‘ଧୋନିଙ୍କ ମହାନତାକୁ ନେଇ ଯୁକ୍ତି ଅଯଥାର୍ଥ’

ଅଠର’ର ଧୋନି ଧମାକାକୁ ମନେ ପକାଇଲେ ଆଣ୍ଡରସନ୍

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ୨ ଥର ବିଶ୍ବକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତି ଉଚ୍ଚ ସମ୍ମାନ ଦେଖାଇଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ କେଭିନ୍ ପିଟରସନ୍‌। ଧୋନିଙ୍କଠାରୁ ପ୍ରତ୍ୟେକ ଲୋକ ଏତେ ଆଶା କରନ୍ତି ଯେ ତାକୁ ମାପିବା କଷ୍ଟକର। ସେ କିଭଳି ଭାବେ ତାଙ୍କ ଜୀବନ ଜୀଇଁବେ ଜାଣିଛନ୍ତି। ଏହା ‌ସେ ଭାରତୀୟ ଦଳ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସର ନେତୃତ୍ବ ନେବାଠାରୁ ଜାଣିଛନ୍ତି। ତାଙ୍କ ମହାନତା ଉପରେ ପ୍ରଶ୍ନ କରାଯାଇ ପାରିବ ନାହିଁ କି ଯୁକ୍ତି କରିହେବ ନାହିଁ ବୋଲି ଇଂଲଣ୍ଡ ପାଇଁ ୧୦୪ ଟେଷ୍ଟ୍ ଖେଳିଥିବା ପିଟରସନ୍‌ ପ୍ରକାଶ କରିଛନ୍ତି। ଧୋନିଙ୍କ ଅଧୀନରେ ଭାରତ ୨୦୦୭ ଟି-୨୦ ବିଶ୍ବକପ୍‌, ୨୦୧୧ ଆଇସିସି ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ସହ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳ ବି ହୋଇଥିଲା। ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମଧ୍ୟ ୩ ଥର ଆଇପିଏଲ୍‌ ବିଜେତା (୨୦୧୦, ୨୦୧୧, ୨୦୧୮) କରାଇଥିଲେ ଧୋନି। ଆଇପିଏଲ୍‌ ଜରିଆରେ ଧୋନି ଚଳିତ ବର୍ଷର ଟି-୨୦ ବିଶ୍ବକପ୍‌ ଦଳକୁ ଫେରିବା ସମ୍ଭାବନା ଥିଲେ ମଧ୍ୟ କରୋନା ମହାମାରୀ କାରଣରୁ ଏହା ବିଳମ୍ବିତ ହୋଇଛି। ଏଥି ପାଇଁ ଧୋନିଙ୍କ ପ୍ରତ୍ୟାବର୍ତନ ଝୁଲି ରହିଛି। ଗତବର୍ଷ ଜୁଲାଇରେ ବିଶ୍ବକପ୍‌ ସେମିଫାଇନାଲ୍ ଖେଳିବା ପରଠାରୁ ଧୋନି ଆଉ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଖେଳିନାହାନ୍ତି।

ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସକୁ ୨ ଥର ବିଜେତା କରିଥିବା ଏହାର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର କହିଛନ୍ତି, ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲଙ୍କୁ ଯଦି ଦଳ ଆଗରୁ କିଣିଥାନ୍ତା ତେବେ ଅଧିକ ଗୋଟିଏ ଦୁଇଟି ମୁକୁଟ ହାସଲ କରିପାରିଥାନ୍ତା। ସୂଚନାଯୋଗ୍ୟ, ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ୨୦୧୨ ଓ ୨୦୧୪ରେ ଟ୍ରଫି ବିଜେତା ହୋଇଥିଲା। ଗମ୍ଭୀର ଏବେ କ୍ରିକେଟ୍ ଛାଡ଼ି ଭାଜପାର ଲୋକସଭା ସାଂସଦ ପାଲଟିଛନ୍ତି।

ଅକଲାଣ୍ଡ: ଆଇପିଏଲ୍‌ର ଜନ୍ମବାର୍ଷିକୀରେ ନ୍ୟୁଜିଲାଣ୍ଡର ଯୁବ ଅଲରାଉଣ୍ଡର କୋରି ଆଣ୍ଡରସନ୍ ଶନିବାର ୨୦୧୮ ମସିହାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କରିଥିବା ଧୁଆଁଧାର ବ୍ୟାଟିଂକୁ ମନେ ପକାଇଛନ୍ତି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳା ଯାଇଥିବା ସେହି ମ୍ୟାଚ୍‌କୁ ମନେ ପକାଇ ଆଣ୍ଡରସନ୍ କହିଛନ୍ତି ଯେ ସେଦିନ ଚେନ୍ନାଇକୁ ବିଜୟ ପାଇଁ ଶେଷ ତିନି ଓଭରରରୁ ୪୫ ରନ୍‌ର ଦରକାର ଥିଲା। ଧୋନି ଏମିତି ବ୍ୟାଟିଂ କରିଥିଲେ ଯେ ଚେନ୍ନାଇକୁ ୨ ବଲ୍ ବାକି ଥାଇ ବିଜୟୀ କରାଇଥିଲେ। ଧୋନିଙ୍କ ପ୍ରଶଂସା କରି ଆଣ୍ଡରସନ୍ କହିଛନ୍ତି, ”ଧୋନି କ୍ରିକେଟ୍ ଦୁନିଆର ଅନ୍ୟତମ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍, ଶ୍ରେଷ୍ଠ ଫିନିସର। ତାଙ୍କୁ ବୋଲିଂ କରିବା ଅତ୍ୟନ୍ତ କଷ୍ଟକର। ବିରାଟ କୋହଲିଙ୍କୁ ମୁଁ ଲଙ୍ଗ୍ ଅନ୍ ଓ ଏବି ଡିଭିଲିୟର୍ସଙ୍କୁ ଲଙ୍ଗ୍ ଅପ୍‌‌ରେ ରଖିଥିଲି। ସେମାନେ ମୋତେ ଦୌଡ଼ି ଦୌଡ଼ି କ’ଣ କରିବା ଦରକାର, କ’ଣ କରିବାକୁ ହେବ, ତାହା କହୁଥିଲେ, ହେଲେ ଫଳ କିଛି ହୋଇ ନଥିଲା। ଧୋନି ତାଙ୍କ ମନ ଇଚ୍ଛା ରନ୍ ସଂଗ୍ରହ କରିଥିଲେ। ତେବେ ଭଲ କଥା ହେଲା ଆପଣ ଥରେ ଧୋନିଙ୍କୁ ବୋଲିଂ କରି ସାରିଲା ପରେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାର ଆତ୍ମବିଶ୍ବାସ ମିଳିଯାଇଥାଏ। ଧୋନିଙ୍କ ଧୂଲେଇ ପରେ ଆପଣ ଜଣେ ଭଲ କ୍ରିକେଟର ହୋଇ ବାହାରି ପାରିବେ।” ସୂଚନାଯୋଗ୍ୟ ଯେ ଏହି ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ଧୋନିଙ୍କ ଅପରାଜିତ ୭୦ ରନ୍ ବଳରେ ୧୯.୪ ଓଭରରେ ୨୦୭ ରନ୍ କରି ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର