ଲଣ୍ଡନ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଲଣ୍ଡନରେ ଚାଲିଥିବା ସେକେଣ୍ଡ ଇଲେଭେନ୍ ଚାମ୍ପିଅନ୍ସିପ୍ରେ ନିଜ ଚମକ ଛାଡ଼ିଛନ୍ତି। ଏମ୍ସିସି ଯୁବ ଦଳ ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ଅର୍ଜୁନ ସୋମବାର ସରେ ସେକେଣ୍ଡ ଇଲେଭେନ୍ ବିପକ୍ଷରେ ୨ ୱିକେଟ୍ ନେଇଥିଲେ। ସରେ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ନାଥନ ତିଲେ ତାଙ୍କର ପ୍ରଥମ ଶିକାର ହୋଇଥିଲେ। ସେ ଏହି ମ୍ୟାଚ୍ରେ ୧୧ ଓଭର ପକାଇ ୫୦ ରନ୍ରେ ୨ ୱିକେଟ୍ ପାଇଥିଲେ। ତାଙ୍କର ୱିକେଟ୍ ନେବାର ଭିଡ଼ିଓକୁ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡ୍ର ଟ୍ବିଟର୍ ପୃଷ୍ଠାରେ ପ୍ରକାଶ ପାଇଥିଲା। ଏହି ଭିଡିଓରେ ବାମହାତୀ ଦ୍ରୁତ ବୋଲର ଅର୍ଜୁନ କିଭଳି ଏକ ଚମତ୍କାର ବଲରେ ତିଲେଙ୍କୁ କ୍ଲିନ ବୋଲ୍ଡ କରୁଛନ୍ତି ତାହା ଦେଖା ଯାଇଛି। ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି।