ଜାତୀୟ ହ୍ୟାଣ୍ଡବଲ୍‌ ଦଳରେ ଓଡ଼ିଶାର ଆର୍ଯ୍ୟନ୍‌

ଭୁବନେଶ୍ୱର: ରାଜ୍ୟ ହ୍ୟାଣ୍ଡବଲ୍‌ ଜଗତକୁ ଗୁରୁବାର ବଡ଼ ଖୁସି ଖବର ମିଳିଛି। ଡିପିଏସ୍‌ କଳିଙ୍ଗ ଛାତ୍ର ଆର୍ଯ୍ୟନ୍‌ ବ୍ରାହ୍ମିନ୍‌ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍‌ ଦଳରେ ସ୍ଥାନ ପାଇଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଲାଗି ଆର୍ଯ୍ୟନ ୧୯ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏଭଳି ସଫଳତା ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ଖେଳାଳି ହୋଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଛି। ଆର୍ଯ୍ୟନ୍‌ କ୍ରମାଗତ ୩ ବର୍ଷ ପାଇଁ (୨୦୧୫ରୁ ୨୦୧୮) ଜାତୀୟ ଉପକନିଷ୍ଠ ଏବଂ କନିଷ୍ଠ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ସେହି ପ୍ରଦର୍ଶନ ଆଧାରରେ ହିଁ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ଆର୍ଯ୍ୟନ ସଂପ୍ରତି ଡିପିଏସ୍‌ କଳିଙ୍ଗରେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ ହେଉଛନ୍ତି ଗୌରିଶଙ୍କର ମିଶ୍ର ଏବଂ ଅନୁପମା ମିଶ୍ରଙ୍କ ପୁଅ। ଏହି ପ୍ରତିଯୋଗିତା ଲାଗି ଆର୍ଯ୍ୟନ ଗୁରୁବାର ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି। ଆର୍ଯ୍ୟନ୍‌ଙ୍କର ଏହି ସଫଳତା ଲାଗି ଓଡ଼ିଶା ହ୍ୟାଣ୍ଡବଲ୍‌ ସଂଘର ସଂପାଦକ ବଳରାମ ମହାନ୍ତି, ସହ ସଂପାଦକ ଯଶୋବନ୍ତ ପରମଗୁରୁ, କୋଷାଧ୍ୟକ୍ଷ ଗୋପୀନାଥ ସାହୁ ଏବଂ ସଭାପତି ରିତ୍ୱିକ ଅଧିକାରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର