ନୂଆଦିଲ୍ଳୀ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କର ଟିମ୍ ଇଣ୍ଡିଆରେ ପ୍ରବେଶ କରିବାର ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି। କାହିଁକି ନା ତାଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିିସିଆଇ)ରୁ ଡାକରା ଆସିଛି। ବିସିସିଆଇ ଅର୍ଜୁନଙ୍କ ସମେତ ୨୦ ଜଣ ଅଲ୍ରାଉଣ୍ଡର୍ଙ୍କୁ ନେସ୍ନାଲ୍ କ୍ରକେଟ୍ ଆକାଡେମି (ଏନ୍ସିଏ)କୁ ଡାକିଥିବା ସୂଚନା ରହଛି। ଏକ ସ୍ବତନ୍ତ୍ର ଶିବିରକୁ ୨୦ ଜଣ ଖେଳାଳିଙ୍କୁ ଡାକା ଯାଇଥିବା ବେଳେ ଏହା ପ୍ରାୟ ୨୦ ଦିନ ଧରି ଚାଲିବ ବୋଲି ସୂଚନା ରହିଛି।
ଗୋଆ ପାଇଁ ରଣଜୀ ଟ୍ରଫି ଖେଳୁଥିବା ଏବଂ ଗତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପଦାର୍ପଣ କରିଥିବା ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଏହି ଶିବିର ପାଇଁ ଡାକରା ପାଇଛନ୍ତି। ଚଳିତ ବର୍ଷ ଇମର୍ଜିଂ ଏସିଆ କପ୍ (୨୩ ବର୍ଷରୁ କମ୍) ଖେଳାଯିବାକୁ ଥିବାରୁ ବିସିସିଆଇ ଦକ୍ଷତାସମ୍ପନ୍ନ ଯୁବ ଖେଳାଳିଙ୍କୁ ବାଛିଥିବା କୁହାଯାଉଛି। କ୍ରିକେଟ୍ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଦାୟିତ୍ବ ନେଇ ଏହି ଶିବିରର ଆୟୋଜନ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଆଇପିଏଲର ୧୬ତମ ସଂସ୍କରଣରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ ସଚିନଙ୍କ ସୁପୁତ୍ର ଅର୍ଜୁନ। ଅର୍ଜୁନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।
ଟସ୍ ପୂର୍ବରୁ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଯେତେବେଳେ ଷ୍ଟାଡିୟମରେ ପହଞ୍ଚିଥିଲେ, ଅର୍ଜୁନ ଡେବ୍ୟୁ କରିବାର ଆଶା ବଢ଼ିଯାଇଥିଲା। ବାମହାତୀ ପେସ ବୋଲର ଅର୍ଜୁନଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ପ୍ରଥମ ଓଭରର ଦାୟିତ୍ୱ ଦିଆଯାଇଥିଲା। ଯଦିଓ ଅର୍ଜୁନ ବଲ୍ ସୁଇଙ୍ଗ୍ କରୁଥିଲେ କିନ୍ତୁ ତାଙ୍କର ବଲରେ ବେଗ ନଥିଲା। ମ୍ୟାଚ୍ ଆରମ୍ଭ ପୂର୍ବରୁ ରୋହିତ ହିଁ ତାଙ୍କୁ ଡେବ୍ୟୁ କ୍ୟାପ୍ ଦେଇଥିଲେ ଏବଂ ଉତ୍ସାହିତ କରିଥିଲେ। ଅର୍ଜୁନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ରହିଥିଲେ ମଧ୍ୟ ପୂର୍ବରୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ।