ଅହମଦାବାଦ : ଖେଳ କୌଣସି ଧର୍ମ କିମ୍ବା ସଂପ୍ରଦାୟ ମଧ୍ୟରେ ସୀମିତ ରହେନାହିଁ। ରହିବା କଥା ମଧ୍ୟ ନୁହେଁ। ତଥାପି ଯଦି ଭାରତୀୟ କ୍ରିକେଟ୍ ଦଳରେ ପାର୍ସି ସମୁଦାୟର ଖେଳାଳିଙ୍କ ପ୍ରତିନିଧିତ୍ବକୁ ବିଚାରକୁ ନିଆଯାଏ, ତାହାଲେ ନିଶ୍ଚିତ ଭାବେ ଏହା ଅତି ନଗଣ୍ୟ। ହାତଗଣତି ପାର୍ସି କ୍ରିକେଟର୍ ହିଁ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଫାରୁକ୍ ଇଞ୍ଜିନିୟର ସମ୍ଭବତଃ ସବୁଠାରୁ ଚର୍ଚିତ ଓ ସଫଳ ଥିଲେ। ଇଞ୍ଜିନିୟର ୧୯୭୫ ମସିହାରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଦୀର୍ଘ ୪୬ ବର୍ଷ ପରେ ଆଉ ଜଣେ ପାର୍ସି କ୍ରିକେଟର୍ ଭାରତୀୟ କ୍ରିକେଟ୍ ଦଳର ଦ୍ବାର ଦେଶରେ ପହଞ୍ଚି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ଗୁରୁରାଟର ଭଲସାଡ ଜିଲ୍ଲା ନର୍ଗଲର ଅର୍ଜନ ନାଗୱସୱାଲା। ଜୁନ୍ ୧୮ ତାରିଖରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଏବଂ ତା’ ପରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପାଇଁ ବିସିସିଆଇ ଶୁକ୍ରବାର ଘୋଷଣା କରିଥିବା ଭାରତୀୟ ଦଳରେ ଅର୍ଜନ ସଂରକ୍ଷିତ ଦ୍ରୁତ ବୋଲର ଭାବେ ସ୍ଥାନ ପାଇଛନ୍ତି। ଏବେ ସଂରକ୍ଷିତ ଖେଳାଳି ଥିଲେ ମଧ୍ୟ ଭାଗ୍ୟବଳରେ ଯଦି ସେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଆନ୍ତି, ତାହଲେ ପାଖାପାଖି ପାଞ୍ଚ ଦଶନ୍ଧି ପରେ କୌଣସି ପାର୍ସି ଖେଳାଳି ଟେଷ୍ଟ୍ କ୍ରିକେଟ୍ରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରତନିଧିତ୍ବ କରିବେ। ସେଥିପାଇଁ ମଧ୍ୟ ୨୩ ବର୍ଷୀୟ ଅର୍ଜନଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଓ ଆଲୋଚନା।
ମଜାଦାର କଥା ହେଲା ଅର୍ଜନ ହେଉଛନ୍ତି ଭାରତୀୟ ଘରୋଇ କ୍ରିକେଟ୍ରେ ସକ୍ରିୟ ଥିବା ଏକମାତ୍ର ପାର୍ସି କ୍ରିକେଟର୍। ଅବଶ୍ୟ ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଡାଏନ ଇଦୁଲଜୀ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ଶେଷ ପାର୍ସି ଖେଳାଳି ଥିଲେ। ଶେଷ ଥର ପାଇଁ ସେ ୧୯୯୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ। ଗତ ୪୬ ବର୍ଷ ଧରି କିନ୍ତୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳରେ ଜଣେ ହେଲେ ବି ପାର୍ସି ଖେଳାଳି ନଥିଲେ। ବାମହାତୀ ବୋଲର ଅର୍ଜନ ଘରୋଇ କ୍ରିକେଟ୍ରେ ନିଜ ୱିକେଟ୍ ନେବା ଦକ୍ଷତା ପାଇଁ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଗତ ଋତୁରେ ସେ ତିନିଟି ୫ ୱିକେଟ୍ ସଫଳତା ଓ ଗୋଟିଏ ୧୦ ୱିକେଟ୍ ସଫଳତା ସହ ମୋଟ ୪୧ ୱିକେଟ୍ କରାୟତ୍ତ କରିଥିଲେ। ମହାରାଷ୍ଟ୍ର ସୀମାରେ ଥିବା ନର୍ଗଲ ଗାଁରୁ ଦୀର୍ଘ ୩୫୦ କିଲୋମିଟର ପଥ ଯାତ୍ରା କରି ଘରୋଇ କ୍ରିକେଟ୍ ପାଇଁ ସେ ପ୍ରସ୍ତୁତି କରୁଥିଲେ। ଭାରତୀୟ ଦଳ ସହ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏକ ଆଇପିଏଲ୍ ଚୁକ୍ତି ହାସଲ କରିବା। ପାକିସ୍ତାନର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ୱାସିମ ଆକ୍ରମ ହେଉଛନ୍ତି ତାଙ୍କର ଆଦର୍ଶ।
୧୯୯୭ ମସିହା ଅକ୍ଟୋବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିବା ଅର୍ଜନ ୨୦୧୭-୧୮ ଋତୁରେ ବିଜୟ ହଜାରେ ଟ୍ରଫି ପଦାର୍ପଣ କରିଥିଲେ। ୨୦୧୮-୧୯ ଋତୁରେ ସେ ପ୍ରଥମ ଥର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ଗତବର୍ଷ ଫେବ୍ରୁଆରିରେ ଗୁଜୁରାଟ ପକ୍ଷରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ଖେଳିଥିବା ୧୬ ପ୍ରଥମ ଶ୍ରେଣୀ, ୨୦ ଲିଷ୍ଟ ଏ’ ଓ ୧୫ ଘରୋଇ ଟ୍ବେଣ୍ଟି-୨୦ରୁ ସେ ଯଥାକ୍ରମେ ୬୨, ୩୯ ଓ ୨୧ ୱିକେଟ୍ ଅକ୍ତିଆର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Arzan-Nagwaswalla.jpg)