ନୀରଜଙ୍କ ନାମରେ ଆର୍ମି ଷ୍ଟାଡିୟମ୍‌: ସମ୍ବର୍ଦ୍ଧିତ କଲେ ରାଜନାଥ

ପୁଣେ: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍‌ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ନାମରେ ପୁଣେସ୍ଥିତ ଆର୍ମି କ୍ରୀଡ଼ା ପ୍ରତିଷ୍ଠାନ (ଏଏସ୍‌ଆଇ)ର ଏକ ଷ୍ଟାଡିୟମ୍‌ ନାମିତ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଆନୁଷ୍ଠାନିକ ନାମକରଣ ଉତ୍ସବରେ ଯୋଗଦେଇ ଏହା ଘୋଷଣା କରିବା ସହିତ ପ୍ରତିରକ୍ଷା ବଳ ଅଲିମ୍ପିଆନ୍‌ ନୀରଜଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ନୀରଜଙ୍କୁ ଜାଭ୍‌ଲିନ୍‌ର ଏକ ପ୍ରତିକୃତି ଉପହାର ଦିଆଯାଇଥିଲା ବେଳେ ନୀରଜଙ୍କ ଦ୍ବାରା ଦସ୍ତଖତ ସମ୍ବଳିତ ଏକ ସାଲ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିଲା। ଏହି ଉତ୍ସବରେ ନୀରଜଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ତରୁଣଦୀପ ରଏ (ତୀରନ୍ଦାଜି), ପ୍ରବୀଣ ଯାଦବ (ତୀରନ୍ଦାଜି), ଅମିତ (ମୁଷ୍ଟିଯୁଦ୍ଧ), ମନୀଷ କୌଶିକ (ମୁଷ୍ଟିଯୁଦ୍ଧ), ସତୀଶ କୁମାର (ମୁଷ୍ଟିଯୁଦ୍ଧ), ସିଏ କୁଟ୍ଟାପ୍ପା (ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ), ଚୋଟେଲାଲ ଯାଦବ (ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ/ମେରି କମ୍‌ଙ୍କ ପ୍ରଶିକ୍ଷକ), ଦୀପକ ପୂନିଆ (କୁସ୍ତି), ଅର୍ଜୁନ ଲାଲ ଜାଟ୍‌ ଏବଂ ଅରବିନ୍ଦ ସିଂହ (ରୋଇଂ), ବିଷ୍ଣୁ ସର୍ବନନ୍ (ସେଲିଂ) ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।

ସରକାର କ୍ରୀଡ଼ାର ବିକାଶ ନିମନ୍ତେ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ସମ୍ବଧର୍ନା ଉତ୍ସବରେ ରାଜନାଥ ପ୍ରତିଶୃତି ଦେଇଥିଲେ। ସରକାର କ୍ରୀଡ଼ା ପାଇଁ କେତେ ଅଙ୍ଗୀକାରବଦ୍ଧ ତାହା ଦେଶର ପ୍ରତ୍ୟେକ ଖେଳାଳି ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ଆମ ପ୍ରଧାନମନ୍ତ୍ରୀ ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତ୍‌କୁ ଉତ୍ସାହିତ କରନ୍ତି ବୋଲି ରାଜନାଥ କହିଥିଲେ। ଏହି ଉତ୍ସବରେ ଆର୍ମି ମୁଖ୍ୟ ଏମ ଏମ୍‌ ନରଭନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର