ମୁମ୍ବାଇ: କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗାମୀ ଘରୋଇ ଋତୁରେ ଗୋଆ ପାଇଁ ଖେଳିବାର ସମ୍ଭାବନା ଦେଖାଦେଇଛି। ସେ ମଧ୍ୟ ମୁମ୍ବାଇ ଦଳ ଛାଡ଼ିବାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ୨୨ ବର୍ଷ ବୟସ୍କ ବାମହାତୀ ପେସର୍ ଅର୍ଜୁନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ରହିଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ବରଂ ସେ ମୁମ୍ବାଇ ପକ୍ଷରୁ ୨୦୨୦-୨୧ ଋତୁରେ ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହି ଦୁଇଟି ମ୍ୟାଚ୍ ସେ ହରିୟାଣା ଓ ପୁଡୁଚେରୀ ବିପକ୍ଷରେ ହିଁ ଖେଳିଥିଲେ। ମୁମ୍ବାଇ ରଣଜୀ ଦଳରେ ତାଙ୍କୁ ଖେଳିବାର ସୁଯୋଗ ମଧ୍ୟ ମିଳୁନି। ଫଳରେ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବାକୁ ହେଲେ ତାଙ୍କୁ ଅଧିକରୁ ଅଧିକ ମ୍ୟାଚ୍ ଖେଳିବା ଗୁରୁତ୍ବପୂର୍ଣ୍ଣ ବୋଲି ଅର୍ଜୁନ ଅନୁଭବ କରିସାରିଲେଣି। ସେଥିପାଇଁ ସେ ଖେଳାଳି କିଣାବିକା ନିୟମରେ ଏବେ ମୁମ୍ବାଇ ଛାଡ଼ି ଗୋଆ ପାଇଁ ଖେଳିବାକୁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ସେ ନିଜ ଘରୋଇ ସଂଘ ମୁମ୍ବାଇ କ୍ରିକେଟ୍ ସଂଘଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍ଓସି) ପାଇଁ ଆବେଦନ କରିସାରିଛନ୍ତି। ଦଳ ପରିବର୍ତନ କଲେ ତାଙ୍କର ଉନ୍ନତି ହୋଇପାରିବ ବୋଲି ସେ ବିଶ୍ବାସ ରଖିଛନ୍ତି।
ଅର୍ଜୁନ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ୍ ଖେଳିଥିଲେ। ଏହାପରେ ସେ ଘରୋଇ ଋତୁରେ ମୁମ୍ବାଇ ସୀମିତ ଓଭର ଦଳର ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିଲେ। ହେଲେ ବେଶିକିଛି ମ୍ୟାଚ୍ ଖେଳିବାର ସୁଯୋଗ ପାଉନାହାନ୍ତି। ସବୁଠୁ ଅଧିକ ନିରାଶର କଥା ହେଲା ଚଳିତ ଋତୁରେ ମୁମ୍ବାଇ ଦଳରୁ ବାଦ୍ ପଡ଼ିବା। ଏଥିରେ ବ୍ୟଥିତ ହୋଇପଡ଼ି ସେ ମୁମ୍ବାଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ଗୋଆ ଦଳରେ ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ଗୋଆ କ୍ରିକେଟ୍ ସଂଘର ଜଣେ ବରିଷ୍ଠ ଅଧିକାରୀ। ଆମେ ଜଣେ ବାମହାତୀ ଦକ୍ଷ ବୋଲରଙ୍କ ସନ୍ଧାନରେ ରହିଛୁ। ଏହାକୁ ଅର୍ଜୁନ ପୂରଣ କରିପାରିବେ ବୋଲି ଆଶା ରଖିଛୁ। ସେଥିପାଇଁ ତାଙ୍କୁ ଗୋଆ ଦଳରେ ଯୋଡ଼ିହେବାକୁ ଆମନ୍ତ୍ରଣ ମଧ୍ୟ କରିଛୁ। ଆମେ ପ୍ରାକ୍-ଋତୁ ଟ୍ରାଏଲ ମ୍ୟାଚ୍ (ଧଳାବଲ୍) ଖେଳିବୁ ଏବଂ ଅର୍ଜୁନ ସେହିସବୁ ମ୍ୟାଚ୍ ଖେଳିପାରିବେ। ଏହାପରେ ତାଙ୍କ ପ୍ରଦର୍ଶନକୁ ଆଧାର କରି ଚୟନକର୍ତା ନିଷ୍ପତ୍ତି ନେବେ ବୋଲି ଗୋଆ କ୍ରିକେଟ୍ ସଂଘର ସଭାପତି ସୁରଜ ଲୋତିକର କହିଛନ୍ତି।