ନୂଆଦିଲ୍ଲୀ : ଭବିଷ୍ୟତକୁ ନଜରରେ ରଖି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦ ଜଣ ବିବିଧ ପ୍ରତିଭାର ଯୁବ ଖେଳାଳିଙ୍କୁ ୨୦ ଦିନିଆ ଶିବିର ପାଇଁ ଜାତୀୟ କ୍ରିକେଟ୍ ଏକାଡେମି ପାଇଁ ଡାକିଛି। ଗୋଆ ପାଇଁ ରଣଜୀ ଟ୍ରଫି ଖେଳୁଥିବା ଏବଂ ଗତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପଦାର୍ପଣ କରିଥିବା ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଏହି ଶିବିର ପାଇଁ ଡାକରା ପାଇଛନ୍ତି। ଚଳିତ ବର୍ଷ ଇମର୍ଜିଂ ଏସିଆ କପ୍ (୨୩ ବର୍ଷରୁ କମ୍) ଖେଳାଯିବାକୁ ଥିବାରୁ ବିସିସିଆଇ ଦକ୍ଷତାସମ୍ପନ୍ନ ଯୁବ ଖେଳାଳିଙ୍କୁ ବାଛିଥିବା କୁହାଯାଉଛି।
ବାସ୍ତବରେ ଯୁବ ଅଲ୍ରାଉଣ୍ଡର୍ଙ୍କୁ ନେଇ ବିକଶିତ କରିବା ହେଉଛି ଏନସିଏର କ୍ରିକେଟ୍ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କ ଯୋଜନା। ପ୍ରଦର୍ଶନ ଓ ପ୍ରତିଭା ଭିତ୍ତିରେ ବିସିସିଆଇ ଚୟନ ସମିତି ଅନ୍ତରୀଣ ମୁଖ୍ୟ ଶିବ ସୁନ୍ଦର ଦାସ ଏହି ଚୟନ କରିଥିବା କୁହାଯାଇଛି। ଅର୍ଜୁନ ତେନ୍ଦୁଲକରଙ୍କ ସହିତ ଚେତନ ସାକାରିଆ, ଅଭିଷେକ ଶର୍ମା, ମୋହିତ ରେଡ଼କର, ଦିଭିଜ ମେହେରା, ହର୍ଷିତ ରାଣା ପ୍ରମୁଖ ରହିଛନ୍ତି। ଅର୍ଜୁନଙ୍କ ସାମିଲର ଯୁକ୍ତିଯୁକ୍ତ ସମ୍ପର୍କରେ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ‘ପଦାର୍ପଣରେ ରଣଜୀ ଶତକ ହାସଲ କରିଥିବା ଅର୍ଜୁନ ଜଣେ ବାମହାତୀ ବ୍ୟାଟର୍ ଓ ବାମହାତୀ ଦ୍ରୁତ ବୋଲର ହୋଇଥିବାରୁ ବିବିଧତା ରଖିଛନ୍ତି’।