ବୁଏନସ୍ ଏୟାର୍ସ : ଲିଓନେଲ୍ ମେସିଙ୍କ ପେନାଲଟି ବଳରେ ଆର୍ଜେଣ୍ଟିନା ଗୁରୁବାର ରାତିରେ ଇକ୍ବେଡରକୁ ୧-୦ ଗୋଲ୍ରେ ହରାଇ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ଅଭିଯାନ ଆରମ୍ଭ କରିଛି। ବୁଏନସ୍ ଏୟାର୍ସର ବୋମ୍ବେନେରା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର ୧୨ତମ ମିନିଟରେ ପେନାଲ୍ଟି ଅଞ୍ଚଳରେ ଲୁକାସ୍ ଓକାମ୍ପସଙ୍କୁ ଫାଉଲ୍ ମାରିବାରୁ ଆର୍ଜେଣ୍ଟିନାକୁ ପେନାଲଟି ମିଳିଥିଲା। ମେସି ଏହାକୁ ଗୋଲରେ ପରିଣତ କରିବା ପରେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ। ବିଜୟରୁ ଅଭିଯାନ ଆରମ୍ଭ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ମେସି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୩ ମସିହା କୋପା ଆମେରିକା ଟ୍ରଫି ପରଠାରୁ ଆର୍ଜେଣ୍ଟିନା ଆଉ କୌଣସି ପ୍ରମୁଖ ମୁକୁଟ ଜିତିନାହିଁ। ପ୍ରଶିକ୍ଷକ ଲିଓନେଲ୍ ସ୍କୋଲାନିଙ୍କ ଅଧୀନରେ ଆର୍ଜେଣ୍ଟିନା ମଧ୍ୟ ୮ଟି ମ୍ୟାଚ୍ରେ ଅପରାଜିତ ରହିଛି। ଆର୍ଜେଣ୍ଟିନା ନିଜ ପରବର୍ତୀ ମ୍ୟାଚ୍ ମଙ୍ଗଳବାର ବଲିଭିଆ ସହ ଲା ପାଜରେ ଖେଳିବ। ସେହିଦିନ ଇକ୍ବେଡର ଭେଟିବ ଉରୁଗୁଏକୁ। ଗୁରୁବାର ଅନ୍ୟ ମ୍ୟାଚ୍ରେ ଉରୁଗୁଏ ୨-୧ରେ ଚିଲିକୁ ପରାସ୍ତ କରିଥିଲା। ସୂଚନାଯୋଗ୍ୟ ଦକ୍ଷିଣ ଆମେରିକାର ୧୦ ଦଳୀୟ ଗ୍ରୁପ୍ରୁ ଶ୍ରେଷ୍ଠ ୪ ଦେଶ ସ୍ବତଃ ୨୦୨୨ କାତାର ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପଞ୍ଚମ ସ୍ଥାନରେ ରହିବା ଦଳକୁ ଅନ୍ତଃରେଜିଓନାଲ୍ ପ୍ଲେ ଅଫ୍ ଖେଳିବାକୁ ପଡିବ।
ସର୍ବିୟା, ସ୍କଟଲାଣ୍ଡ, ନର୍ଦର୍ଣ୍ଣ ଆୟର୍ଲାଣ୍ଡକୁ ୟୁରୋ ପ୍ଲେ ଅଫ୍ ଯୋଗ୍ୟତା
ଅସଲୋ : ଦ୍ବିତୀୟାର୍ଧର ବଦଳ ଖେଳାଳି ସର୍ଗେଜ୍ ମିଲିଙ୍କୋଭିକ୍ ସାଭିକଙ୍କ ଗୋଲ୍ ବଳରେ ସର୍ବିଆ ଅତିରିକ୍ତ ସମୟରେ ନରୱେକୁ ପରାସ୍ତ କରି ୟୁରୋ ୨୦୨୦ ପ୍ଲେ ଅଫ୍ରେ ପହଞ୍ଚିଯାଇଛି। ସେହିଭଳି ସ୍କଟଲାଣ୍ଡ, ନର୍ଦର୍ଣ୍ଣ ଆୟର୍ଲାଣ୍ଡ ମଧ୍ୟ ଅନ୍ୟ ୭ ଯୋଗ୍ୟତା ଦଳ ସହ ସହ ସାମିଲ ହୋଇଛନ୍ତି। ନର୍ଦର୍ଣ୍ଣ ଆୟର୍ଲାଣ୍ଡ ୪-୩ ପେନାଲ୍ଟିରେ ବୋସନିଆକୁ ପରାସ୍ତ କରିବା ପରେ ସ୍ଳୋଭାକିଆକୁ ଭେଟିବାକୁ ଯାଉଛି। ଆସନ୍ତାବର୍ଷର ୟୁରୋ କପ୍ ଯୋଗ୍ୟତା ଲାଗି ୧୨ ତାରିଖରେ ସର୍ବିୟା ଭେଟିବ ସ୍କଟଲାଣ୍ଡକୁ। ୨୦୦୮ରେ ସ୍ବାଧୀନତା ଲାଭ କରିଥିବା କସୋଭୋ ୧୫ ମ୍ୟାଚ୍ ଅପରାଜେୟ ଧରା ସହିତ ମଧ୍ୟ ପ୍ଲେ ଅଫ ଦୌଡ଼ରେ ସାମିଲ ହୋଇଛି। ଚଳିତ ବର୍ଷ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଜୁନ୍କୁ ଘୁଞ୍ଚିଯାଇଛି।