କ୍ୟାଚ୍ ଛାଡ଼ିବା ନେଇ ଅର୍ଶଦୀପଙ୍କୁ ଭୀଷଣ ଟ୍ରୋଲ୍: ସମର୍ଥନରେ ବାହାରିଲେ ପଞ୍ଜାବ ନେତା‌

ଅର୍ଶଦୀପ ଶୁଦ୍ଧ ସୁନାମୁଣ୍ଡା: ହରଭଜନ

ଚଣ୍ଡିଗଡ: ପାକିସ୍ତାନ ବିପକ୍ଷ ଏସିଆ କପ୍ ‘ସୁପର-୪’ ମ୍ୟାଚ୍‌ର ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିବା ବାମହାତୀ ପଞ୍ଜାବୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ସାମାଜିକ ଗଣମାଧ୍ୟମରେ ଭୀଷଣ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ତାଙ୍କର ଖଲିସ୍ତାନ ଆତଙ୍କବାଦୀ ସଂଗଠନ ସହ ସଂପର୍କ ଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ଅର୍ଶଦୀପ ସେହି ସାଧାରଣ କ୍ୟାଚ୍‌କୁ ଛାଡ଼ି ଦେଇ ପାକିସ୍ତାନକୁ ପରୋକ୍ଷରେ ସହାୟତା କରିଥିଲେ ବୋଲି ଅନ୍ୟ କେତେକ କ୍ଷୁବ୍ଧ ଭାରତୀୟ ପ୍ରଶଂସକ ମତ ରଖିଛନ୍ତି। ଯୁବ ଅର୍ଶଦୀପଙ୍କୁ ଏଭଳି କଟାକ୍ଷ କରାଯିବାକୁ ବହୁ ପୂର୍ବତନ କ୍ରିକେଟର୍‌ କିନ୍ତୁ ତୀବ୍ର ନିନ୍ଦା କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି। ରବିବାରର ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍ ପରେ ଅର୍ଶଦୀପଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଚାପରେ ଥିଲା ବେଳେ କେହି ବି ଭୁଲ୍‌ କରିପାରେ।

ଅର୍ଶଦୀପ ଶୁଦ୍ଧ ସୁନାମୁଣ୍ଡା: ହରଭଜନ
ଅନ୍ୟପକ୍ଷରେ ଭାରତ ପରାଜୟ ଲାଗି କେବଳ ଅର୍ଶଦୀପଙ୍କୁ ଦାୟୀ କରାଯିବାକୁ ପଞ୍ଜାବର ରାଜନେତାମାନେ ଭର୍ତ୍ସନା କରିଛନ୍ତି। ଆପ୍ ସାଂସଦ ରାଘବ ଚଢ଼ା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ଗୁରମିତ ସିଂହ, ବିଜେପି ନେତା ମନଜୀନ୍ଦର ସିର୍‌ସା ଏବଂ ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଆପ୍ ଆଦ୍‌ମୀ ପାର୍ଟି ସାଂସଦ ହରଭଜନ ସିଂହ ପ୍ରମୁଖ ଅର୍ଶଦୀପଙ୍କ ସମର୍ଥନରେ ବୟାନ ଜାରି କରିଛନ୍ତି। ଏପରିକି ଅର୍ଶଦୀପଙ୍କୁ ସମର୍ଥନର ହାତ ବଢ଼ାଇବାକୁ ଯାଇ ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା ନିଜ ‌ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ୍ ଫଟୋ ବଦଳାଇ ତାଙ୍କ (ଅର୍ଶଦୀପଙ୍କ) ଫଟୋ ଲଗାଇଛନ୍ତି। ହରଭଜନ ଟ୍ବିଟ୍ କରିଥିଲେ ଯେ ଯୁବ ଅର୍ଶଦୀପଙ୍କୁ ସମାଲୋଚନା କରିବା ବନ୍ଦ କର। କେହି ବି ଜାଣିଶୁଣି କ୍ୟାଚ୍ ଛାଡ଼ନ୍ତି ନାହିଁ। ଆମ ଖେଳାଳିଙ୍କୁ ନେଇ ଆମେ ଗର୍ବିତ ହେବା ଉଚିତ। ପାକିସ୍ତାନ ଭଲ ଖେଳିଲା। ଅର୍ଶଦୀପ ଶୁଦ୍ଧ ସୁନା, ତାଙ୍କୁ ଏବଂ ଭାରତୀୟ ଦଳକୁ କଟାକ୍ଷ କରୁଥିବା ଲୋକ ଏଥିଲାଗି ଲଜ୍ଜିତ ହେବା କଥା। ଅର୍ଶଦୀପଙ୍କୁ ଟ୍ରୋଲ୍ ନକରିବାକୁ ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ଗୁରମିତ ସିଂହ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ସେହିଭଳି ତାଙ୍କ ମା’ଙ୍କ ସହ କଥା ହୋଇ ପୂରା ପଞ୍ଜାବ ଏବଂ ଦେଶ ଅର୍ଶଦୀପଙ୍କ ସହ ଅଛି ବୋଲି କହିଛନ୍ତି। ବିଜେପି ନେତା ସିର୍‌ସା ଭିଡିଓ ବାର୍ତ୍ତାରେ କହିଛନ୍ତି ‌ଯେ ଅର୍ଶଦୀପ ଜଣେ ପ୍ରତିଭାଶାଳୀ ଖେଳାଳି। ସେ ବହୁତ ଭଲ ଖେଳିଲେ। ସମଗ୍ର ଦେଶ ତାଙ୍କୁ ସମର୍ଥନ କରେ। ଅର୍ଶଦୀପଙ୍କୁ ଟ୍ରୋଲ୍ କରାଯିବା ପଛରେ ପାକିସ୍ତାନର ହାତ ଥିବା ଅଭିଯୋଗ କରିଛନ୍ତି ସିର୍‌ସା।

ବିବାଦୀୟ ତଥ୍ୟ ପାଇଁ ୱିକିପିଡ଼ିଆକୁ ସମନ
ଅର୍ଶଦୀପଙ୍କ ୱିକିପିଡିଆ ପୃଷ୍ଠାକୁ ହାଇଜାକ୍ କରାଯାଇ ଏଥିରେ ଥିବା ତଥ୍ୟରେ ଅଦଳ ବଦଳ କରାଯିବା ଘଟଣାରେ କେନ୍ଦ୍ର ସରକାର ୱିକିପିଡିଆ ଅଧିକାରୀଙ୍କୁ ସମନ ଜାରି କରିଛନ୍ତି। ଭାରତୀୟ କ୍ରିକେଟ୍ ଦଳ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିବା ପରେ ଅର୍ଶଦୀପ ଖଲିସ୍ତାନ କ୍ରିକେଟ୍ ଦଳ ପାଇଁ ମନୋନୀତ ହୋଇଥିବା ତାଙ୍କ ୱିକିପିଡିଆ ପୃଷ୍ଠାରେ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଖଲିସ୍ତାନ ଆତଙ୍କବାଦୀମାନେ ପଞ୍ଜାବୀଙ୍କ ପାଇଁ ସ୍ବତନ୍ତ୍ର ଦେଶ ଦାବି କରୁଥିଲା ବେଳେ ଭାରତ ସରକାର ବହୁ ପୂର୍ବରୁ ଏହାକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛନ୍ତି। ଭାରତ ସରକାରଙ୍କ ସମନ ପରେ କିନ୍ତୁ ଅର୍ଶଦୀପଙ୍କ ୱିକିପିଡିଆ ପୃଷ୍ଠାକୁ ଠିକ୍ କରିଦିଆଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଖୁବଶୀଘ୍ର ୱିକିପିଡିଆ ଅଧିକାରୀଙ୍କୁ ଜେରା କରିବା ସହ ଅର୍ଶଦପଙ୍କ ପ୍ରୋଫାଇଲ୍‌ ଡାଟାରେ କିଭଳି ଅଦଳ ବଦଳ କରାଗଲା ବୋଲି ପ୍ରଶ୍ନ କରିବେ। କେନ୍ଦ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ଏଭଳି କାରନାମା ପାକିସ୍ତାନର ହ୍ୟାକର୍‌ମାନେ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର