ମୁମ୍ବାଇ: ଶେଷରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଅପେକ୍ଷା ଶେଷ ହୋଇଛି। ଆଇପିଏଲର ୧୬ତମ ସଂସ୍କରଣରେ ସେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି। ଅର୍ଜୁନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ତେବେ ଟସ୍ ପୂର୍ବରୁ ସଚିନଙ୍କ ଝିଅ ସାରା ତେନ୍ଦୁଲକର ଯେତେବେଳେ ଷ୍ଟାଡିୟମରେ ପହଞ୍ଚିଥିଲେ, ଅର୍ଜୁନ ଡେବ୍ୟୁ କରିବାର ଆଶା ବଢ଼ିଯାଇଥିଲା। ବାମହାତୀ ପେସ ବୋଲର ଅର୍ଜୁନଙ୍କୁ ତାଙ୍କର ପ୍ରଥମ ମ୍ୟାଚରେ ପ୍ରଥମ ଓଭରର ଦାୟିତ୍ୱ ଦିଆଯାଇଥିଲା। ଯଦିଓ ଅର୍ଜୁନ ବଲ୍ ସୁଇଙ୍ଗ୍ କରୁଥିଲେ କିନ୍ତୁ ତାଙ୍କର ବଲରେ ବେଗ ନଥିଲା। ମ୍ୟାଚ୍ ଆରମ୍ଭ ପୂର୍ବରୁ ରୋହିତ ହିଁ ତାଙ୍କୁ ଡେବ୍ୟୁ କ୍ୟାପ୍ ଦେଇଥିଲେ ଏବଂ ଉତ୍ସାହିତ କରିଥିଲେ।
ଏହି ମ୍ୟାଚରେ ଅର୍ଜୁନ ୨ ଓଭର ବିନିମୟରେ ୧୭ ରନ ଦେଇଥିଲେ। ଉଲ୍ଲେଖ ଥାଉ କି ବାମହାତୀ ପେସର୍ ଅର୍ଜୁନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ରହିଥିଲେ ମଧ୍ୟ ପୂର୍ବରୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ତେବେ ବାମହାତୀ ପେସର୍ ଅର୍ଜୁନଙ୍କୁ ଆଇପିଏଲ୍ ୨୦୨୨ ନିଲାମରେ ତାଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କାରେ କିଣାଯାଇଥିଲା ଏବଂ ଆଇପିଏଲ୍ ୨୦୨୩ ପାଇଁ ରିଟେନ କରାଯାଇଥିଲା।