ଯୁବ ଟେଷ୍ଟ୍‌: ବିଜୟଠୁ ୭ ଓ୍ଵିକେଟ୍‌ ଦୂରରେ ଭାରତ

ପଦାର୍ପଣରେ ଅର୍ଜୁନ ‘ଶୂନ’

କଲମ୍ବୋ: ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ଯୁବ (୧୯ ବର୍ଷରୁ କମ୍‌) ଟେଷ୍ଟ୍‍ରେ ଭ୍ରମଣକାରୀ ଭାରତ ବିଜୟଠୁ ମାତ୍ର ୭ ଓ୍ଵିକେଟ୍‌ ଦୂରରେ ରହିଛି। ଅନ୍ୟପକ୍ଷରେ ଘରୋଇ ଦଳକୁ ଜିତିବା ଲାଗି ୧୬୮ ରନ୍‌ ଦରକାର ଅଛି। ଶ୍ରୀଲଙ୍କାର ପ୍ରଥମ ପାଳି ୨୪୪ ଜବାବରେ ଭାରତ ଦୁଇଟି ଶତକ ସହାୟତାରେ ୫୮୯ ରନ୍‌ କରି ୩୪୬ ରନ୍‌ ବିଜୟ ଲକ୍ଷ୍ୟ ରଖିଥିଲା। ଅଥରଓ୍ଵା ଟାଇଡେ (୧୧୩) ଏବଂ ଆୟୁଷ ବାଦୋନି (୧୮୫*) ଶତକ ହାସଲ କରିଥିଲା ବେଳେ ନେହାଲ୍‌ ଓ୍ଵାଧେରା (୮୨) ଓ ଅନୁଜ ରାଓ୍ଵତ (୬୩) ଅର୍ଧଶତକ ଜମାଇଥିଲେ। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ପାଳରେ ଗୁରୁବାର ଷ୍ଟମ୍ପ୍‌ ଅପସାରଣ ବେଳକୁ ୩ ଓ୍ଵିକେଟ୍‌ ହରାଇ ୧୭୭ ରନ୍‌ କରିଛି। କେଏନ୍‌ଏମ୍‌ ଫର୍ଣ୍ଣାଣ୍ଡୋ (୧୦୪) ଶତକ ହାସଲ କରିଥିଲା ବେଳେ ଏମ୍‌ଏନ୍‌କେ ଫର୍ଣ୍ଣାଣ୍ଡୋ ୧୯* ଏବଂ ସୂରିଆବାନ୍ଦରା ୨୦ ରନ୍‌ରେ ବ୍ୟାଟିଂ ଜାରି ରଖିଛନ୍ତି। ମୋହିତ ଜାଙ୍ଗରା ଏହି ୩ ଓ୍ଵିକେଟ୍‌ ନେଇଛନ୍ତି।

କଲେମ୍ବୋ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂରେ ସଫଳ ହୋଇଥିଲା ବେଳେ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଘରୋଇ ଶ୍ରୀଲଙ୍କା ବିପକ୍ଷ ଯୁବ (୧୯ ବର୍ଷରୁ କମ୍‌) ଟେଷ୍ଟ୍‍ରେ ସେ ପ୍ରଥମ ପାଳିରେ ପ୍ରଭାବୀ ବୋଲିଂ କରି ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। ହେଲେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଏହି ମାଷ୍ଟର ବ୍ଲାଷ୍ଟରଙ୍କ ପୁଅ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ୧୧ ବଲ୍‌ ଖେଳି ଖାତା ଖୋଲିବା ପୂର୍ବରୁ ଶହିକା ଦୁଲଶାନଙ୍କ ବଲ୍‌ରେ ସୂରିଆବାନ୍ଦରାଙ୍କ ହାତରେ ଧରାପଡ଼ି ଯାଇଥିଲେ। ସଂଯୋଗବଶତଃ ତାଙ୍କ ବାପା ସଚିନ୍‌ ମଧ୍ୟ ନିଜ ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଥିଲେ। ୧୯୮୯ରେ ପାକିସ୍ତାନ ବିପକ୍ଷ ପଦାର୍ପଣ ଦିନିକିଆରେ ସଚିନ୍‌ ଖାତା ଖୋଲି ପାରିନଥିଲେ।

ସମ୍ବନ୍ଧିତ ଖବର