ପହଞ୍ଚିଲେ ଚର୍ଚିଲ, ଚେନ୍ନାଇ, ଗୋକୁଳମ, ନର୍ଥଇଷ୍ଟ ୟୁନାଇଟେଡ୍‌

ଭୁବନେଶ୍ୱର, : ସୁପରକପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ପୂରା ପ୍ରସ୍ତୁତ। ଗତ ମାସ ୨୫ ତାରିଖରେ ଖେଳା ଯାଇଥିବା ଆଇଏସ୍‌ଏଲ୍‌ ମ୍ୟାଚ୍‌ ପାଇଁ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟ ମାନର ଫୁଟବଲ୍‌ ପଡ଼ିଆ ତିଆରି ସରିଥିଲା ବେଳେ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ଧରି ସେହି ପଡ଼ିଆରେ ପ୍ରଥମ ଥର ଆୟୋଜିତ ହେଉଥିବା ସୁପରକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହେବ। ପ୍ରଥମ ଦିନ ଅର୍ଥାତ୍‌ ଗୁରୁବାର ଖେଳା ଯିବାକୁ ଥିବା ଦୁଇଟି ମ୍ୟାଚ୍‌ରେ ଦିଲ୍ଲୀ ଡାଇନାମସ୍‌କୁ ଚର୍ଚିଲ ବ୍ରଦର୍ସ ଏବଂ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ଗୋକୁଳମ୍‌ କେରଳା ଭେଟିବ। ସେହିଭଳି ଶୁକ୍ରବାର ଚେନ୍ନାଇ ସିଟି-ଇଣ୍ଡିଆନ୍‌ ଆରୋଜ୍‌ ଏବଂ ଏଟିକେ-ଚେନ୍ନାଇ ସିଟି ମୁକାବିଲା କରିବେ। ଉଭୟ ଦିନର ପ୍ରଥମ ମ୍ୟାଚ୍‌ ସଂଧ୍ୟା ୫ ଏବଂ ଦ୍ୱିତୀୟଟି ରାତି ୮ଟାରୁ ଆରମ୍ଭ ହେବ। ଏଥିଲାଗି ମଙ୍ଗଳବାର ଚାରିଟି ଦଳ ଭୁବନେଶ୍ୱର ପହଞ୍ଚି ଯାଇଛନ୍ତି। ଆଜି ଅପରାହ୍ନ ଗୋଟାଏ କୋଡିଏରେ ଚିର୍ଚିଲ ବ୍ରଦର୍ସ ପ୍ରଥମେ ପହଞ୍ଚିଥିଲା। ତା’ ପରେ ଚେନ୍ନାଇ ସିଟି, ଗୋକୁଳମ ଏଫ୍‌ସି ଏବଂ ଶେଷରେ ନର୍ଥ ଇଷ୍ଟ ୟୁନାଇଟେଡର ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପାଦ ଥାପିଥିଲେ। ସେଠାରୁ ସେମାନଙ୍କୁ ସୁରକ୍ଷା ବଳୟରେ ରାଜଧାନୀର ବିଭିନ୍ନ ହୋଟେଲକୁ ନିଆ ଯାଇଥିଲା। ବୁଧବାର ଚାରିଟି ଯାକ ଦଳର ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍‌ ଆସି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଆସନ୍ତାକାଲି ମଧ୍ୟ ଖେଳାଳିମାନେ ସ୍ଥାନୀୟ ଗଣମାଧ୍ୟମକୁ ଭେଟିବେ। ବୁଧବାର ପ୍ରତିଯୋଗିତାର ଆଉ ତିନିଟି ଦଳ ପହଞ୍ଚିବାର ଅଛି। ଗୁରୁବାର ଅଷ୍ଟମ ତଥା ଶେଷ ଦଳ ପହଞ୍ଚିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣା ପଡ଼ିଛି। ଷ୍ଟାଡିୟମ୍‌ ଗେଟ୍‌ ଦର୍ଶକଙ୍କ ଲାଗି ପାଖାପାଖି ଦୁଇ ଘଣ୍ଟା ପୂର୍ବରୁ ଖୋଲି ଦିଆଯିବ ବୋଲି ଜଣା ପଡ଼ିଛି।
ଟିକେଟ ଦର ୫୦ରୁ ୨୦୦
ଗୁରୁବାରରୁ ଆରମ୍ଭ ହେଉଥିବା ଯାଗ୍ୟତା ପର୍ଯ୍ୟାୟ ଲାଗି ଉଭୟ ଅନ୍‌ଲାଇନ୍‌ ଏବଂ ଅଫଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଦର୍ଶକମାନେ କଳିଙ୍ଗ ଷ୍ଟାଡିୟମରେ ସ୍ଥାପିତ କାଉଣ୍ଟର କିମ୍ବା www.bookmyshow.com େଓ୍ଵବ୍‌ସାଇଟ୍‌ରୁ ଟିକେଟ କିଣି ପାରିବେ। ଟିକେଟ ଦର ୫୦ ଟଙ୍କାରୁ ୨୦୦ ଟଙ୍କା ମଧ୍ୟରେ ରଖା ଯାଇଛି। ସେଥିଲାଗି ଷ୍ଟାଡିୟମ ଗ୍ୟାଲେରିକୁ ପାଞ୍ଚଟି ବର୍ଗରେ ବିଭକ୍ତ କରାଯାଇଛି। ନର୍ଥ ବ୍ଲକ ଲାଗି ଟିକେଟ ଦର ସର୍ବନିମ୍ନ ୫୦ ଏବଂ େଓ୍ଵଷ୍ଟବ୍ଲକ୍‌ ଅପର ବା ଏ ବ୍ଲକ୍‌ ଲାଗି ସର୍ବାଧିକ ୨୦୦ ଟଙ୍କା ରଖା ଯାଇଛି। ସାଉଥ୍‌ ବ୍ଲକ୍‌ ପାଇଁ ୧୦୦, ଇଷ୍ଟବ୍ଲକ ପାଇଁ ୧୫୦ ଏବଂ େଓ୍ଵଷ୍ଟବ୍ଲକ୍‌ ତଳ ମହଲା ଲାଗି ଟିକେଟ ମୂଲ୍ୟ ୧୫୦ ଟଙ୍କା ରଖା ଯାଇଛି।
ଆଇଜଲ-ଚେନ୍ନାଇ ମୁକାବିଲାରୁ ମୁଖ୍ୟ ପର୍ଯ୍ୟାୟ
ଗୁରୁବାର ଏବଂ ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସୁପରକପ୍‌ର ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହେବେ। ପୂର୍ବରୁ ଆଇଏସଏଲ୍‌ ଏବଂ ଆଇ ଲିଗର ୬ଟି ଲେଖାଏଁ ଦଳ ଏହି ପର୍ଯ୍ୟାୟରେ ସିଧାସଳଖ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଏଣୁ ମୋଟ ୧୬ ଦଳକୁ ନେଇ ମୁଖ୍ୟ ପର୍ଯ୍ୟାୟ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବ। ମୁଖ୍ୟ ପର୍ଯ୍ୟାୟର ଉଦଘାଟନୀ ଦିବସରେ ଆଇଜଲ ଏଫସିକୁ ଚେନ୍ନାଇନ୍‌ ଏଫସି ଭେଟିବ। ଏହା ପରେ ଏପ୍ରିଲ ପହିଲାରେ ମୋହନ ବାଗାନ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଦଳ ଏବଂ ବେଙ୍ଗାଲୁରୁ ଏଫସି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ଦଳକୁ ଭେଟିବ। ଏପ୍ରିଲ ୨ରେ ମିନର୍ଭା ପଞ୍ଜାବ-ଜାମସେଦପୁର ଏଫସି, ଗୋଆ ଏଫସି ଓ ଯୋଗ୍ୟତା ପର୍ଯ୍ୟାୟର ଚତୁର୍ଥ ଦଳ, ଏପ୍ରିଲ ୪ରେ ପୁନେ ସିଟି-ସିଲଂ ଲାଜଙ୍ଗ, ଇଷ୍ଟ ବେଙ୍ଗଲ-ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ଏବଂ ଏପ୍ରିଲ ୬ରେ ନେରୋକା-କେରଳ ବ୍ଲାଷ୍ଟର୍ସ ଦଳ ମୁହାଁ ମୁହିଁ ହେବେ। ଏହା ପରେ କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଏପ୍ରିଲ ୭ରୁ ଆରମ୍ଭ ହୋଇ ୧୩ରେ ଶେଷ ହେବ। ଦୁଇଟି ଯାକ ସେମିଫାଇନାଲ୍‌ ଏପ୍ରିଲ ୧୬ ଓ ୧୭ରେ ଅନୁଷ୍ଠିତ ହେବା ପରେ ୨୦ରେ ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର