୫ ବ‌ର୍ଷ ପରେ ପୂଜାରାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ମନୋନୀତ ହେବାର ୫ ବର୍ଷ ପରେ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ବ୍ୟାଟିଂ ତାରକା ଚେତେଶ୍ବର ପୂଜାରା। କ୍ରିକେଟ୍‌ ପାଇଁ ବ୍ୟସ୍ତ ଓ ବିଦେଶ ଗସ୍ତରେ ରହୁଥିବାରୁ ପୂଜାରା ବିଜେତା ହୋଇ ମଧ୍ୟ ଏହି ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଗ୍ରହଣ କରିପାରୁନଥିଲେ। ୨୦୧୭ରେ ସେ ମନୋନୀତ ହୋଇଥିଲେ ମଧ୍ୟ ଶନିବାର ନୂଆଦିଲ୍ଲୀରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହା ପରେ ପୂଜାରା ଟ୍ବିଟ୍‌ କରି ବିସିସିଆଇ, ଅନୁରାଗ ଠାକୁର, କ୍ରୀଡ଼ା ମନ୍ତ୍ରଣାଳୟକୁ କୃତଜ୍ଞତା ଜଣାଇଛନ୍ତି। ସୌରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ପୂଜାରା ଏବେ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ନୂଆଦିଲ୍ଲୀରେ ଅଛନ୍ତି। ଆସନ୍ତା ମାସରେ ବାଂଲାଦେଶ ଗସ୍ତରେ ଯିବାକୁ ଥିବା ଭାରତ ‘ଏ’ ଦଳରେ ପୂଜାରା ସ୍ଥାନ ପାଇଛନ୍ତି। ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଥିଲେ ମଧ୍ୟ କାଉଣ୍ଟି କ୍ରିକେଟ୍‌ରେ ସସେକ୍ସ ପାଇଁ ଭଲ ଖେଳି ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଦ୍ୟାବଧି ଏହି ଟେଷ୍ଟ ସ୍ପେସାଲିଷ୍ଟ ୯୬ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର