ଭୁବନେଶ୍ବର ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଦଳ : ଗୁରୁବାର ଓ ଶୁକ୍ରବାର କଳିଙ୍ଗରେ ଭାରତ ସହ ମୁକାବିଲା

ଭୁବନେଶ୍ବର: ଭାରତ ବିପକ୍ଷରେ ଯୁଗଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବା ଲାଗି ଜର୍ମାନୀ ପୁରୁଷ ହକି ଦଳ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛି। ଏହି ଦୁଇଟି ମ୍ୟାଚ୍ ଆସନ୍ତା ଗୁରୁବାର ଓ ଶୁକ୍ରବାର ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ନେଇ ଜର୍ମାନୀ ଖେଳାଳିମାନେ ବେଶ୍ ଉତ୍ସାହିତ ଥିବା ମୁଖ୍ୟ ପ୍ରଶିକ୍ଷକ ଆନ୍ଦ୍ରେ ହେନିଂ ଏଠାରେ ପହଞ୍ଚିବା ପରେ କହିଛନ୍ତି। ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା‌ ଜର୍ମାନୀ ସଂପ୍ରତି ୧୭ ପଏଣ୍ଟ୍‌ ସହ ପ୍ରୋ ଲିଗ୍ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତ ୨୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛି। ଏଣୁ ଆଗାମୀ ଦୁଇ ମୁକାବିଲା ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି। ‘‘ଭାରତ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ସେମାନଙ୍କୁ ହରାଇବା ଆମ ପାଇଁ ସେତେଟା ସହଜ ହେବନି। ଆମକୁ ଭାରତୀୟ ଦଳକୁ ସମ୍ମାନ ଦେବାକୁ ପଡ଼ିବ।’’ ବୋଲି ହେନିଂ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର