ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡ଼ିଆ ଠାରେ ୨୦ତମ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୀର ଅରିଜିତ ଜେନା ଶ୍ରେଷ୍ଠ ବିବେଚିତ ହୋଇ ଚଳିତବର୍ଷର ମିଷ୍ଟର୍ ଓଡ଼ିଶା ସମ୍ମାନ ଲାଭ କରିଛନ୍ତି। ସେ ୯୦କେଜି ବର୍ଗରେ ଅଂଶଗ୍ରହଣ କରି ପ୍ରଥମସ୍ଥାନ ହାସଲ କରିଥିଲେ। ନବରଂଗପୁରର ଶଶାଙ୍କ ଶେଖର ସାହୁ ପ୍ରଥମ ଉପବିଜେତା ସହ ମୋଷ୍ଟ ଇମ୍ପ୍ରୁଭଡ୍ ବଡି ବିଲ୍ଡର ସମ୍ମାନ ଲାଭ କରିଛନ୍ତି। ସେ ୭୦କେଜି ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଗଂଜାମର ଜିତେନ୍ଦ୍ର କୁମାର ପଲେଇ ଦ୍ବିତୀୟ ଉପବିଜେତା ହେବା ସହ ବେଷ୍ଟ ପୋଜର୍ ସମ୍ମାନ ଲାଭ କରିଥିଲେ। ସେ ୮୦କେଜି ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ।
ପୁରୁଷ ବର୍ଗର ୧୬୫ ସେମିରୁ ଊର୍ଦ୍ଧ୍ବ ଫିଟନେସ୍ (ସ୍ପୋର୍ଟ୍ସ ଫିଜିକ୍)ରେ ପୁରୀର ନରହରି ସାହୁ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଭୁବନେଶ୍ବରର ଜିତେନ୍ଦ୍ର ବାରିକ ଏବଂ ସନ୍ତୋଷ କୁମାର ଶତପଥୀ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୬୫ ସେମିରୁ କମ୍ ବର୍ଗରେ ଜଗତସିଂପୁରର ନାରାୟଣ ବିଷୋୟୀ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ପୁରୀର ସାତ୍ତ୍ବିକ ପଟ୍ଟନାୟକ ଏବଂ ରଘୁନାଥ ମହାପାତ୍ର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳାବର୍ଗ ଫିଟନେସ୍ (ସ୍ପୋର୍ଟ୍ସ ଫିଜିକ୍)ରେ ଗଂଜାମର ଶୁଭଶ୍ରୀ ସାହୁ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଅନୁପମା ସ୍ବାଇଁ ତୃତୀୟ ଏବଂ ଜଗତସିଂପୁରର ପ୍ରଜାକ୍ତା ଦାସ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆସନ୍ତାମାସ ୧୬-୧୭ତାରିଖ ପଞ୍ଜାବର ଲୁଧିଆନାଠାରେ ଅନୁଷ୍ଠିତ ହେବାକୁ ଥିବା ମିଷ୍ଟର୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଗଂଜାମ ଜିଲ୍ଲା ଆମେଚର ବଡିବିଲ୍ଡିଂ ଆସୋସିଏସନ୍ର ସାଧାରଣ ସମ୍ପାଦକ ଏସ୍ ରାଜେଶ ବାବୁ ଆଚାରୀ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ବିଚାରକ ଭି.ବେଣୁଗୋପାଳ ରାଓଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜକ ଗଂଜାମ ଜିଲ୍ଲା ବଡିବିଲ୍ଡିଂ ଆସୋସିଏସନ୍ର ପୃଷ୍ଠପୋଷକ ପ୍ରଦୀପ କୁମାର ଶତପଥୀ, ବିଚାରକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସୋମନାଥ ନନ୍ଦ, ଏସ୍ ସନ୍ତୋଷ କୁମାର ଆଚାରୀ, ଜଗନ୍ନାଥ ପ୍ରସାଦ ସାହୁ, ଅନ୍ତର୍ଜାତୀୟ ବିଚାରକ ଉମାଚରଣ ଶତପଥୀ, ନାରାୟଣ ସାହୁ, ରାଜ୍ୟ ବଡିବିଲ୍ଡିଂ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, କୋଷାଧ୍ୟକ୍ଷ ତରୁଣ କୁମାର ଚାଟାର୍ଜି, ରାଜ୍ୟ ଭାରୋତ୍ତୋଳନ ସଂଘ ସଭାପତି ଇଂ.ଚିତ୍ତରଂଜନ ସ୍ବାଇଁ ଉପସ୍ଥିତ ରହି ପରିଚାଳନା କରିଥିଲେ।