ମିନର୍ଭାକୁ ମାତ୍‌ ଦେଲା ଆରୋଜ

କଳିଙ୍ଗରେ ପ୍ରଥମ ବିଜୟ

:ଭୁବନେଶ୍ବର,: ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ୩ ପରାଜୟ ପରେ ଇଣ୍ଡିଆନ୍‌ ଆରୋଜ ପ୍ରଥମ ବିଜୟ ପାଇଛି। ଏଠାରେ ମଙ୍ଗଳବାର ଖେଳାଯାଇଥିବା ଆଇ ଲିଗ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ଏହି ଯୁବ ଦଳ ୨-୧ ଗୋଲ୍‌ରେ ବିଜେତା ମିନର୍ଭା ପଞ୍ଜାବକୁ ମାତ୍‌ ଦେଇଛି। ଫଳରେ ମିନର୍ଭାଠୁ ଅରୋଜ ମଧ୍ୟ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି। ତେବେ ବିଜୟ ସହ ମନୋବଳ ବୃଦ୍ଧି କରି ଏଏଫ୍‌ସି ଖେଳିବାର ଆଶା ରଖିଥିବା ମିନର୍ଭା ନିରାଶ ହୋଇଛି। ଚଳିତ ଆଇଲିଗ୍‌ରେ ଆରୋଜର ଏହା ୧୬ ମ୍ୟାଚ୍‌ରୁ ପଞ୍ଚମ ବିଜୟ। ଏଥିସହ ଆରୋଜ ୧୬ ପଏଣ୍ଟ୍‌ ସହ ତା‌ଲିକାର ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମରେ ପହଞ୍ଚିଛି। ମିନର୍ଭା ଦୁଇଟି ସ୍ଥାନ ଖସି ନବମରେ ରହିଛି।
ମଙ୍ଗଳବାର ମ୍ୟାଚ୍‌ର ୩୮ ମିନିଟ୍‌ରେ ଆରୋଜ ଅଧିନାୟକ ଅମରଜିତ୍‌ କିୟାମ୍‌ଙ୍କୁ ଏକ ସୁଯୋଗ ମିଳିଥିଲା। ହେଲେ ତାଙ୍କ ସଟ୍‌ ଗୋଲ୍‌ ପୋଷ୍ଟ୍‌ ବାର୍‌ରେ ବାଜି ଫେରି ଆସିଥିଲା। କିନ୍ତୁ ଏହି ଫେରନ୍ତା ବଲ୍‌କୁ ୧୬ ବର୍ଷୀୟ ରୋହିତ ଦାନୁ ହେଡ୍‌ କରି ସଫଳତାର ସହ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଆରୋଜକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟାର୍ଧର ପ୍ରଥମ ମିନିଟ୍‌ରେ ରହିମ ଅଲ୍ଲୀ (୪୬ ମିନିଟ୍‌)ଙ୍କ ଗୋଲ୍‌ରେ ଆରୋଜ ୨-୦ରେ ଆଗୁଆ ହୋଇଯାଇଥିଲା। ‌ଏହା ପରେ ମିନର୍ଭା ଖେଳାଳି ଆରୋଜର ଗୋଲ୍‌ ପୋଷ୍ଟ୍‌କୁ ଘନଘନ ଆକ୍ରମଣ କରିଥିଲେ। ହେଲେ ଆରୋଜର ଗୋଲ୍‌ରକ୍ଷକ ପ୍ରଭୁସୁଖନ ଗିଲ୍‌ ବହୁ ନିଶ୍ଚିତ ‌ଗୋଲ୍ ଅଟକାଇ ଦେଇଥିଲେ। ‌ତେବେ ୬୮ତମ ମିନିଟ୍‌ରେ ଆରୋଜର ରକ୍ଷଣଭାଗ ଭେଦ କରି ମୋଇନୁଦ୍ଦିନ୍‌ ଗୋଟିଏ ଗୋଲ୍‌ ‌ଶୁଝାଇବାକୁ ସକ୍ଷମ ହୋଇଥିଲେ। ଶେଷରେ ମ୍ୟାଚ୍‌କୁ ଆରୋଜ ୨-୧ଗୋଲ୍‌ରେ କରାୟତ କରିଥିଲା। ରହିମ ଅଲ୍ଲୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହି ମ୍ୟାଚ୍‌ ଏତେ ‌ସଂଘର୍ଷପୂର୍ଣ୍ଣ ଥିଲା ‌ଯେ ବିଶୃଙ୍ଖଳିତ ଆଚରଣ ପାଇଁ ଆରୋଜର ୩ ଜଣ ଏବଂ ମିନର୍ଭାର ୨ ଜଣଙ୍କୁ ହଳଦିଆ କାର୍ଡ ମିଳିଥିଲା। ଏଥି ସହ ଲାଇନ୍‌ ବାହାରେ ବଲ୍‌କୁ ମାରିବା ଦୋଷରେ ମିନର୍ଭାର ପ୍ରଶିକ୍ଷକ ପଲ୍‌ ମୁନ୍‌ଷ୍ଟାରଙ୍କୁ ପଡ଼ିଆ ବାହାରକୁ ବିଦା ‌କରାଯାଇଥିଲା।

ସମ୍ବନ୍ଧିତ ଖବର