ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ଅର୍ଜୁନ ଭ୍ରାତା

ଦୀପୁଙ୍କ ଅସଲ ନାଁ ହେଉଛି ରୂପେନ ଘୋଷ। ହେଲେ ସେ ବ୍ୟାଡ୍‌ମିଣ୍ଟନ୍‌ ଜଗତରେ ଦୀପୁ ଘୋଷ ନାଁରେ ଅଧିକ ପରିଚିତ। ସାନ ଭାଇ ରୋମେନ ଘୋଷଙ୍କ ସହ ମିଶି ଷାଠିଏ ଦର୍ଶକରେ ଦୀପୁ ଘରୋଇ ବ୍ୟାଡ୍‌ମିଣ୍ଟନ୍‌ ଜଗତରେ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ଦୀପୁ-ରୋମେନ ଯୋଡ଼ିଙ୍କୁ ହରାଇବା ସେତେବେଳେ ଏକବାର କଷ୍ଟକର ଥିଲା। ୧୯୬୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ଘରୋଇ ବ୍ୟାଡ୍‌ମିଣ୍ଟନ୍‌ରେ ସକ୍ରୀୟ ଥିବା ଦୀପୁ ଥୋମାସ କପ୍‌, ଅଲ ଇଂଲଣ୍ଡ ପ୍ରତିଯୋଗିତା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଏସୀୟ ପ୍ରତିଯୋଗିତା ସହ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ରେ ସେ ୫ ଥର ଭାରତ ପକ୍ଷରୁ ଖେଳିଛନ୍ତି। କୋଲକାତାରେ ଶିକ୍ଷା ଗ୍ରହଣ କରିଥିବା ଦୀପୁ ଓ ସାନ ଭାଇ ରୋମେନ ୧୯୯୬୪-୬୫ରେ ପ୍ରଥମ ଜାତୀୟ ସ୍ତରୀୟ ଯୁଗଳ ଟ୍ରଫି ଜିତିଥିଲେ।

ଦୁଇ ଭାଇ ମିଳିତ ଭାବେ ୪ ଥର ଜାତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ଯୁଗଳ ଟ୍ରଫି ଜିତିଥିଲେ। ୧୯୬୯ ମସିହାରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ୧୯୭୩ ମସିହାରେ ଅବସର ଘୋଷଣା ପରେ ସେ ପ୍ରଶିକ୍ଷକ ଭାବେ ଜୀବନ ଆରମ୍ଭ କରିଥିଲେ। ଇରାନରେ ୪ ବର୍ଷ ରହିବା ପରେ ୧୯୭୯ରେ ସେ ଜାତୀୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ୧୯୮୨ ମସିହା ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ। ଏହା ପରେ ଆଇସ୍‌ଲାଣ୍ଡ ଯାଇ ସେଠାରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ରୋମେନ୍‌ ସଂପ୍ରତି ଭୁବନେଶ୍ୱରର ସହିଦ ନଗରଠାରେ ଥିବା ଓଡ଼ିଶା ସାଇ ଏକାଡେମିର ମୁଖ୍ୟ ଅଛନ୍ତି। ସେ ମଧ୍ୟ ବ୍ୟାଡମିଣ୍ଟନ ଦୁନିଆରେ ଢେର ସଫଳତା ସାଉଁଟିଛନ୍ତି। ୨୩ ଜାତୀୟ ପ୍ରତିଯୋଗିତା ଖେଳିଥିବା ରୋମେନ ୧୯୬୧ରୁ ୭୭ ପର୍ଯ୍ୟନ୍ତ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। ସଂପ୍ରତି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନର ମଉଡ଼ମଣୀ ପାଲଟିଥିବା କିଦାମ୍ବି ଶ୍ରୀକାନ୍ତ ଏବଂ ତାଙ୍କ ଭାଇ କିଦାମ୍ବି ନନ୍ଦ ଗୋପାଳଙ୍କୁ ଅନେକ ସମୟରେ ଦୀପୁ-ରୋମେନଙ୍କ ସହ ତୁଳନା କରାଯାଏ। ଉଭୟ ମଧ୍ୟ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର