ବିଜେତା ମିନର୍ଭାକୁ ମାତ୍‌ ଦେବା ଲକ୍ଷ୍ୟରେ ଆରୋଜ

ଭୁବନେଶ୍ବର: ଆଇ ଲିଗ୍‌ର ଏକ ମ୍ୟାଚ୍‌ରେ ଘରୋଇ ଇଣ୍ଡିଆନ୍‌ ଆରୋଜ୍‌ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ବିଜେତା ମିନର୍ଭା ପଞ୍ଜାବକୁ ଭେଟିବ। ଏଠାରେ ୩ ମ୍ୟାଚ୍‌ ଖେଳି ହାରିଥିବା ଆରୋଜ୍‌ କିନ୍ତୁ ବିଜେତା ମିନର୍ଭାକୁ ମାତ୍‌ ଦେବା ଲକ୍ଷ୍ୟରେ ରହିଛି। ଆରୋଜ୍‌ ୧୫ ମ୍ୟାଚ୍‌ ଖେଳି ୧୩ ପଏଣ୍ଟ୍‌ ସହ ତାଲିକାର ନବମରେ ରହିଥିଲା ବେଳେ ମିନର୍ଭା ସମାନ ମ୍ୟାଚ୍‌ ଖେଳି ୧୪ ପଏଣ୍ଟ୍‌ ପାଇ ଆଇଜଲ (୧୪ ପଏଣ୍ଟ୍‌) ଆଗରେ ସପ୍ତମରେ ରହିଛି। ‌ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ମିନର୍ଭା ୧-୦‌ ଗୋଲ୍‌ରେ ଆରୋଜକୁ ହରାଇଥିଲା। କିନ୍ତୁ ସଂପ୍ରତି ମିନର୍ଭାର ପ୍ରଦର୍ଶନ ଭଲ ନାହିଁ। ଗତ ୨ ମାସ ମଧ୍ୟରେ ୮ ମ୍ୟାଚ୍‌ ଖେଳିଥିଲା ବେଳେ ଦଳ ବିଜୟ ପାଇଁ ସଂଘର୍ଷ କରୁଛି। ଏହାର ସୁଯୋଗ ନେଇ ଆରୋଜ୍‌ ଘରୋଇ ପଡ଼ିଆରେ ମିନର୍ଭାକୁ ମାତ୍‌ ଦେଇ ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।
ଆମ ଆତ୍ମବିଶ୍ବାସ ଉଚ୍ଚରେ ଅଛି। ଅଭ୍ୟାସ ମଧ୍ୟ ଠିକ୍‌ଠାକ୍‌ ଚାଲିଛି। ଆମେ କାଲି ସକରାତ୍ମକ ଚିନ୍ତାଧାରା ନେଇ ପଡ଼ିଆକୁ ଓହ୍ଲାଇବୁ। ଆମ ପାଇଁ ଏହି ମ୍ୟାଚ୍‌ ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ ଏଠାରୁ ସିଧା ଏଏଫ୍‌ସି କପ୍‌ ଖେଳିବା ଲାଗି ଯିବୁ। ଏହା ପୂର୍ବରୁ ଏଠାରେ ମ୍ୟାଚ୍‌ ଜିତି ୩ ପଏଣ୍ଟ୍‌ ପାଇଲେ ଦୃଢ଼ ମନୋବଳ ସହ ଏଏଫ୍‌ସିରେ ଭାଗ ନେଇପାରିବୁ ‌ବୋଲି ମିନର୍ଭାର ଆୟର୍ଲାଣ୍ଡ ପ୍ରଶିକ୍ଷକ ପଲ୍‌ ମୁନଷ୍ଟାର ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆମେ ଜାଣିଛୁ ଆରୋଜ୍‌ ଏକ ଯୁବ ଦଳ। ସେମାନଙ୍କ ପାଖରେ ଯେ କୌଣସି ଦଳକୁ ମାତ୍‌ ଦେବାର ଦକ୍ଷତା ଅଛି। ଆମ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ବେଶ୍ ସନ୍ତୁଳିତ ବୋଲି ପଲ୍‌ ମତ ରଖିଛନ୍ତି। ଆମ ପାଇଁ ସବୁମ୍ୟାଚ୍‌ ଆହ୍ବାନ ଭରା। ଜିତିବା ଆମର ଲକ୍ଷ୍ୟ। ଶେଷ କିଛି ମ୍ୟାଚ୍‌ ଆମେ ଗୋଟିଏ ଗୋଲ୍‌ ବ୍ୟବଧାନରେ ହାରିଛୁ। ତଥାପି ଆମ ଖେଳାଳିଙ୍କ ପ୍ରଦର୍ଶନ ଉପରେ ମୁଁ ସନ୍ତୁଷ୍ଟ ବୋଲି କହିଛନ୍ତି ଆରୋଜ ପ୍ରଶିକ୍ଷକ ଫ୍ଲୟଡ୍‌ ପିଣ୍ଟୋ।

ସମ୍ବନ୍ଧିତ ଖବର