ମୁମ୍ବାଇ: କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନଙ୍କ ଆଇପିଏଲ୍‌ ପଦାର୍ପଣ ଅପେକ୍ଷାର ଅନ୍ତ ଘଟିଛି। ରବିବାର ସ୍ଥାନୀୟ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ୍‌ ପଦାର୍ପଣ ସୁଯୋଗ ପାଇଥିଲେ। ଏଥିସହ ଆଇପିଏଲ୍‌ ଇତିହାସରେ ପ୍ରଥମ ବାପା-ପୁଅ ଯୋଡ଼ି ଭାବେ ସଚିନ-ଅର୍ଜୁନ ଖେଳିବାର ଗୌରବ ପାଇଥିଲେ। ଉଭୟ ହିଁ ମୁମ୍ବାଇ ଇଣ୍ଡିଆନ୍ସରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ସଚିନ ‌ଏହି ଧନି ଲିଗ୍‌ରେ ଶେଷ ଥର ଲାଗି ୨୦୧୩‌ରେ ଖେଳିଥିଲେ। ଅନ୍ୟପକ୍ଷରେ ୨୦୨୧ ନିଲାମ ବେଳେ ଅର୍ଜୁନଙ୍କୁ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷରେ ମୁମ୍ବାଇ କିଣିଥିଲା। ହେଲେ ଏହାର ଗୋଟିଏ ବର୍ଷ ପରେ ୨୦୨୨ ନିଲାମରେ ଅର୍ଜୁନଙ୍କୁ ନେବା ପାଇଁ ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ମଧ୍ୟରେ ଟଣାଟଣି ହୋଇଥିଲା। ମୁମ୍ବାଇ ଆଗରେ ରହି ୩୦ ଲକ୍ଷରେ ଅର୍ଜୁନଙ୍କୁ ନିଜ ଦଳରେ ରଖିବାକୁ ସମର୍ଥ ହୋଇଥିଲା। ଅର୍ଜୁନ ଏପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ରେ ୭ ଲେଖାଏଁ ପ୍ରଥମ ଶ୍ରେଣୀ ଓ ଲିଷ୍ଟ-ଏ ଏବଂ ୯ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

Advertisment

ମ୍ୟାଚ୍‌ ପୂର୍ବରୁ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ‌ପରାମର୍ଶଦାତା ଥିବା ପିତା ସଚିନଙ୍କ ସହ ଆଲୋଚନା କରିଥିଲେ। ଏହା ପୂର୍ବରୁ ନିୟମିତ ଅଧିନାୟକ ରୋହିତ ଶର୍ମା ପେଟ ଯନ୍ତ୍ରଣା ଯୋଗୁଁ ଏହି ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ବ ଭାର ସମ୍ଭାଳିଥିଲେ। ରୋହିତ ଇମ୍ପାକ୍ଟ ଖେଳାଳି ଭାବେ ବୋଲର ରିଲେ ମେରେଡିଥଙ୍କ ବଦଳରେ ବ୍ୟାଟିଂକୁ ଆସିଥି‌ଲେ। ସୂର୍ଯ୍ୟକୁମାର ଟସ୍‌ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ ଏବଂ ଅର୍ଜୁନଙ୍କୁ ପ୍ରଥମ ଓଭର ବୋଲିଂ କରିବାକୁ ଦେଇଥିଲେ। ଅର୍ଜୁନ ତାଙ୍କ ୨ ଓଭରରେ ୧୭ ରନ୍‌ ବ୍ୟୟ କରିଥିଲେ। ଅର୍ଜୁନଙ୍କ ପଦାର୍ପଣ ମ୍ୟାଚ୍‌କୁ ଦେଖିବାକୁ ତାଙ୍କ ଭଉଣୀ ସାରା ଷ୍ଟାଡିୟମରେ ଉପ‌ସ୍ଥିତ ରହି ଚିୟର କରିଥିଲେ।