ନୂଆଦିଲ୍ଲୀ: ଆଇପିଏଲ ପ୍ରଶଂସକମାନଙ୍କ ପାଇଁ ଏକ ବଡ ଖବର ସାମନାକୁ ଆସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଇପିଏଲ-୨୦୨୨ରେ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଦର୍ଶକମାନଙ୍କୁ ଅନୁମତି ମିଳିବାର ଆଶା ଦେଖା ଦେଇଛି। ବିସିସିଆଇ ପୂର୍ବରୁ ହିଁ ନିର୍ଦ୍ଧାରିତ କରିଛି ଯେ ଆଇପିଏଲ-୨୦୨୨ର ମ୍ୟାଚଗୁଡିକ ମୁମ୍ବାଇରେ ଖେଳାଯିବ। ମହାରାଷ୍ଟ୍ରରେ କରୋନା ହାର ହ୍ରାସ ପାଉଥିବା ଦେଖି ଆଇପିଏଲ୍ ମ୍ୟାଚରେ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳି ପାରେ।
ମହାରାଷ୍ଟ୍ରର ୩ଟି ଷ୍ଟାଡିୟମ୍: ଓ୍ଵାଙ୍ଖେଡେ, ବ୍ରେବୋର୍ଣ୍ଣ ଓ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଆଇପିଏଲ୍-୨୦୨୨ର ମ୍ୟାଚ୍ ଗୁଡିକ ଖେଳାଯିବ। ଯଦି ଆବଶ୍ୟକତା ପଡେ ତେବେ ପୁଣେ ସହରରେ ମଧ୍ୟ ମ୍ୟାଚ୍ ଖେଳାଯିବ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମହାରାଷ୍ଟ୍ର ଓ ପୁଣେରେ କରୋନାର ପ୍ରଭାବ କମିକମି ଯାଉଛି ଓ ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଏବେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଅଧିକ ନାହିଁ। ତେଣୁ ରାଜ୍ୟ ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ଲାଗି ଅନୁମତି ଦେଇପାରନ୍ତି।
ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଡିସେମ୍ବରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ବିସିସିଆଇ ଅନୁସାରେ, ଆଇପିଏଲର ୧୫ତମ ସିଜିନର ମ୍ୟାଚଗୁଡିକର ଆୟୋଜନ ମୁମ୍ବାଇରେ ଓ ପ୍ଲେଅଫ୍ ମ୍ୟାଚଗୁଡିକର ଆୟୋଜନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ କରିବାକୁ ବିଚାର କରାଯାଉଛି।
ଆଇପିଏଲ୍-୨୦୨୨ର ମ୍ୟାଚଗୁଡିକ ମାର୍ଚ୍ଚ ୨୭ ତାରିଖରୁ ଖେଳାଯାଇ ପାରେ ବୋଲି ବିସିସିଆଇ ପୂର୍ବରୁ ସଙ୍କେତ ଦେଇଛି। ତେବେ କେବେ ଆଇପିଏଲ୍ ଆରମ୍ଭ ହେବ ଏହାର ସଠିକ୍ ତାରିଖ ବିସିସିଆଇ ଘୋଷଣା କରିନାହିଁ ।