୍ଦ୍ଧରେ ଚେଲ୍‌ସି ମିଡ୍‌ଫିଲ୍ଡର ମାତେଓ କୋଭାସିସ୍‌, ହଫେନହେମ୍‌ ଫରୱାର୍ଡ କ୍ରାମାରିକ୍‌,‌ ଟଟେନ୍‌ହାମ୍‌ ମିଡ୍‌ଫିଲ୍ଡର ଇଭାନ୍‌ ପେରିସିକ୍‌ ଓ ରିଅଲ୍‌ ମାଦ୍ରିଦ୍‌ର ମୋଡ୍ରିକ୍‌ଙ୍କୁ ଖେଳିବାକୁ ଛ‌ାଡ଼ିବାରୁ ସାଉଦି ଆରବ ଉପରେ ଚାପ ବଢ଼ିଥିଲା। କ୍ରୋଏସିଆ ଗ୍ରୁପ୍‌ ‘ଏଫ୍‌’ରେ ବେଲଜିୟମ୍‌, କାନାଡା ଓ ମରାକ୍କୋ ସହିତ ‌ପ୍ରତିଦ୍ବନ୍ଦ୍ବିତା କରିବ। ଅନ୍ୟ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ରବର୍ଟ ଲିୱାଣ୍ଡୋସ୍କିଙ୍କ ଅନୁପସ୍ଥିତି ସତ୍ତ୍ବେ ପୋଲାଣ୍ଡ ୧-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ୱାର୍‌ସରେ ଖେଳାଯାଇଥିବା ଏହି ଅଭ୍ୟାସ ମ୍ୟାଚ୍‌ରେ କ୍ରିଜିସ୍‌ଜତୋଫ୍ ପିଆତେକ୍‌ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ। ଅନ୍ୟପକ୍ଷରେ ସ୍ପେନ୍‌ର ଜିରୋନାରେ ମେକ୍ସିକୋ ଖେଳିଥିବା ତାହାର ଶେଷ ଅଭ୍ୟାସ ମ୍ୟାଚ୍‌ରେ ସ୍ବିଡେନ୍‌ଠୁ ୧-୨ ଗୋଲ୍‌ରେ ହାରିଯାଇଛି। ସେହିପରି ଅନ୍ୟ ଏକ ଅଭ୍ୟାସ ମ୍ୟାଚ୍‌ରେ ଦ୍ବିତୀୟାର୍ଦ୍ଧରେ ୪ ମିନିଟ୍‌ ମଧ୍ୟରେ ମହମ୍ମଦ ସାଲିସୁ ଓ କମଲଡିନ୍‌ ସୁଲେମନଙ୍କ ଦୁଇଟି ଗୋଲ୍‌ ବଳରେ ଘାନା ୨-୦ରେ ସ୍ବିଜରଲାଣ୍ଡ୍‌କୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର