ଭୁବନେଶ୍ୱର: ଶନିବାରର ପ୍ରଥମ ମ୍ୟାଚ୍‌ରେ ବେଲ୍‌ଜିୟମ ଓ ଆର୍ଜେଣ୍ଟିନା ଭେଟାଭେଟି ହୋଇଥିଲେ। ଏହି ମ୍ୟାଚ୍‌କୁ ବେଲଜିୟମ ୩-୨ରେ ଜିତି ନେଇଥିଲା। ବିଶ୍ୱ ମାନ୍ୟତାରେ ଆର୍ଜେଣ୍ଟିନାଠାରୁ ତଳେ ଥିଲେ ମଧ୍ୟ ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟରରେ ବେଲ୍‌ଜିୟମ ଆଶ୍ଚର୍ଯ୍ୟଜନକ ଭାବେ ଆଧିପତ୍ୟ ବିସ୍ତାର କରିଥିଲା। ଘନଘନ ଆକ୍ରମଣ କରି ଆର୍ଜେଣ୍ଟିନାକୁ ଘାଇଲା କରି ଦେଇଥିଲା। ସେପଟେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା ପୂରା ଲୟରେ ନଥିଲା ଭଳି ଲାଗିଥିଲା। ହେଲେ ଏହି ଦଳଠାରୁ ଦୁଇଟି ସ୍ଥାନ ତଳେ ଥିବା ବେଲ୍‌ଜିୟମ (ତୃତୀୟ) ନିଜ ରଣନୀତିର ସଫଳ ରୂପାୟନ ସହ ଆର୍ଜେଣ୍ଟିନା ଖେଳାଳିଙ୍କୁ ଏକପ୍ରକାର ଚକିତ କରି ଦେଇଥିଲା। ନବମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରି ବେଲଜିୟମର ୨୫ ନମ୍ବର ଜର୍ସି ପିନ୍ଧିଥିବା ଖେଳାଳି ଲୋଇକ ଲାପାର୍ଟ ମ୍ୟାଚ୍‌ରେ ଗୋଲ୍‌ ଖାତା ଖୋଲିଥିଲେ। ତେବେ ପ୍ରଥମ କ୍ୱାର୍ଟରର ଶେଷ ୬ ମିନିଟ୍‌ରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ସେହିଭଳି ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟର ବି ଗୋଲ୍‌ ଶୂନ୍ୟ ରହିଥିଲା। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ବେଲ୍‌ଜିୟମ ସେହି ୧-୦ରେ ଆଗୁଆ ରହିଥିଲା। ହେଲେ ଚତୁର୍ଥ କ୍ୱାର୍ଟର ବେଶ୍‌ ଘଟଣା ବହୁଳ ରହିଥିଲା। ପ୍ରଥମ ତିନି କ୍ୱାର୍ଟରରେ ତାଳମେଳ ପାଇଁ ସଂଘର୍ଷ କରୁଥିବା ଆର୍ଜେଣ୍ଟିନା ନିଜ ଖେଳର ସ୍ତର ବଢ଼ାଇ ପାଞ୍ଚ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇଥିଲା। କିନ୍ତୁ ବେଲ୍‌ଜିୟମ ଆଉ ଦୁଇଟି ଗୋଲ୍‌ କରି ବିଜୟର ସ୍ୱାଦ ଚାଖିଥିଲା। ଚତୁର୍ଥ କ୍ୱାର୍ଟରରେ ବେଲ୍‌ଜିୟମ ପକ୍ଷରୁ କ୍ୟୁଷ୍ଟର୍ସ ଆମାଉରେ (୫୧ ମିନିଟ୍‌) ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଟମ୍‌ ବୁନ୍‌ (୫୬ ମିନିଟ୍‌) ପେନାଲ୍ଟି କର୍ନରକୁ ଗୋଲ୍‌ କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ୫୨ ମିନିଟ୍‌ରେ ମାଇକୋ କ୍ୟାସେଲା ଫିଲ୍ଡ ଗୋଲ୍‌ ଦେବା ପରେ ପୂର୍ବରୁ ଏକାଧିକ ବାର କଳିଙ୍ଗ ଷ୍ଟାଡିୟମରେ ଖେଳି ସାରିଥିବା ଗୋଞ୍ଜାଲୋ ପେଲେଟେ୍‌ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ (୫୭ ମିନିଟ୍‌)ରେ ପରିଣତ କରିଥିଲେ। ଲାପାର୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବେଲ୍‌ଜିୟମର ସେବାସ୍ତିଆନ୍‌ ଡକର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ହାସଲ କରିଥିଲେ।

Advertisment

ବିପର୍ଯ୍ୟୟ ସୃଷ୍ଟିକଲା ସ୍ପେନ୍‌

publive-image

ଶନିବାରର ଦ୍ୱିତୀୟ ମୁକାବିଲାରେ ନେଦରଲାଣ୍ଡକୁ ସ୍ପେନ୍‌ ଭେଟିଥିଲା। ଏଥିରେ ବିଶ୍ୱ ମାନ୍ୟତାର ନବମ ସ୍ଥାନରେ ଥିବା ସ୍ପେନ୍‌ ଚତୁର୍ଥ ସ୍ଥାନରେ ଥିବା ନେଦରଲାଣ୍ଡକୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ନେଦରଲାଣ୍ଡ ପସନ୍ଦର ଦଳ ଭାବେ ଖେଳ ଆରମ୍ଭ କରିଥିଲା। ହେଲେ ସମୟ ଗଡ଼ିବା ସହ ସ୍ପେନ୍‌ ଏହି ଦଳର ଦୋଷ ଦୁର୍ବଳତାକୁ ଠିକ୍‌ ଭାବେ ଠଉରାଇ ନେଇଥିଲେ। ଫଳରେ ସେହି ସ୍ଥାନରେ ଆକ୍ରମଣ କରି ସ୍ମରଣୀୟ ବିଜୟ ପାଇଥିଲା। ଏହି ଦଳର ବିଜୟ ଅଭିଯାନ ସପ୍ତମ ମିନିଟରୁ ଆରମ୍ଭ ହୋଇଯାଇଥିଲା। ସପ୍ତମ ମିନିଟରେ ପୌ କ୍ୱେମାଦା ସଫଳତାର ସହ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତର କରିବା ପରେ ସ୍ପେନ୍‌ ଆଗୁଆ ହୋଇ ଯାଇଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧା ନେଦରଲାଣ୍ଡ ଏହି ଗୋଲଟିକୁ ଶୁଝାଇ ପାରି ନଥିଲା। ଦ୍ୱିତୀୟ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଫଳରେ ପ୍ରଥମାର୍ଧ ସୁଦ୍ଧା ସ୍ପେନ୍‌ ସେହି ୧-୦ରେ ଆଗୁଆ ରହିଥିଲା। ମଧ୍ୟାନ୍ତରରେ ଗୁରୁମନ୍ତ୍ର ନେଇ ନୂତନ ଉତ୍ସାହ ଓ ସତେଜ ମନରେ ପଡ଼ିଆକୁ ଓହ୍ଲାଇଥିବା ନେଦରଲାଣ୍ଡ ଦ୍ୱିତୀୟାର୍ଧରେ ଅପେକ୍ଷାକୃତ ଭଲ ହକି ଖେଳିଥିଲା। ତେବେ ସ୍ପେନ୍‌ ଉପରେ ଆବଶ୍ୟକ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇ ନଥିଲା। ସ୍ପେନ୍‌ ୩୫ ମିନିଟରେ ଏନରିକ ଗୋଞ୍ଜଲୋଙ୍କ ଫିଲ୍ଡ ଗୋଲ୍‌ ବଳରେ ସ୍ଥିତି ୨-୦ କରି ନେଇଥିଲା। ଦୁଇ ମିନିଟ୍‌ ପରେ ନେଦରଲାଣ୍ଡ ଲାର୍ସ ବ୍ଲାକଙ୍କ ପେନାଲ୍ଟି ଗୋଲ୍‌ ବଳରେ ସେଥିମଧ୍ୟରୁ ଗୋଟିକୁ ଶୁଝାଇ ଦେଇଥିଲା। ହେଲେ ସ୍ପେନ୍‌ ତା’ର ଠିକ୍‌ ଦୁଇ ମିନିଟ୍‌ ପରେ ଡିଏଗୋ ଆରାନାଙ୍କ ଦର୍ଶନୀୟ ଫିଲ୍ଡ ଗୋଲ୍‌ ବଳରେ ୩-୧ରେ ଆଗୁଆ ହୋଇଯାଇଥିଲା। ଖେଳ ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ମିର୍କୋ ପ୍ରୁଇଜରଙ୍କ ମାଧ୍ୟମରେ ନେଦରଲାଣ୍ଡ ଆଉ ଏକ ଗୋଲ୍‌ ଦେଇଥିଲା। ହେଲେ ପରବର୍ତୀ ୫ ମିନିଟରେ ଆଉ ଗୋଲ୍‌ କରି ନପାରି ୨-୩ରେ ପରାଜିତ ହୋଇଥିଲା। ସ୍ପେନ୍‌ର ଏନରିକ ଗୋଞ୍ଜାଲୋ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହି ଦେଶର ରିକାର୍ଡୋ ସାଣ୍ଟାନା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସ୍ୱସ୍ଥ୍ୟ ଏବଂ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନାଙ୍କଠାରୁ ୫୦,୦୦୦ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ।

ଅଷ୍ଟ୍ରେଲିଆ ପୁଣି ଅଟକିଲା

publive-image

ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲରେ ଗତଥରର ବିଜେତା ଅଷ୍ଟ୍ରେଲିଆ ତା’ର ପୁରୁଣା ଯାଦୁ ଦୋହରାଇବାକୁ ସଂଘର୍ଷ କରୁଛି। ଦୁଇ ଦିନରେ ଦୁଇଟି ମ୍ୟାଚ୍‌କୁ ଅମୀମାଂସିତ ରଖି ଏହି ଦଳ ଏ ପର୍ଯ୍ୟନ୍ତ ବିଜୟ ଶୂନ୍ୟ ରହିଛି। ଶୁକ୍ରବାର ଆୟୋଜକ ଭାରତ ବିପକ୍ଷ ନିଜ ପ୍ରଥମ ମ୍ୟାଚ୍‌କୁ କଙ୍ଗାରୁ ଦଳ ୧-୧ରେ ଅମୀମାଂସିତ ରଖିଥିଲା। ଶନିବାର ଜର୍ମାନି ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୩୮ ମିନିଟ୍‌ ଧରି ପଛୁଆ ରହିବା ପରେ ନାଟକୀୟ ପ୍ରତ୍ୟାବର୍ତନ କରିଥିଲା। ତଥାପି ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଅମୀମାଂସିତ ରଖି ପୁଣି ଥରେ ପଏଣ୍ଟ ବାଣ୍ଟିଥିଲା। ଶନିବାର ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନି କିନ୍ତୁ ନିଜ ଲଢ଼ୁଆ ଖେଳରେ ସମସ୍ତଙ୍କ ମନ ଜିଣି ନେଇଥିଲା। ପ୍ରଥମାର୍ଧ ସୁଦ୍ଧା ଏହି ଦଳ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଧରେ କିନ୍ତୁ ଅଷ୍ଟ୍ରେଲିଆ ସଫଳ ପ୍ରତ୍ୟାବର୍ତନ କରିଥିଲା। ଦଶ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଅଚାନକ ୨-୧ରେ ଆଗୁଆ ହୋଇ ଯାଇଥିଲା। ତେବେ ମ୍ୟାଚ୍‌ ଶେଷ ହେବାର ତିନି ମିନିଟ୍‌ ପୂର୍ବରୁ ପେନାଲ୍ଟି କର୍ନର ଜରିଆରେ ଜର୍ମାନିକୁ ମ୍ୟାଚ୍‌ ଅମୀମାଂସିତ ରଖିବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଏହି ଦଳ ତା’ର ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲା। ହେଲେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଦେହରେ ବଲ୍‌ ବାଜିବା ପରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇଥିବା ଆଉ ଏକ ପେନାଲ୍ଟି କର୍ନରକୁ ସଫଳତାର ସହ ଗୋଲ୍‌ରେ ରୂପାନ୍ତର କରି ପରାଜୟରୁ ବର୍ତି ଯାଇଥିଲା। ପରବର୍ତୀ ତିନି ମିନିଟ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ହେଲେ ଆଉ କୌଣସି ଗୋଲ୍‌ ଦେଖିବାକୁ ମିଳି ନଥିଲା। ଫଳରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଜର୍ମାନି ପକ୍ଷରୁ ମାର୍କୋ ମିଲଟକାଓ (୭ ମିନିଟ୍‌) ଓ ଅଧିନାୟକ ମାର୍ଟିନ ହେନର (୫୭) ଗୋଲ୍‌ ଦେଇଥିଲେ। ଅଷ୍ଟ୍ରେଲିଆ ପାଇଁ ଏହି ସଫଳତା ବ୍ଲାକ୍‌ ଗୋଭର୍ସ (୩୯) ଓ ଆରନ କ୍ଲେଇନ୍ସମିଡଟ ଦୋହରାଇଥିଲେ। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ନିଜ ଅନ୍ତର୍ଜାତୀୟ ହକି ପଦାର୍ପଣ କରିଥିବା ଅଷ୍ଟ୍ରେଲିଆର ଯୁବ ଖେଳାଳି ସାର୍ପ ଲାଚଲାନ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଜେକ୍‌ ହ୍ଵିଟନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କଠାରୁ ୫୦,୦୦୦ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ।